ଯୋଗୀଙ୍କୁ ୫ ଦିନ ଭିତରେ ବୋମା ପକାଇ ଉଡ଼ାଇ ଦେବି !


ଲକ୍ଷ୍ନୌ: ଫେମସ୍ ହେବାକୁ ଯୁବକଙ୍କ ଅଦ୍ଭୁତ କାଣ୍ଡ । ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଉପରେ ବୋମାମାଡ଼ କରି ଉଡ଼ାଇ ଦେବାକୁ ଦେଲେ ଖୋଲା ଧମକ । ଆଉ ତା’ପରେ କ’ଣ ହୋଇଥିବ ନିଶ୍ଚିତ ଅନୁମାନ କରିପାରୁଥିବେ । ମହାଶୟ ଏବେ ହାତକଡ଼ି ପିନ୍ଧି ଜେଲ ଦର୍ଶନ କରିଛନ୍ତି ।

ଫେମସ ହେବା ନିଶାରେ ଯୋଗୀଙ୍କୁ ହତ୍ୟା ଧମକ ଦେଇଥିବା ଏହି ଯୁବକ ଜଣଙ୍କ ହେଲେ ମଲାବା ବୁଜର୍ଗ ଗାଁର ଅନିରୁଦ୍ଧ ପାଣ୍ଡେ । ସେ ଏକ ଘରୋଇ କଲେଜରେ ଏଲଏଲବି ଦ୍ୱିତୀୟ ବର୍ଷର ଛାତ୍ର । ରାତାରାତି ଫେମସ ହେବାକୁ ତାଙ୍କ ମୁଣ୍ଡରେ ଏହି ଉଦ୍ଭବ ଚିନ୍ତା ଆସିଥିଲା । ୟୁପି ମୁଖ୍ୟମନ୍ତ୍ରୀଙ୍କୁ ୫ ଦିନରେ ବୋମାରେ ଉଡ଼ାଇ ଦେବାକୁ ଧମକ ଦେଇଥିଲେ । ସୋଶାଲ ମିଡିଆରେ ଏନେଇ ସେ ପୋଷ୍ଟ କରିବା ସହ ୟୁପି ପୋଲିସ୍‌, ଜିଲ୍ଲାପାଳ ଓ STFକୁ ଟ୍ୟାଗ୍‌ କରିଥିଲେ।

ଏହାପରେ ତୁରନ୍ତ ୟୁପି ପୋଲିସ୍‌ ଆକ୍ସନ୍‌ ମୋଡକୁ ଆସିଯାଇଥିଲା । ଘନ ଘନ ବୈଠକ ସହ ଆରମ୍ଭ ହୋଇଥିଲା ତଦନ୍ତ । ଏହାପରେ ଅନିରୁଦ୍ଧଙ୍କ ଘରେ ଛାପା ମାରି ତାଙ୍କୁ ଉଠାଇ ନେଇଥିଲା । ସେଠାରେ ପଚରାଉଚରା ପରେ ତାଙ୍କୁ ଗିରଫ କରାଯାଇଥିବା ଜଣାଯାଇଛି ।

ଘଟଣାର ତଦନ୍ତ ଚାଲିଛି । ସେ ଫେମସ୍ ହେବାକୁ ଏମିତି କହିଥିଲେ ନା ଆଉ କିଛି କାରଣ ରହିଛି ତାହା ତଦନ୍ତ ପରେ ଜଣାପଡ଼ିବ । ହେଲେ, ମହାଶୟଙ୍କୁ ଏବେ କଲେଜ ପରିସରରେ ନୁହେଁ ଜେଲର ଚାରିକାନ୍ଥ ଭିତରେ ରହିବାକୁ ପଡ଼ିବ ।