ଭୁବନେଶ୍ବର: ପ୍ୟାରିସ ଅଲିମ୍ପିକ୍ସରେ ବ୍ରୋଞ୍ଜ ପଦକ ଜିତିଥିବା ଭାରତୀୟ ହକି ଟିମ୍ ପାଇଁ ପୁରସ୍କାର ଘୋଷଣା କରିଛନ୍ତି ଓଡ଼ିଶା ସରକାର । ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଭାରତୀୟ ହକି ଦଳକୁ ସଫଳତା ପାଇଁ ଶୁଭେଚ୍ଛା ଜଣାଇବା ସହ ଟିମର ପ୍ରତ୍ୟେକ ଖେଳାଳିଙ୍କ ପାଇଁ ୧୫ ଲକ୍ଷ ଏବଂ ସପୋର୍ଟ ଷ୍ଟାଫଙ୍କ ପାଇଁ ୧୦ ଲକ୍ଷ ଲେଖାଏଁ ଟଙ୍କା ପୁରସ୍କାର ଘୋଷଣା କରିଛନ୍ତି । ଏହାସହ ପ୍ୟାରିସ ଅଲିମ୍ପିକ୍ସରେ ଭାରତୀୟ ହକି ଦଳରେ ପ୍ରତିନିଧିତ୍ବ କରୁଥିବା ଓଡ଼ିଆ ଖେଳାଳି ଅମିତ ରୋହିଦାସଙ୍କ ପାଇଁ ସ୍ବତନ୍ତ୍ର ଭାବେ ୪ କୋଟି ଟଙ୍କା ଘୋଷଣା କରିଛନ୍ତି ।
ସ୍ପେନ୍ ବିରୋଧରେ ବ୍ରୋଞ୍ଜ ପଦକ ପାଇଁ ହୋଇଥିବା ଲଢ଼େଇରେ ଅମିତ ରୋହିଦାସଙ୍କର ରହିଥିଲା ବଡ଼ ଯୋଗଦାନ । ସେ ଏକାଧିକ ଗୋଲ୍ରୁ ଦଳକୁ ରକ୍ଷା କରିଥିଲେ ।
ଲଗାତାର ଦୁଇଟି ଅଲିମ୍ପିକ୍ସରେ ପଦକ ଜିତି ଭାରତ ୫୨ ବର୍ଷ ତଳର ଇତିହାସକୁ ଦୋହରାଇଛି । ୨୦୨୦ ଟୋକିଓ ଅଲିମ୍ପିକ୍ସରେ ଜର୍ମାନୀକୁ ହରାଇ ଭାରତ ବ୍ରୋଞ୍ଜ ପଦକ ଜିତିଥିଲା । ଏହା ପୂର୍ବରୁ ୧୯୬୮ ଓ ୧୯୭୨ରେ ଭାରତ ବ୍ରୋଞ୍ଜ ଜିତିଥିଲା ।