ଆମେରିକାରେ ଆଉ ଜଣେ ଭାରତୀୟ ଛାତ୍ରଙ୍କ ମୃତ୍ୟୁ


ନ୍ୟୁୟର୍କ: ଆମେରିକାରେ ପୁଣି ଗଲା ଆଉ ଜଣେ ଭାରତୀୟ ଛାତ୍ରଙ୍କ ଜୀବନ । ନ୍ୟୁୟର୍କ ଷ୍ଟେଟର ଆଲବାନିର ଜଳପ୍ରପାତରେ ବୁଡ଼ି ଜଣେ ଛାତ୍ରଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି । ଏନେଇ ଭାରତୀୟ ଦୂତାବାସ ପକ୍ଷରୁ ସୂଚନା ଦିଆଯାଇଛି । ମୃତ ଛାତ୍ର ହେଉଛନ୍ତି ୨୬ ବର୍ଷୀୟ ସାଇ ସୂର୍ଯ୍ୟ ଅବିନାଶ ଗଡ୍ଡେ । ତାଙ୍କ ଘର ଆନ୍ଧ୍ର ପ୍ରଦେଶର ଗୋଦାବରୀ ଜିଲ୍ଲା ଚିତ୍ୟାଲାରେ । ଜୁଲାଇ ୭ରେ ନ୍ୟୁୟର୍କ ଷ୍ଟେଟର ଏକ ଜଳପ୍ରପାତରେ ପଡ଼ି ତାଙ୍କର ମୃତ୍ୟୁ ଘଟିଛି । 

ଜୁଲାଇ ୭ରେ ଛାତ୍ର ଜଣକ ତାଙ୍କ ବଡ଼ ଭଉଣୀଙ୍କ ପରିବାର ସହ ଏକ ବନ୍ଧୁଙ୍କ ଘରକୁ ଯାଇଥିଲେ । ସେଠାରୁ ଉଭୟ ପରିବାରର ସଦସ୍ୟମାନେ ନିକଟସ୍ଥ ଜଳପ୍ରପାତ ବୁଲିବାକୁ ଯାଇଥିଲେ । ଏହି ସମୟରେ ସାଇ ସୂର୍ଯ୍ୟ ହଠାତ୍ ଜଳପ୍ରପାତରେ ପଡ଼ି ଯାଇଥିଲେ । 

ଏହାପରେ ତାଙ୍କୁ ଖୋଜାଖୋଜି କରା ଯାଇଥିଲେ ମଧ୍ୟ ସନ୍ଧାନ ମିଳି ପାରି ନଥିଲା । ପରେ ତାଙ୍କର ମୃତଦେହ ଉଦ୍ଧାର କରାଯାଇଥିଲା । ୨୦୨୪ରେ ଆମେରିକାରେ ଏକାଧିକ ଭାରତୀୟ ଛାତ୍ରଙ୍କ ମୃତ୍ୟୁ ଖବର ସାମ୍ନାକୁ ଆସିଛି । କିଛି ଆତ୍ମହତ୍ୟା କରିଥିବା ରିପୋର୍ଟ ହୋଇଥିବା ବେଳେ କେତେକଙ୍କୁ ହତ୍ୟା ଏବଂ ଅନ୍ୟ କିଛି ଜଣଙ୍କ ମୃତ୍ୟୁ ରହସ୍ୟ ଘେରରେ ରହିଛି ।