ଅଟୋ ସହ ଗଞ୍ଜେଇ ଜବତ, ଡ୍ରାଇଭର ଗିରଫ


କନ୍ଧମାଳ:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲାର ଫିରିଙ୍ଗିଆ ଅଞ୍ଚଳ ଏବେ ଗଞ୍ଜେଇ ମାଫିଆ ମାନଙ୍କ ଚରାଭୂଇଁ ପାଲଟିଥିବା ବେଳେ ଏହି ଗଞ୍ଜେଇ ମାଫିଆଙ୍କୁ ଧରିବା ପାଇଁ ପୁଲିସ ମଧ୍ୟ ସଜାଗ ରହିଛି । ଗୋଟେ ପରେ ଗୋଟେ ଗଞ୍ଜେଇ ମାଫିଆ ଗିରଫ ହେବା ସହ କୁଇଣ୍ଟାଲ କୁଇଣ୍ଟାଲ ଗଞ୍ଜେଇ ଜବତ ହେଉଛି ଓ ଚାଲାଣ ହେଉଥିବା ବହୁ ନାମିଦାମୀ ଗାଡି ଗୁଡିକ ମଧ୍ୟ ଜବତ ହେଉଛି । ତଥାପି ଅଞ୍ଚଳରୁ ଥମୁନି ଗଞ୍ଜେଇ କାରବାର । ତେବେ ଏହି ପରିପେକ୍ଷୀରେ ପୁଣି ଥରେ ଫିରିଙ୍ଗିଆ ପୁଲିସ ଏକ ଅଟୋ ସହ ୨୫ କିଲୋ ୨୦୦ ଗ୍ରାମ ଗଞ୍ଜେଇ ଜବତ କରିବାରେ ସଫଳ ହୋଇଥିବାବେଳେ ଅଟୋ ଚାଳକକୁ ଗିରଫ କରି କୋର୍ଟ ଚାଲାଣ କରିଛି । ପ୍ରକାଶ ଯେ, ଫିରିଙ୍ଗିଆ ଥାନା କେଳାପଡା ପଟୁ ଏକ ଅଟୋରେ ଗଞ୍ଜେଇ ଚାଲାଣ ହେଉଥିବା କୌଣସି ସୂତ୍ରରୁ ପୁଲିସକୁ ଖବର ମିଳିଥିଲା । ଥାନା ଅଧିକାରୀ ଗୋପୀନାଥ ପ୍ରଧାନଙ୍କ ନିର୍ଦେଶ କ୍ରମେ ଥାନାରେ କାର୍ଯ୍ୟରତ ଏସ ଆଇ ଅଜୟ କୁମାର ସାହୁଙ୍କ ସହ ଏକ ଟିମ ଫୁଲବାଣୀ ବାଲିଗୁଡା ରାସ୍ତାର ମାସରୀପଡା ଛକ ନିକଟରେ ସମ୍ପୃକ୍ତ ଅଟୋଟିକୁ ପୁଲିସ ଟିମ କାବୁ କରିବାରେ ସଫଳ ହୋଇଥିଲା । ପରେ ଅଟୋଟିକୁ ଯାଞ୍ଚ କରିବାରୁ ୨୫ କିଲୋ ଗଞ୍ଜେଇ ବାହାରିଥିଲା । ଅନ୍ୟପଟେ ଏହି ଘଟଣାରେ ଗିରଫ ହୋଇଥିବା ଅଟୋ ଡ୍ରାଇଭର ଜଣକ ଫୁଲବାଣୀ ସଦର ଥାନା ଅଧୀନରେ ଥିବା ମିଣିଆ ପଞ୍ଚାୟତ ଅନ୍ତର୍ଗତ ଗଣ୍ଡପଦର ଗାଁର ସୁନୀଲ ଦିଗାଲ ବୋଲି ଜଣାପଡିଥିବା ବେଳେ ଘଟଣା ସମ୍ପର୍କରେ ପୁଲିସ ୧୫୩/୨୪ ରେ ଏକ ମାମଲା ରୁଜୁ କରି ଅଟୋ ଡ୍ରାଇଭରକୁ କୋର୍ଟ ଚାଲାଣ କରାଯାଇଥିବା ଜଣାପଡିଛି ।