ଅହମ୍ମଦାଦାବ: ରଥଯାତ୍ରା ପାଇଁ ଗୁଜୁରାଟର ଅହମ୍ମଦାବାଦରେ ଭକ୍ତମୟ ପରିବେଶ । ଚଳିତବର୍ଷ ଏଠାରେ ୧୪୭ତମ ରଥଯାତ୍ରା ପାଳନ କରାଯାଉଛି । ମୁଖ୍ୟମନ୍ତ୍ରୀ ଓ ଅନ୍ୟ ମନ୍ତ୍ରୀ ରଥାରୂଢ ଠାକୁରଙ୍କୁ ଦର୍ଶନ କରି ଆଶୀର୍ବାଦ ନେଇଛନ୍ତି । ପରମ୍ପରା ଅନୁସାରେ ୪୦୦ ବର୍ଷ ପୁରୁଣା ଜଗନ୍ନାଥ ମନ୍ଦିରରୁ ମହାପ୍ରଭୂ ରଥାରୂଢ ହୋଇ ଶୋଭାଯାତ୍ରାରେ ବାହାରିବେ ।
ଶୋଭାଯାତ୍ରାରେ ୧୮ ସୁସଜ୍ଜିତ ହାତୀ, ୧୦୦ ଟ୍ରକ ଓ ୩୦ ଆଖଡା ସାମିଲ ହେବେ । ତିନି ଠାକୁରଙ୍କ ରଥ ଖଲାସୀ ସମ୍ପ୍ରଦାୟ ଟାଣିବେ ବୋଲି ପରମ୍ପରା ରହିଆସିଛି । ରଥରେ ମହାପ୍ରଭୁଙ୍କୁ ଦର୍ଶନ କରିବା ପାଇଁ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଛି ।
ପାଖାପାଖି ୨୨ ହଜାରରୁ ଊର୍ଦ୍ଧ୍ବ ସୁରକ୍ଷାକର୍ମୀ ରଥଯାତ୍ରା ପାଇଁ ମୁତୟନ ହୋଇଛନ୍ତି । ଉତ୍ତର ପ୍ରଦେଶର ହାଥରସ ଭଳି ଅଘଟଣକୁ ରୋକିବାକୁ ପ୍ରଶାସନ ସମସ୍ତ ପ୍ରକାର ବ୍ୟବସ୍ଥା କରିଛି । ପୋଲିସ ୨୦ଟି ଡ୍ରୋନ ସମେତ ବେଲୁନ କ୍ୟାମେରାର ବ୍ୟବହାର କରୁଛି । ରଥଟଣା ହେବାକୁ ଥିବା ସମସ୍ତ ରୁଟ୍ରେ ପ୍ରାୟ ୧୪୦୦ରୁ ଊର୍ଦ୍ଧ୍ବ ସିସିଟିଭି କ୍ୟାମେରାର ବ୍ୟବହାର କରୁଛି ଗୁଜୁରାଟ ପୋଲିସ ।