ଦୁଇଦିନ ମଧ୍ୟରେ ଓଡ଼ିଶା ଆସିବ ଆଳୁ: ମନ୍ତ୍ରୀ


ଭୁବନେଶ୍ବର: ଆଳୁ କରୁଛି କାଲୁବାଲୁ । ଆଳୁର ଭାଉ କହିଲେ ନସରେ । ନାଲି ଆଖି ଦେଖାଉଛି, ଦର ପଚାରିବାକୁ ବି ଡର ଲାଗୁଛି । ଏ ହେଉଛି ଓଡ଼ିଶାରେ ଆଳୁ ବଜାରର ସ୍ଥିତି । ପରିବା ଦର ସହ ପୂରା ଦମରେ ଟକ୍କର ଦେଉଛି ଆଳୁ । କେଜି ୬୦ ଛୁଇଁଲାନି । ଦିନେ ଦୁଇଦିନ ମଧ୍ୟରେ ବଜାରକୁ ଆଳୁ ନଆସିଲେ ସେଞ୍ଚୁରୀ ମାରିବା ନିଶ୍ଚିତ । ଏମିତି ସ୍ଥିତିକୁ ନେଇ ସାଧରଣ ଲୋକେ ଚିନ୍ତାରେ ଥିବା ବେଳେ ଦୋକାନୀ ବି ହତାଶ । କାରଣ, ଆଳୁ ଦର ଯାହା, ଲୋକେ ଖାଇବା କଥା ଛାଡନ୍ତୁ, କିଣିବାକୁ ବି ଚିନ୍ତା କରୁନାହାନ୍ତି ।

ଏମିତି ସ୍ଥିତିରେ ରାଜ୍ୟ ସରକାରଙ୍କ ପକ୍ଷରୁ ଆଶ୍ବସ୍ତ କରିବା ଭଳି ଏକ ଖବର ଆସିଛି । ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି, ଦିନେ ଦୁଇ ଦିନ ଭିତରେ ଆଳୁକୁ ନେଇ ଉପୁଜିଥିବା ସମସ୍ୟାର ସମାଧାନ ହୋଇଯିବ । ପଶ୍ଚିମବଙ୍ଗ ଅଧିକାରୀଙ୍କ ସହ ଆମେ ଆଲୋଚନା କରିଛୁ । ୨୧ରୁ ୨୪ ତାରିଖ ଯାଏଁ ସେଠାରେ ଆନ୍ଦୋଳନ ଚାଲିଥିଲା । ଏବେ ପ୍ରତିବାଦ ବନ୍ଦ ହୋଇଛି । ଆସନ୍ତା ଦିନେ ଦୁଇଦିନ ଭିତରେ ଆଳୁ ଗାଡ଼ି ଓଡ଼ିଶା ଆସିବ ।

ଓଡ଼ିଶାରେ ୭ ଦିନ ପାଇଁ ଆଳୁ ମହଜୁଦ ଅଛି । ବ୍ୟବସାୟୀମାନେ ଯଦି କେଜି ପିଛା ଆଳୁ ୩୨ ଟଙ୍କାରୁ ଅଧିକ ଦରରେ ବିକିବେ ତାହା ହେଲେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ତାଗିଦ କରିଛନ୍ତି ମନ୍ତ୍ରୀ ।

ସୂଚନାରୁ ପ୍ରକାଶ, ଓଡ଼ିଶାକୁ ଆଳୁ ଦେବାକୁ ବାରଣ କରିଛନ୍ତି ପଶ୍ଚିବଙ୍ଗ ସରକାର । ଆଳୁ ଟ୍ରକକୁ ସୀମା ପାର କରାଇ ଦେଉନି ପଶ୍ଚିମବଙ୍ଗ ପୋଲିସ । ପଶ୍ଚିମଙ୍ଗରେ ଏଥର ଆଳୁ ଉତ୍ପାଦନ ଆବଶ୍ୟକ ମୁତାବକ ହୋଇ ନଥିବା ବେଳେ ନିଜ ଆବଶ୍ୟକତା ମେଣ୍ଟାଇବାକୁ ଆଳୁ ବାହାରକୁ ଛାଡ଼ୁ ନାହାନ୍ତି ସେଠାକାର ସରକାର । ଫଳରେ ଶତାଧିକ ଟ୍ରକ ଏବେ ଓଡ଼ିଶା ପଶ୍ଚିମବଙ୍ଗ ସୀମା ବାଲେଶ୍ୱର ଜିଲ୍ଲା ଲକ୍ଷ୍ମଣନାଥ ଟୋଲ୍ ଗେଟ୍‌ରେ ଅଟକି ରହିଛି । ଯାହାର ପ୍ରଭାବରେ ଓଡ଼ିଶାରେ ଉପର ମୁହାଁ ହୋଇଛି ଆଳୁ ଦର ।