ପ୍ୟାରିସ ଅଲିମ୍ପିକ୍ସ: ସ୍ପେନକୁ ୨-୧ ଗୋଲରେ ହରାଇ ବ୍ରୋଞ୍ଜ ଜିତି ଇତିହାସ ରଚିଲା ଭାରତ


ନୂଆଦିଲ୍ଲୀ: ଟୋକିଓ ଅଲିମ୍ପିକ୍ସର ଇତିହାସକୁ ପ୍ୟାରିସ ଅଲିମ୍ପିକ୍ସରେ ଦୋହରାଇଲା ଭାରତ । ବ୍ରୋଞ୍ଜ ମେଡାଲ ଲଢ଼େଇରେ ସ୍ପେନକୁ ୨-୧ ଗୋଲରେ ହରାଇ ପଦକକୁ କଲା କବଜା । ଦୀର୍ଘ ୫୨ ବର୍ଷ ପରେ ଭାରତ କ୍ରମାଗତ ଦ୍ୱିତୀୟ ଥର ପାଇଁ ଅଲିମ୍ପିକ୍ସରେ ପଦକ ଜିତିବାକୁ ସକ୍ଷମ ହୋଇଛି । ୧୯୬୮ ଓ ୧୯୭୨ ପରେ ଭାରତ ବ୍ରୋଞ୍ଜ ଜିତିଥିଲା ।

ଭାରତ ପକ୍ଷରୁ ଦୁଇଟି ଯାକ ଗୋଲ ଅଧିନାୟକ ହରମନପ୍ରୀତ ସିଂହ ଦେଇଛନ୍ତି । ସ୍ପେନ ଆଜିର ମ୍ୟାଚ୍‌ରେ ଆଗୁଆ ରହିଥିଲେ ହେଁ ଶେଷରେ ବିନା ପଦକରେ ପ୍ୟାରିସରୁ ବିଦାୟ ନେଇଛି ।

ଭାରତ ଏହି ବିଜୟ ସହ ଭେଟରାନ ଗୋଲକିପର ପିଆର ଶ୍ରୀଜେଶଙ୍କୁ ବିଦାୟ ଜଣାଇଛି । ପିଆର ଶ୍ରୀଜେଶ ଅଲିମ୍ପିକ୍ସ ପରେ ବିଦାୟ ନେବେ ବୋଲି ଘୋଷଣା କରିଥିଲେ । ଏବେ ସେ ଅଲିମ୍ପିକ୍ସ ପଦକ ସହ ନିଜର ପ୍ରିୟ ଖେଳ ହକିକୁ ଅଲବିଦା କହିଛନ୍ତି । 

ଟୋକିଓରେ ମଧ୍ୟ ପିଆର ଶ୍ରୀଜେଶ ଭାରତର ଗୋଲକିପର ରହିଥିଲେ । ଏହି ସମୟରେ ଭାରତ ଜର୍ମାନୀକୁ ହରାଇ ବ୍ରୋଞ୍ଜ ଜିତିଥିଲା । ଏବେ ଶ୍ରୀଜେଶଙ୍କ ଶେଷ ଅଲିମ୍ପିକ୍ସରେ ମଧ୍ୟ ଭାରତ ବ୍ରୋଞ୍ଜ ଜିତିଛି । ଟୋକିଓ ଭଳି ଆଜି ବ୍ରୋଞ୍ଜ ଜିତିବା ପରେ ମଧ୍ୟ ପିଆର ଶ୍ରୀଜେଶ ଗୋଲପୋଷ୍ଟ ଉପରେ ବସି ସେଲିବ୍ରେସନ କରିଛନ୍ତି । ତାଙ୍କୁ ଅଧିନାୟକ ହରମନପ୍ରୀତ ମଧ୍ୟ କାନ୍ଧରେ ବସାଇ ବୁଲାଇଛନ୍ତି । 

ଭାରତୀୟ ହକି ସହ ଶ୍ରୀଜେଶ ଦୀର୍ଘ ୧୮ ବର୍ଷ ହେଲା ରହି ଆସିଥିଲେ । ସେ ଇତି ମଧ୍ୟରେ ୩୩୫ଟି ମ୍ୟାଚ ଖେଳିଥିବା ବେଳେ ଅସଂଖ୍ୟ ଗୋଲ ସେଭ କରିଛନ୍ତି । ଭାରତୀୟ ଟିମର ଦ ୱାଲ ଭାବେ ପରିଚିତ ଶ୍ରୀଜେଶ ୨ଟି ଅଲିମ୍ପିକ୍ସ ପଦକ ମଧ୍ୟ ଜିତିବାକୁ ସକ୍ଷମ ହୋଇଛନ୍ତି । 

ଏହି ମ୍ୟାଚ୍‌ ବେଶ ସଂଘର୍ଷପୂର୍ଣ୍ଣ ଥିଲା । ପ୍ରଥମ କ୍ୱାର୍ଟରରେ ଉଭୟ ଦଳର ଶକ୍ତି ଓ ରଣନୀତିକୁ ତଉଲାଇଥିଲେ । ପରସ୍ପରକୁ ଉପରେ ଦେଖି ଚାହିଁ ଆକ୍ରମଣ କରିଥିଲେ । ଭାରତ ପାଖରେ ଅଧିକାଂଶ ସମୟ ବଲ ରହିଥିଲା । କିନ୍ତୁ ଏହି କ୍ୱାର୍ଟରରେ କେହି କାହାକୁ ଗୋଲ ଦେଇ ପାରି ନଥିଲେ । ଦ୍ୱିତୀୟ କ୍ୱାର୍ଟରରେ ଭାରତ ଆକ୍ରମଣ କରିଥିଲେ ହେଁ ୧୮ତମ ମିନିଟରେ ତ୍ରୁଟି କରିଥିଲେ । ଡି’ ଭିତରେ ମନଦୀପ ସିଂହ ଫାଉଲ କରିବାରୁ ସ୍ପେନକୁ ପେନାଲ୍ଟି ଷ୍ଟ୍ରୋକ ମିଳିଥିଲା । ଏହାକୁ ମାର୍କ ମିରାଲ୍ଲେସ ଗୋଲରେ ପରିଣତ ସ୍ପେନକୁ ୧-୦ ଆଗୁଆ କରିଦେଇଥିଲେ । ଭାରତ ସ୍ଥିତି ବରବାର କରିବାକୁ ଚେଷ୍ଟା କରିଥିଲେ ହେଁ ଦ୍ୱିତୀୟ କ୍ୱାର୍ଟରର ଶେଷ ମିନିଟ ଯାଏଁ ସଫଳତା ମିଳି ନଥିଲା ।

ଦ୍ୱିତୀୟ କ୍ୱାର୍ଟର ସରିବାକୁ ଆଉ କିଛି ସେକେଣ୍ଡ ଥିବା ବେଳେ ଭାରତକୁ ମିଳିଥିଲା ପେନାଲ୍ଟି କର୍ଣ୍ଣର । ଏହାକୁ ଅଧିନାୟକ ହରମନପ୍ରୀତ ସିଂହ ଗୋଲରେ ପରିଣତ କରି ହାଫ ଟାଇମ ପୂର୍ବରୁ ସ୍ଥିତି ୧-୧ କରି ଦେଇଥିଲେ । ତୃତୀୟ କ୍ୱାର୍ଟର ଆରମ୍ଭରୁ ଭାରତକୁ ଆଉ ଏକ ପିସି ମିଳିଥିଲା । ୩୩ତମ ମିନିଟରେ ହରମନପ୍ରୀତ ଉକ୍ତ ପିସିକୁ ଗୋଲରେ ପରିଣତ କରି ଭାରତକୁ ୨-୧ରେ ଆଗୁଆ କରି ଦେଇଥିଲା ।

କିଛି ସମୟ ପରେ ହରମନକୁ ହ୍ୟାଟ୍ରିକ ଗୋଲ କରିବାର ସୁଯୋଗ ମିଳିଥିଲେ ହିଁ ଏହାକୁ ଗୋଲରେ ପରିଣତ କରିପାରି ନଥିଲେ । ତୃତୀୟ କ୍ୱାର୍ଟର ସୁଦ୍ଧା ସ୍ଥିତି ଭାରତ ସପକ୍ଷରେ ୨-୧ରେ ରହିଥିଲା ।

୪ର୍ଥ କ୍ୱାର୍ଟରରେ ଭାରତ ଉପରେ ସ୍ପେନ ଘନଘନ ଆକ୍ରମଣ କରିଥିଲା । ଭାରତ ଅଧିକ ଡିଫେନ୍ସ କରିବାକୁ ଚେଷ୍ଟା କରିଥିଲା । ମ୍ୟାଚ୍‌ ସରିବାକୁ ୩ ମିନିଟ ବାକି ଥିବା ବେଳେ ସ୍ପେନ ତା’ର ଗୋଲକିପରଙ୍କୁ ହଟାଇ ଦେଇଥିଲା । ଏଥିସହ ଆକ୍ରମଣକୁ ଆହୁରି ଜୋରଦାର କରିଥିଲା ।

ହେଲେ ଭାରତୀୟ ଡିଫେନ୍ସ ଏହାକୁ ଅଟାଇକାଇବାକୁ ସକ୍ଷମ ହୋଇଥିଲା । ମ୍ୟାଚ୍‌ ସରିବାକୁ ୧ ମିନିଟ ୨୪ ସେକେଣ୍ଡ ଥିବା ବେଳେ ସ୍ପେନକୁ ପିସି ମିଳିଥିଲା । ପ୍ରଥମ ପ୍ରୟାସକୁ ଅମିତ ରୋହିଦାସ ଅଟକାଇ ଦେଇଥିଲେ । ତଥାପି ସ୍ପେନକୁ ପୁଣି ପିସି ମିଳିଥିଲା । ଏହାକୁ ପିଆର ଶ୍ରୀଜେଶ ଅଟକାଇଥିଲେ ହେଁ ସ୍ପେନ ରିଭ୍ୟୁ ନେଇଥିଲା । ହେଲେ ରିଭ୍ୟୁ ଖାରଜ ହୋଇଯାଇଥିଲା। 

ମ୍ୟାଚ ସରିବାକୁ ୪୪ ସେକେଣ୍ଡ ଥିବା ବେଳେ ସ୍ପେନକୁ ପୁଣି ଗୋଟିଏ ପିସି ମିଳିଥିଲା । ହେଲେ ଏହାକୁ ଅମିତ ଓ ଶ୍ରୀଜେଶ ଅଟକାଇ ଦେଇଥିଲେ । ଏଥିସହ ଭାରତ ମଧ୍ୟ ବ୍ରୋଞ୍ଜ ପଦକ ହାତେଇବାକୁ ସକ୍ଷମ ହୋଇଥିଲା ।