ଇନଷ୍ଟାଗ୍ରାମରେ ସ୍ବାମୀଙ୍କୁ ଛାଡ଼ପତ୍ର ଦେଲେ ଦୁବାଇ ରାଜକୁମାରୀ


ନୂଆଦିଲ୍ଲୀ: ଦୁବାଇ ରାଜ ପରିବାରରୁ ଆସିଛି ବଡ଼ ଖବର । ରାଜକୁମାରୀ ଶେଖ ମହରା ମହମ୍ମଦ ରଶିଦ ଅଲ୍ ମାକତୁମ ତାଙ୍କ ସ୍ବାମୀ ଶେଖ ମନ୍ ବିନ୍ ମହମ୍ମଦ ବିନ୍ ରଶିଦ ବିନ୍ ମନ୍ ଅଲ୍ ମାକତୁମଙ୍କୁ ଛାଡ଼ପତ୍ର ଦେଇ ଦେଇଛନ୍ତି । ଏଥିପାଇଁ ସେ ସୋସିଆଲ ମିଡ଼ିଆ ଇନଷ୍ଟାଗ୍ରାମକୁ ବାଛିଥିଲେ । ଇନଷ୍ଟାଗ୍ରାମରେ ପୋଷ୍ଟ ଜରିଆରେ ରାଜକୁମାରୀ ଶେଖ ମହରା ତାଙ୍କ ସ୍ୱାମୀଙ୍କୁ ଛାଡ଼ପତ୍ର ଦେଇଥିବା ଜଣାପଡ଼ିଛି । 

ସୂଚନା ଅନୁସାରେ, ରାଜକୁମାରୀ ଶେଖ ମହରା ଜୁଲାଇ ୧୬ରେ ଏକ ଇନଷ୍ଟାଗ୍ରାମ ପୋଷ୍ଟ କରିଥିଲେ । ଯେଉଁଥିରେ ସେ ତାଙ୍କ ସ୍ୱାମୀଙ୍କୁ ସନ୍ଦେହ କରୁଥିବା ଜଣାପଡ଼ିଥିଲା । ସେ ତାଙ୍କ ପୋଷ୍ଟରେ ଲେଖିଥିଲେ, ‘ପ୍ରିୟ ସ୍ୱାମୀ, ତୁମେ ଅନ୍ୟ ସାଥୀଙ୍କ ସହ ବ୍ୟସ୍ତ, ତେଣୁ ମୁଁ ଏଠାରେ ଆମର ଛାଡପତ୍ର ଘୋଷଣା କରୁଛି । ଆଇ ଡିଭୋର୍ସ ୟୁ, ଆଇ ଡିଭୋର୍ସ ୟୁ ଆଣ୍ଡ୍ ଆଇ ଡିଭୋର୍ସ ୟୁ । ଟେକ୍ କେୟାର୍… ଇତି ତୁମର ପୂର୍ବ ପତ୍ନୀ ।’

ଇସଲାମିକ୍ ନିୟମରେ, ତୁରନ୍ତ ଛାଡ଼ପତ୍ର ଦେବାକୁ ‘ତଲାକ୍-ଇ-ବିଦ୍ଦତ୍’ କୁହାଯାଏ । ନିୟମ ଅନୁସାରେ, ସ୍ୱାମୀ ତିନି ଥର ତଲାକ୍ କହିଦେଲେ ଛାଡ଼ପତ୍ର ହୋଇଯାଏ । କିନ୍ତୁ ଦୁବାଇ ରାଜକୁମାରୀ ଇନଷ୍ଟାଗ୍ରାମ ପୋଷ୍ଟରେ ତିନି ଥର ଆଇ ଡିଭୋର୍ସ ୟୁ… ଲେଖି ଛାଡ଼ପତ୍ର ଦେଇଛନ୍ତି । 

ଇସଲାମିକ୍ ପରମ୍ପରା ଅନୁସାରେ, ଛାଡ଼ପତ୍ର ପାଇଁ ପୁରୁଷମାନେ ତଲାକ୍ କହୁଥିବା ବେଳେ ମହିଳାମାନେ ଖୁଲା ନାମକ ଏକ ଭିନ୍ନ ପ୍ରକ୍ରିୟା ମାଧ୍ୟମରେ ଛାଡ଼ପତ୍ର ପାଇପାରନ୍ତି । ଏଥିପାଇଁ ସେମାନଙ୍କୁ ତାଙ୍କ ସ୍ୱାମୀ କିମ୍ବା କୋର୍ଟରେ ଖୁଲା ଆବେଦନ କରିବାକୁ ପଡ଼ିଥାଏ । 

କେତେକ ପ୍ରାଧିକରଣରେ, ମହିଳାମାନେ ସେମାନଙ୍କର ବିବାହ ଚୁକ୍ତି (ନିକାହନାମା)ରେ ଏକ ଧାରା ଅନ୍ତର୍ଭୁକ୍ତ କରିପାରିବେ, ଯାହା ଫଳରେ ସେମାନେ ପରବର୍ତ୍ତୀ ସମୟରେ ତଲାକ୍ କହି ସ୍ୱାମୀଙ୍କଠାରୁ ଛାଡ଼ପତ୍ର ନେଇ ପାରିବେ । 

ପ୍ରକାଶ ଥାଉକି, ଶେଖ ମହରା ଶିଳ୍ପପତି ଶେଖ ମନ୍ ବିନଙ୍କୁ ମେ ୨୦୨୩ରେ ବିବାହ କରିଥିଲେ । ଦୁଇମାସ ତଳେ ସେମାନଙ୍କର ଏକ କନ୍ୟା ସନ୍ତାନ ଜନ୍ମ ହୋଇଥିଲା । କିଛିଦିନ ହେବ ରାଜକୁମାରୀ ଶେଖ ମହରା ସ୍ୱାମୀଙ୍କ ସହ କୌଣସି ଫଟୋ ପୋଷ୍ଟ କରୁ ନଥିଲେ । ଏପରିକି ଉଭୟ ଉଭୟଙ୍କୁ ଇନଷ୍ଟାଗ୍ରାମରେ ଅନଫଲୋ କରି ଦେଇଥିଲେ ।

ଶେଖ ମହରା ମହମ୍ମଦ ରଶିଦ ଅଲ୍ ମାକତୁମ ହେଉଛନ୍ତି ଦୁବାଇର ବର୍ତ୍ତମାନର ଶାସକ ଶେଖ ମହମ୍ମଦ ବିନ୍ ରସିଦ ଅଲ୍ ମାକତୁମଙ୍କ ଝିଅ । ସେ ବର୍ତ୍ତମାନ ଉପରାଷ୍ଟ୍ରପତି ତଥା ପ୍ରଧାନମନ୍ତ୍ରୀ ଭାବରେ ମଧ୍ୟ କାର୍ଯ୍ୟ କରୁଛନ୍ତି ।