ନୂଆଦିଲ୍ଲୀ: ଦେଶ ୭୮ତମ ସ୍ବାଧୀନତା ଦିବସ ପାଳନ କରୁଛି । ଲଲାକିଲ୍ଲାରେ ଜାତୀୟ ପତାକା ଉତ୍ତୋଳନ କରି ଦେଶବାସୀଙ୍କୁ ସ୍ବାଧୀନତା ଦିବସର ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସେ ବିଭିନ୍ନ ପ୍ରସଙ୍ଗରେ ଦେଶବାସୀଙ୍କୁ ଉଦବୋଧନ ଦେଇଥିବା ବେଳେ ନାରୀ ସୁରକ୍ଷାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି, ମହିଳାଙ୍କ ପ୍ରତି ହେଉଥିବା ଅପରାଧର ଶୀଘ୍ର ତଦନ୍ତ ଏବଂ ଦୋଷୀ ବିରୋଧରେ କଠୋର ଦଣ୍ଡର ଆବଶ୍ୟକତା ରହିଛି ।
କୋଲକାତାର ଆରଜି କର ମେଡିକାଲ କଲେଜ ଓ ହସ୍ପିଟାଲରେ ଜଣେ ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାକୁ ନେଇ ସମଗ୍ର ଦେଶରେ ଦେଖା ଦେଇଥିବା ଅସନ୍ତୋଷ ମଧ୍ୟରେ ଏପରି ଟିପ୍ପଣୀ ରଖିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ପ୍ରଧାନମନ୍ତ୍ରୀ କହିଛନ୍ତି, “ମହିଳାଙ୍କ ପ୍ରତି ହେଉଥିବା ହିଂସାକୁ ନେଇ ଜନସାଧାରଣ ଅସନ୍ତୁଷ୍ଟ ଅଛନ୍ତି, ଲୋକଙ୍କ ବିଶ୍ୱାସ ଫେରାଇ ଆଣିବା ପାଇଁ ଶୀଘ୍ର ତଦନ୍ତ ଏବଂ ଦଣ୍ଡର ଆବଶ୍ୟକତା ରହିଛି ।”
ସେ ଆହୁରି କହିଛନ୍ତି, “ମୁଁ ଆଜି ପୁଣି ଥରେ ଲାଲକିଲ୍ଲାରୁ ମୋର ଦୁଃଖ ପ୍ରକାଶ କରିବାକୁ ଚାହେଁ । ଏକ ସମାଜ ଭାବରେ ଆମକୁ ମହିଳାଙ୍କ ପ୍ରତି ହେଉଥିବା ଅତ୍ୟାଚାର ବିଷୟରେ ଗମ୍ଭୀର ଭାବରେ ଚିନ୍ତା କରିବାକୁ ପଡିବ । ଦେଶରେ ଏହା ବିରୋଧରେ ଅସନ୍ତୋଷ ରହିଛି । ମୁଁ ଏହି ଅସନ୍ତୋଷକୁ ଅନୁଭବ କରିପାରୁଛି । ଦେଶ, ସମାଜ ଏବଂ ରାଜ୍ୟ ସରକାରଙ୍କୁ ଏହାକୁ ଗୁରୁତର ସହ ନେବାକୁ ପଡିବ । ମହିଳାଙ୍କ ବିରୋଧରେ ହେଉଥିବା ଅପରାଧର ତ୍ୱରିତ ତଦନ୍ତ, ଏପରି ଆସୁରିକ କାର୍ଯ୍ୟ କରୁଥିବା ବ୍ୟକ୍ତିଙ୍କୁ କଠୋର ଦଣ୍ଡରେ ଦଣ୍ଡିତ କରାଯିବା ଉଚିତ୍ । ସମାଜରେ ଆତ୍ମବିଶ୍ୱାସ ସୃଷ୍ଟି କରିବା ପାଇଁ ଏହା ଗୁରୁତ୍ୱପୂର୍ଣ୍ଣ ।”
ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି ଯେ, ଏପରି ରାକ୍ଷସ ପ୍ରବୃତ୍ତିର ବ୍ୟକ୍ତିଙ୍କୁ ଦଣ୍ଡ ଦିଆଯାଏ, କିନ୍ତୁ ଏହା ସମ୍ବାଦରେ ଦେଖାଯାଏ ନାହିଁ, ଏକ କୋଣରେ ସୀମିତ ରହିଯାଏ । ବାସ୍ତବରେ ଏହାର ବ୍ୟାପକ ପ୍ରଚାର, ପ୍ରସାର ହେବା ଉଚିତ୍ । ଯାହା ଫଳରେ ଏପରି ପାପ କରୁଥିବା ବ୍ୟକ୍ତି ବୁଝିପାରିବେ ଯେ ସେମାନେ ଫାଶୀ ପାଇବାକୁ ଯୋଗ୍ୟ । ଏହି ଭୟ ସୃଷ୍ଟି କରିବା ଅତ୍ୟନ୍ତ ଜରୁରୀ ବୋଲି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ।