ଜଳ ପ୍ରଳୟ: ହିମାଚଳରେ ବାଦଲ ଫଟା ବର୍ଷା ଜଣେ ମୃତ, ୨୮ ନିଖୋଜ


ଶିମଲା: ଉତ୍ତର ଭାରତରେ ଲଗାଣ ବର୍ଷା ତାଣ୍ଡବ ରଚୁଛି । ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ଯୋଗୁଁ ପରିସ୍ଥିତି ଜଟିଳ ହେବାରେ ଲାଗିଛି । ଏହାରି ଭିତରେ ହିମାଚଳ ପ୍ରଦେଶର ରାଜଧାନୀ ଶିମଲା ଓ ମଣ୍ଡିରେ ବାଦଲଫଟା ବର୍ଷା ହୋଇଛି । ଯାହା ଜଣଙ୍କ ଜୀବନ ନେଇଥିବା ବେଳେ ୨୮ ଜଣ ନିଖୋଜ ହୋଇଯାଇଛନ୍ତି ।

ଶିମଲାର ରାମପୁର ଅଞ୍ଚଳର ସମେଜ ଖଡ୍ଡ ଅଞ୍ଚଳରେ ପ୍ରବଳ ବର୍ଷା ଯୋଗୁଁ ଜଣଙ୍କ ଜୀବନ ଯାଇଛି । ସେହିପରି ମଣ୍ଡିର ପଧର ଉପମଣ୍ଡଳର ଥଲଟୁଖୋଡ ଅଞ୍ଚଳରେ ମଧ୍ୟ ବାଦଲଫଟା ବର୍ଷା ବଡ଼ ଧରଣର ଅଘଟଣ ଘଟାଇଛି । ପାଣିରେ ଭାସି ଯାଇ ଶିମଲାରେ ୧୯ ଜଣ ଓ ମଣ୍ଡିରେ ୯ ଜଣ ନିଖୋଜ ହୋଇଥିବା ସୂଚନା ମିଳିଛି । ଖବର ପାଇ ଘଟଣାସ୍ଥଳରେ ଉଦ୍ଧାରକାରୀ ଦଳ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି ।

ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ହିମାଚଳ ପ୍ରଦେଶର ବିଭିନ୍ନ ଅଞ୍ଚଳରେ ବାଦଲ ଫାଟିବା ଯୋଗୁଁ ହୋଇଥିବା କ୍ଷୟକ୍ଷତି ସମ୍ପର୍କରେ ହିମାଚଳ ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂହ ସୁଖୁଙ୍କ ସହ କଥା ହୋଇଛନ୍ତି । କେନ୍ଦ୍ର ସରକାରଙ୍କ ତରଫରୁ ସମସ୍ତ ପ୍ରକାରର ସହାୟତା ଯୋଗାଇ ଦେବାକୁ ସେ ପ୍ରତିଶ୍ରୁତି ଦେଇଛନ୍ତି । ପୂର୍ବତନ ସିଏମ ଜୟରାମ ଠାକୁର ଏବଂ ବିଜେପି ରାଜ୍ୟ ସଭାପତିଙ୍କ ସହ କଥା ହେବା ପରେ କେନ୍ଦ୍ରମନ୍ତ୍ରୀ ନାଡ୍ଡା ସମସ୍ତ ବିଜେପି କର୍ମୀଙ୍କୁ ରିଲିଫ କାର୍ଯ୍ୟରେ ନିୟୋଜିତ ହେବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ସେପଟେ ଉତ୍ତରାଖଣ୍ଡରେ ମଧ୍ୟ ବାଦଲଫଟା ବର୍ଷା ସାଙ୍ଗକୁ ଭୂସ୍ଖଳନ ହୋଇଛି । ଟିହରିର ଘନସାଲିରେ ବଦଲ ଫାଟିବା ଯୋଗୁଁ ୩ ଜଣଙ୍କ ମୃତ୍ୟୁ ହୋଇଛି । ବିଭିନ୍ନ ସ୍ଥାନରେ ଭୂସ୍ଖଳନ ଯୋଗୁ ରାସ୍ତା ବନ୍ଦ ହୋଇଯାଇଛି ।

ଏହା ବ୍ୟତୀତ କେଦାରନାଥ ପଦଯାତ୍ରା ମାର୍ଗରେ ଭୀମ ବାଲି ଗାଡେରାରେ ବାଦଲ ଫାଟିବା ପରେ ପ୍ରାୟ ୧୫୦ରୁ ୨୦୦ ଲୋକ ଫସି ରହିଛନ୍ତି । ଗତ ୨୪ ଘଣ୍ଟା ହେବ ଉତ୍ତରାଖଣ୍ଡରେ ଲଗାତାର ପ୍ରବଳ ବର୍ଷା ଜାରି ରହିଛି ।