ନୂଆଦିଲ୍ଲୀ: କୁସ୍ତିରୁ ସନ୍ନ୍ୟାସ ନେଲେ ଭିନେଶ ଫୋଗାଟ୍ । ପ୍ୟାରିସ ଅଲିମ୍ପିକରେ ନିଶ୍ଚିତ ରୌପ୍ୟ ପାଇଁ ସ୍ଥାନ ପକ୍କା କରିଥିବା ଏବଂ ସ୍ୱର୍ଣ୍ଣ ହାସଲ ପାଇଁ ଆଶା ବାନ୍ଧିଥିବା କୁସ୍ତିଯୋଦ୍ଧା ଭିନେଶ ଫୋଗଟ ଗତକାଲି ନିରାଶ ହେବା ପରେ କୁସ୍ତିକୁ କରିଛନ୍ତି ବାଏ ବଏ ।
ଗତକାଲିର ଘଟଣା ପରେ ଭନେଶ ସୋଶାଲ ମିଡିଆ ହ୍ୟାଣ୍ଡେଲ ଏକ୍ସରେ ଏକ ଭାବବିହ୍ୱଳ ପୋଷ୍ଟ ସେୟାର କରିଛନ୍ତି । ସେ ଲେଖିଛନ୍ତି, କୁସ୍ତି ଜିତିଗଲା, ଆଉ ମୁଁ ହାରିଗଲି । ଭାଙ୍ଗିଗଲା ଦେଶବାସୀଙ୍କ ସ୍ୱପ୍ନ ଓ ମୋର ସାହାସ । ମୋତେ କ୍ଷମା କରିବ, ତୁମର ସ୍ୱପ୍ନ, ମୋର ସାହସ ସବୁ ଭାଙ୍ଗିଗଲା । ମୋର ଆଉ ଅଧିକ ଶକ୍ତି ନାହିଁ । ବିଦାୟ କୁସ୍ତି ୨୦୦୧-୨୦୨୪ । କ୍ଷମା କରିବେ, ମୁଁ ସମସ୍ତଙ୍କ ପାଖରେ ସର୍ବଦା ଋଣି ରହିବି।
ଭିନେଶଙ୍କ ଏଭଳି ଅଚାନକ ସନ୍ନ୍ୟାସ ଘୋଷଣା କରିବାକୁ ନେଇ ସମସ୍ତେ ଚକିତ ହୋଇପଡିଛନ୍ତି । ପ୍ୟାରିସ ଅଲିମ୍ପିକ୍ସ-୨୦୨୪ରେ ଲଗାତର ଭିନେଶ ୩ଟି ମୁକାବିଲା ଜିତି ଫାଇନାଲ୍ରେ ପହଞ୍ଚିଥିଲେ । ଗତକାଲି ସେ ଫାଇନାଲ ମ୍ୟାଚ୍ ଖେଳିଥାନ୍ତେ । କିନ୍ତୁ ଏହା ପୂର୍ବରୁ ତାଙ୍କର ଧାର୍ଯ୍ୟ ସୀମାଠାରୁ ଅଧିକ ଓଜନ ଥିବା ଲାଗି ତାଙ୍କୁ ଅଯୋଗ୍ୟ ଘୋଷଣା କରାଯାଇଥିଲା ।
ମାତ୍ର ୧୦୦ ଗ୍ରାମ୍ ଅଧିକ ଓଜନ ପାଇଁ ତାଙ୍କୁ ଡିସ୍କ୍ୱାଲିଫାଏଡ୍ ଘୋଷଣା କରାଯାଇଥିଲା । ଫଳରେ ସେ ନିରାଶ ହୋଇଯାଇଥିଲେ । ଭାଙ୍ଗି ଯାଇଥିଲା ତାଙ୍କ ସ୍ୱର୍ଣ୍ଣ ଜିତିବା ସ୍ୱପ୍ନ । କିଛି ବୁଝିବା ପୂର୍ବରୁ ହାତମୁଠାରେ ଥିବା ଅଲିମ୍ପିକ୍ସ ପଦକ ଅଚାନକ ଖସି ଯାଇଥିଲା । ସାରା ଦେଶରେ ଏଥିନେଇ ଏବେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ଏହି ଅପ୍ରତ୍ୟାଶିତ ଖବରକୁ କେହି ବିଶ୍ୱାସ କରି ପାରୁନାହାନ୍ତି । ଏନେଇ ତଦନ୍ତ କରାଯିବାକୁ ମଧ୍ୟ ଦାବି କରାଯାଉଛି ।