ଭାରତକୁ ଶକ୍ତ ଧକ୍କା: ପ୍ୟାରିସ ପାରା ଅଲିମ୍ପିକ୍ସରୁ ପ୍ରମୋଦ ଭଗତ ଆଉଟ, ଡୋପ ଟେଷ୍ଟରେ ଧରାପଡ଼ି ସସପେଣ୍ଡ


ନୂଆଦିଲ୍ଲୀ: ପ୍ୟାରିସ ପାରା ଅଲିମ୍ପିକ୍ସ ପୂର୍ବରୁ ଭାରତକୁ ଶକ୍ତ ଧକ୍କା । ଡୋପ୍ ଟେଷ୍ଟରେ ଧରା ପଡ଼ି ୧୮ ମାସ ପାଇଁ ସସ୍‌ପେଣ୍ଡ ହେଲେ ପାରା ଅଲିମ୍ପିଆନ୍ ପ୍ରମୋଦ ଭଗତ । ଅନ୍ତର୍ଜାତୀୟ ପାରା ଅଲିମ୍ପିଆନ୍ ତଥା ବ୍ୟାଡମିଣ୍ଟନ ଖେଳାଳି ପ୍ରମୋଦ ଭଗତଙ୍କୁ ସସପେଣ୍ଡ କରିଛି ବିଶ୍ୱ ବ୍ୟାଡମିଣ୍ଟନ ଫେଡେରେସନ ।

ଡୋପିଂ ନିରୋଧୀ ନିୟମ ଉଲ୍ଲଂଘନ ଅଭିଯୋଗରେ ତାଙ୍କୁ ସସପେଣ୍ଡ କରାଯାଇଛି । ଫଳରେ ଚଳିତବର୍ଷ ପ୍ୟାରିସ୍ ପାରା ଅଲିମ୍ପିକ୍ସରେ ସେ ଭାଗ ନେଇପାରିବେନି ।

୨୦୨୦ ଟୋକିଓ ପାରା ଅଲିମ୍ପିକ୍ସରେ ସେ ସ୍ୱର୍ଣ୍ଣ ପଦକ ଜିତି ଭାରତ ପାଇଁ ଗୌରବ ଆଣିଥିଲେ । ହେଲେ ପ୍ୟାରିସ ପାରା ଅଲିମ୍ପିକ୍ସ ପୂର୍ବରୁ ପ୍ରମୋଦ ନିଲମ୍ବନ ହେବା ତାଙ୍କର ପଦକ ଆଶାକୁ ଧୂଳିସାତ କରିଦେଇଛି । ଓଡ଼ିଶାର ଗର୍ବ ତଥା ପ୍ରଥମ ଓଡ଼ିଆ ଖେଳାଳି ଭାବରେ ଭାରତର ଶ୍ରେଷ୍ଠ କ୍ରୀଡା ସମ୍ମାନ ‘ମେଜର ଧ୍ୟାନଚାନ୍ଦ ଖେଳ ରତ୍ନ ପୁରସ୍କାର’ ଲାଭ କରି ସାରିଛନ୍ତି ପାରାଲିମ୍ପିଆନ୍‌ ପ୍ରମୋଦ ଭଗତ । ମାତ୍ର ବିଡବ୍ଲ୍ୟୁଏଫର ଏଭଳି ନିଷ୍ପତ୍ତି ଆସିବା ପରେ ବରଗଡ଼ ଜିଲ୍ଲା, ଓଡ଼ିଶା ତଥା ପୂରା ଦେଶବାସୀଙ୍କ ମଧ୍ୟରେ ନିରାଶା ଭାବ ଖେଳିଯାଇଛି ।