ଚୋରି ଅଭିଯୋଗରେ ନାବାଳକକୁ ଟ୍ରେନ ଲାଇନରେ ବାନ୍ଧି ନିର୍ଧୁମ ମାଡ଼


ପାଟନା: ମରିଗଲା ମଣିଷ ପଣିଆ । ଚୋରି ଅଭିଯୋଗରେ ଧରାପଡିଥିବା ମାତ୍ର ୧୨ ବର୍ଷର ଏକ ନାବଳକ ଉପରେ ଅମାନୁସିକ ଅତ୍ୟାଚାର । ହାତଗୋଡ଼ ବାନ୍ଧି ଟ୍ରେନ୍ ଲାଇନରେ ବାନ୍ଧି ଦେଲେ । ଆଉ ତା’ପରେ ଆରମ୍ଭ ହୋଇଥିଲା ନିର୍ଯାତନା । ଅମାନୁସିକ ଭାବେ ଯିଏ ପାରିଲା ପିଟି ଚାଲିଲା । ପିଲାଟି ଚିତ୍କାର କରି ଛାଡି ଦେବାକୁ ଯେତେ ନେହୁରା ହେଉଥିଲେ ବି ଏଥିପତି କାହାରିଙ୍କର ନିଘା ନଥିଲା । ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଯିବାରୁ ପିଲାଟିର ଜୀବନ ବଞ୍ଚି ଯାଇଛି । ଘଟଣା ଘଟିଛି ବିହାରର ବେଗୁସରାୟ ଅଞ୍ଚଳରେ ଥିବା ଜାନିପୁର ଗାଁରେ ।

ମିଳିଥିବା ତଥ୍ୟ ଅନୁସାରେ ଜାନିପୁର ଗାଁରେ ଥିବା ଏକ ଦୋକାନରୁ ୧୨ ବର୍ଷୀୟ ନାବାଳକ ଜଣକ କିଛି ଚୋରି କରିଥିବା ଅଭିଯୋଗରେ ଧରା ପଡ଼ିଥିଲେ । ଏହାପରେ ନାବାଳକକୁ ପୋଲିସକୁ ହସ୍ତାନ୍ତର କରିବା ବଦଳରେ ସ୍ଥାନୀୟ ଲୋକେ ଆରମ୍ଭ କରି ଦେଇଥିଲେ ମାଡ ମରା । ଏତିକିରେ ସେମାନଙ୍କ ମନ ଭରି ନଥିଲା । ତ’ ହାତ ବାନ୍ଧି ଗାଁ ନିକଟରେ ରେଲଓ୍ବା ଟ୍ରାକକୁ ନେଇ ଯାଇଥିଲେ । ସେଠାରେ ଟ୍ରେନ ଲାଇନରେ ତାକୁ ବାନ୍ଧି ଦେଇ ମେଡ ମାରିବା ଆରମ୍ଭ କରିଥିଲେ । ନାବାଳକ ଜଣକ ଛାଡ଼ି ଦେବାକୁ ଗୁହାରୀ ହେଲେ ବି କେହି ଶୁଣି ନ ଥିଲେ ।

ତେବେ କୌଣସି ପ୍ରକାରେ ଘଟଣା ସମ୍ପର୍କରେ ପୋଲିସ ପାଖରେ ଖବର ପହଞ୍ଚି ଥିଲା । ଡିଏସ୍‌ପି ନେହା କୁମାରୀ କାଳ ବିାମ୍ବ ନକରି ସଦଳବଳେ ଘଟଣା ସ୍ଥଳରେ ପହଞ୍ଚି ଯାଇ ନାବାଳକଙ୍କୁ ଉଦ୍ଧାର କରିଥିଲେ ।

ଘଟଣାକୁ ନେଇ ପୋଲିସ ପୂରା ଆକ୍ସନ ମୋଡକୁ ଆସି ଯାଇଛି । ଏନେଇ ଏକ ମାମଲା ରୁଜୁ କରିବା ସହ ୩ ଅଭିଯୁକ୍ତଙ୍କୁ ଗିରଫ କରିସାରିଛି । ନାବାଳକକୁ ମାଡ଼ ମାରିଥିବା ଆଉ କିଛି ଲୋକ ଏବେ ବି ଫେରାର ଅଛନ୍ତି । ସେମାନଙ୍କୁ ଧରିବାକୁ ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛି ।