ଭୁବନେଶ୍ବର: ବ୍ରିଟେନ ସାଧାରଣ ଶେଷ ହୋଇଥିବା ବେଳେ ଏହାର ଫଳାଫଳ ଆସି ସାରିଛି । ଆଉ ଚଳିତ ନିର୍ବାଚନରେ ଭାରତୀୟ ବଂଶୋଦ୍ଭବ ଋଷି ସୁନକଙ୍କ ଶାସନର ଅନ୍ତ ଘଟିଛି । ଏହାସହ ବ୍ରିଟେନରେ କଞ୍ଜରଭେଟିବ ପାର୍ଟିର ୧୪ ବର୍ଷ ଶାସନରେ ମଧ୍ୟ ପୂର୍ଣ୍ଣଚ୍ଛେଦ ପଡ଼ିଛି । ଋଷି ସୁନକଙ୍କୁ ବିପୁଳ ବ୍ୟବଧାନରେ ହରାଇ ଲେବର ପାର୍ଟିର କେର ଷ୍ଟାରମର ହେବାକୁ ଯାଉଛନ୍ତି ବ୍ରିଟେନର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ।
ଗତକାଲି ବ୍ରିଟେନରେ ସାଧାରଣ ନିର୍ବାଚନ ଅନୁଷ୍ଠିତ ହୋଇଥିବା ବେଳେ ଆଜି ଭୋଟ୍ ଗଣତି ହୋଇଥିଲା । ଫଳାଫଳ ଅନୁସାରେ, କେର୍ ଷ୍ଟାରମରଙ୍କ ଲେବର ପାର୍ଟିକୁ ବହୁମତ ମିଳିଛି । ଆଉ ଏହାସହ ଦେଢ଼ ଦଶନ୍ଧି ପରେ ସତ୍ତାକୁ ଫେରିଛି ଲେବର୍ ପାର୍ଟି ।
ବ୍ରିଟେନରେ ୬୫୦ ଆସନ ବିଶିଷ୍ଟ ହାଉସ୍ ଅଫ୍ କମନ୍ସ ପାଇଁ ମ୍ୟାଜିକ୍ ନମ୍ବର ୩୨୬ । ଏଥିରୁ ଲେବର୍ ପାର୍ଟି ୩୭୮ ଆସନରେ ବିଜୟ ସହ ପୂର୍ଣ୍ଣ ବହୁମତ ପାଇଛି । ସେପଟେ ସୁନକଙ୍କ ପାର୍ଟିକୁ ୯୨ଟି ଆସନ ମିଳିଥିବା ବେଳେ ଅନ୍ୟମାନେ ୯୦ ଆସନରେ ବିଜୟୀ ହୋଇଛନ୍ତି ।
ଏହି ନିର୍ବାଚନରେ କଞ୍ଜରଭେଟିଭ ପାର୍ଟିର ୮ ଜଣ କ୍ୟାବିନେଟ ମନ୍ତ୍ରୀ ପରାସ୍ତ ହୋଇଛନ୍ତି । ସୁନକ କିନ୍ତୁ ଉତ୍ତର-ପୂର୍ବ ଇଂଲଣ୍ଡର ରିଚମୋଣ୍ଡ ଓ ନର୍ଥାଲେରୋଟନ ଆସନରେ ବିଜୟ ହେବାକୁ ସକ୍ଷମ ହୋଇଛନ୍ତି ।
ସୂଚନାଯୋଗ୍ୟ, ୪୪ ବର୍ଷୀୟ ଋଷି ସୁନକ ବ୍ରିଟେନର ପ୍ରଥମ ଭାରତୀୟ ବଂଶୋଦ୍ଭବ ପ୍ରଧାନମନ୍ତ୍ରୀ ହୋଇଥିଲେ । ସେ ମଧ୍ୟ ସମଗ୍ର ଏସିଆ ମହାଦେଶରୁ ପ୍ରଥମ, ଯିଏ କି ବ୍ରିଟେନରେ ପ୍ରଧାନମନ୍ତ୍ରୀ ହେବାର ସୌଭାଗ୍ୟ ଅର୍ଜନ କରିଥିଲେ । ୨୦୨୨ରେ ଲିଜ୍ ଟ୍ରସ୍ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଥିଲେ ସୁନକ । ଏହା ପୂର୍ବରୁ ସେ ବୋରିସ ଜନସନଙ୍କ ସରକାରରେ ଦୁଇ ଥର କ୍ୟାବିନେଟ ମନ୍ତ୍ରୀ ଥିଲେ । ତେବେ ସୁନକ ଚଳିତ ନିର୍ବାଚନରେ ପ୍ରଧାନମନ୍ତ୍ରୀ ଚେହେରା ଥିବାରୁ ଫଳାଫଳ ଉପରେ ସମସ୍ତଙ୍କ ନଜର ରହିଥିଲା ।