ନୀତିଶ ସରକାରଙ୍କୁ ହାଇକୋର୍ଟରୁ ଶକ୍ତ ଝଟକା, ଇସିବି, ଏସସି ଓ ଏସଟି ପାଇଁ ୬୫ ପ୍ରତିଶତ ସଂରକ୍ଷଣ ସମାପ୍ତ


ପାଟନା: ବିହାରର ନୀତିଶ ସରକାରଙ୍କୁ ପାଟନା ହାଇକୋର୍ଟରୁ ଲାଗିଛି ଶକ୍ତ ଝଟକା । ଇସିବି, ଏସସି ଓ ଏସଟି ପାଇଁ ରାଜ୍ୟ ସରକାର କରିଥିବା ୬୫ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥାକୁ ସମାପ୍ତ କରିଛନ୍ତି ଉଚ୍ଚ ନ୍ୟାୟାଳୟ । ଅଦାଲତ ବିହାରର ସଂରକ୍ଷଣ ଆଇନକୁ ରଦ୍ଦ କରିଛନ୍ତି । ବିହାର ସରକାର ପଛୁଆ ବର୍ଗ, ଅତ୍ୟନ୍ତ ପଛୁଆ ବର୍ଗ, ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ପାଇଁ ସଂରକ୍ଷଣ ୫୦ ପ୍ରତିଶତରୁ ବଢାଇ ୬୫ ପ୍ରତିଶତ କରିଥିଲେ । ଏହାକୁ ହାଇକୋର୍ଟରେ ଚ୍ୟାଲେଞ୍ଜ କରାଯାଇଥିଲା ।

ଏହି ମାମଲାରେ ଗୌରବ କୁମାର ଓ ଅନ୍ୟମାନଙ୍କ ଦ୍ୱାର ଦାଖଲ ଆବେଦନ ଉପରେ ହାଇକୋର୍ଟ ଶୁଣାଣି କରିଛନ୍ତି । ଉଚ୍ଚ ନ୍ୟାୟାଳୟ ୨୦୨୪ ମାର୍ଚ୍ଚ ୧୧ ତାରିଖରେ ଶୁଣାଣି ଶେଷ କରି ରାୟ ସଂରକ୍ଷିତ ରଖିଥିଲେ । ଯାହାର ରାୟ ଆଜି ଦେଇଛନ୍ତି କୋର୍ଟ । ମୁଖ୍ୟ ବିଚାରପତି କେଭି ଚନ୍ଦନଙ୍କ ପୀଠ ଆବେଦନକାରୀଙ୍କ ଯାଚିକା ଉପରେ ଲମ୍ବା ଶୁଣାଣି କରିଥିଲେ । ରାଜ୍ୟ ସରକାରଙ୍କ ପକ୍ଷରୁ ଆଡଭୋକେଟ୍ ଜେନେରାଲ ପିକେ ଶାହି ମାମଲା ଲଢିଥିଲେ । ସେ ଯୁକ୍ତି ବାଢିଥିଲେ ଯେ, ଏହି ବର୍ଗର ପର୍ଯ୍ୟାପ୍ତ ପ୍ରତିନିଧିତ୍ୱ ନ ଥିବା କାରଣରୁ ରାଜ୍ୟ ସରକାର ଏହି ସଂରକ୍ଷଣ ଆଇନ କରିଥିଲେ ।

ଏହି ଆବେଦନରେ ରାଜ୍ୟ ସରକାରଙ୍କ ୨୦୨୩ ନଭେମ୍ବର ୯ ତାରିଖରେ ଗୃହୀତ ଆଇନକୁ ଚ୍ୟାଲେଞ୍ଜ କରାଯାଇଥିଲା । ଏଥିରେ ଏସସି, ଏସଟି, ଇସିବି ଓ ଅନ୍ୟ ପଛୁଆ ବର୍ଗଙ୍କୁ ୬୫ ପ୍ରତିଶତ ସଂରକ୍ଷଣ ଦିଆଯାଇଥିବା ବେଳେ ସାଧାରଣ ବର୍ଗର ଆଶାୟୀଙ୍କ ପାଇଁ ସରକାର ଚାକିରିରେ ମାତ୍ର ୩୫ ପ୍ରତିଶତ ପଦ ରହିଥିଲା । ଆଉ ଏହା ଉପରେ ଆଜି ରାୟ ଦେଇଛନ୍ତି ପାଟନା ହାଇକୋର୍ଟ ।