ଟି-୨୦ ବିଶ୍ବକପ୍: ସେମିଫାଇନାଲରେ ଆଫଗାନିସ୍ତାନ, ଅଷ୍ଟ୍ରେଲିଆ ବିଶ୍ବକପରୁ ଆଉଟ୍


ଭୁବନେଶ୍ବର: ଟି୨୦ ବିଶ୍ବକପରେ ଇତିହାସ ରଚିଛି ଆଫଗାନିସ୍ତାନ । ଆଇସିସିର କୌଣସି ବିଶ୍ବସ୍ତରୀୟ ଟୁର୍ଣ୍ଣାମେଣ୍ଟରେ ପ୍ରଥମ ଥର ଆଫଗାନିସ୍ତାନ ସେମିଫାଇନାଲ ଲାଇନ୍ ପାର କରିବାକୁ ସକ୍ଷମ ହୋଇଛି । ଇତିହାସ ରଚିବା ସହ ଆଫଗାନିସ୍ତାନ ପ୍ରଥମ ଥର ପାଇଁ ଟି୨୦ ବିଶ୍ବକପ୍ ସେମିଫାଇନାଲରେ ପ୍ରବେଶ କରିଛି । ସୁପର-୮ ମୁକାବିଲାରେ ଆଫଗାନିସ୍ତାନ ବାଂଲାଦେଶକୁ ହରାଇ ସେମିଫାଇନାଲକୁ ଯାଇଛି । ଆଫଗାନିସ୍ତାନର ଏହି ପରେ ଅଷ୍ଟ୍ରେଲିଆ ବିଶ୍ବକପରୁ ବାହାର ହୋଇଯାଇଛି ।

ଏଥିସହ ଟି-୨୦ ବିଶ୍ୱକପର ସେମିଫାଇନାଲ ଲାଇନ୍ ଅପ୍ ଚୂଡାନ୍ତ ହେଇଛି । ଆସନ୍ତା ୨୭ ତାରିଖରେ ପ୍ରଥମ ସେମିଫାଇନାଲ ଦକ୍ଷିଣ ଆଫ୍ରିକା ଏବଂ ଆଫଗାନିସ୍ତାନ ଭିତରେ ଖେଳାଯିବାକୁ ଥିବାବେଳେ, ଦ୍ୱିତୀୟ ସେମିଫାଇନାଲରେ ଇଂଲଣ୍ଡକୁ ଭେଟିବ ଭାରତ ।

ଆଜି ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୧୧୫ ରନ୍ କରିଥିଲା ଆଫଗାନିସ୍ତାନ । ଦଳର ଓପନର ଗୁରବାଜ ୪୩ ରନର ଚମତ୍କାର ଇଂନିସ୍ ଖେଳିଥିଲେ । ତା ସହ କ୍ୟାପଟେନ୍ ରସିଦ୍ ଖାନ୍ ମଧ୍ୟ ୧୦ ବଲରୁ ୧୯ ରନ୍ କରିଥିଲେ । ତେବେ ବର୍ଷା ବାଧାପ୍ରାପ୍ତ ଦ୍ୱିତୀୟ ଇଂନିସରେ ବାଲାଂଦେଶକୁ ଡିଏଲଏସ୍ ମେଥଡରେ ୧୧୪ ରନର ଟାର୍ଗେଟ ଦିଆଯାଇଥିଲା । ହେଲେ ବାଂଲାଦେଶ ବିଜୟ ଲକ୍ଷ୍ୟ ଛୁଇଁ ପାରି ନଥିଲା । ଆଫଗାନିସ୍ତାନର ବୋଲର ନବୀନ ଉଲ ହକ୍ ୪ଟି ଏବଂ ରସିଦ୍ ଖାନ୍ ମଧ୍ୟ ୪ଟି ୱିକେଟ୍ ସଫଳତା ପାଇଥିଲେ ।

ସୂଚନାଯୋଗ୍ୟ, ଅଷ୍ଟ୍ରେଲିଆ ଭାରତ ପାଖରୁ ହାରିବା ପରେ ସମସ୍ତଙ୍କ ନଜର ଆଫଗାନିସ୍ତାନ ଓ ବାଂଲାଦେଶ ମ୍ୟାଚ ଉପରେ ଥିଲା । କାରଣ ଏହି ମ୍ୟାଚରେ ବାଂଲାଦେଶର ବଡ଼ ବିଜୟ ଆଷ୍ଟ୍ରେଲିଆର ସେମିଫାଇନାଲ ଯିବା ରାସ୍ତା ଫିଟାଇଥାନ୍ତି । ହେଲେ ବିଶ୍ବକପ ଆରମ୍ଭରୁ ଚମତ୍କାର ପରେ ଚମତ୍କାର ଦେଖାଇ ଆସୁଥିବା ଆଫଗାନିସ୍ତାନ ଟିମ୍ ଆଉ ଏକ ଭଲ ମ୍ୟାଚ ଖେଳି ଇତିହାସରେ ନିଜ ନାଁ ଲେଖି ସାରିଛନ୍ତି । ଏପଟେ, ଶକ୍ତିଶାଳୀ ଅଷ୍ଟ୍ରେଲିଆ ଟିମ୍ ବିଶ୍ବକପରୁ ବାହାର ହୋଇଯାଇଛି ।