ନୂଆଦିଲ୍ଲୀ: କୋଲକାତାରେ ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣା ନିଆଁ ସମଗ୍ର ଦେଶରେ ବ୍ୟାପିବାକୁ ଲାଗିଛି । ଆଜି ଇଣ୍ଡିଆନ ମେଡିକାଲ ଆସୋସିଏଶନ ଦେଶବ୍ୟାପୀ ବିରୋଧ ପ୍ରଦର୍ଶନ କରୁଛି । ଏଥିଯୋଗୁଁ ରୋଗୀ ସେବା ଗୁରୁତର ଭାବେ ପ୍ରଭାବିତ ହେଉଛି । ଆଜି ସକାଳ ୬ଟାରୁ ଆସନ୍ତାକାଲି ସକାଳ ୬ଟା ପର୍ଯ୍ୟନ୍ତ ୨୪ ଘଣ୍ଟା କାଳ ଆନ୍ଦୋଳନ କରାଯାଉଛି । ଏହି ଧର୍ମଘଟରେ ପ୍ରଫେସର, ଡାକ୍ତର ଓ ଡାକ୍ତରୀ ଛାତ୍ରଛାତ୍ରୀ ସାମିଲ ହୋଇଛନ୍ତି । ଜରୁରୀକାଳୀନ ସେବାକୁ ଛାଡ଼ି ଦେଲେ ଓପିଡି, ଓଟି ଓ ଲ୍ୟାବ ସେବା ବୟକଟ ପାଇଁ ଆହ୍ବାନ ଦିଆଯାଇଛି ।
ଡାକ୍ତରୀ ଛାତ୍ରଛାତ୍ରୀଙ୍କ ଆନ୍ଦୋଳନ ଯୋଗୁଁ ଓଡ଼ିଶା ସମେତ ବି ଗୁଜରାଟ, କେରଳ, କର୍ଣ୍ଣାଟକା ସମେତ ଦେଶର ସବୁ ସହରରେ ସ୍ୱାସ୍ଥ୍ୟାବସ୍ଥା ବିପର୍ଯ୍ୟସ୍ତ ହୋଇ ପଡ଼ିଛି ।
ଧୀରେ ଧୀରେ ସ୍ଥିତି ବେକାବୁ ହେଉଥିବାରୁ କେନ୍ଦ୍ରମନ୍ତ୍ରୀ ସୁକାନ୍ତ ମଜୁମଦାର କହିଛନ୍ତି, ସିବିଆଇ ଏହି ଘଟଣାର ଯାଞ୍ଚ କରୁଛି । ଆମକୁ ଧୈର୍ଯ୍ୟର ସହ ଅପେକ୍ଷା କରିବାକୁ ପଡ଼ିବ । ଅପରାଧ ସ୍ଥଳରେ ଥିବା ପ୍ରମାଣ ନଷ୍ଟ କରାଯାଇ ନଥିଲେ ସିବିଆଇ ଠିକ୍ ଭାବେ ଯାଞ୍ଚ କରି ପ୍ରକୃତ ଦୋଷୀ ନିକଟରେ ପହଞ୍ଚିବ ବୋଲି ଆଶା କରୁଛୁ ।
ଏନେଇ IMA ପକ୍ଷରୁ କୁହାଯାଇଛି, କୋଲକତାର ଆରଜି କର କଲେଜରେ ଜଣେ ଟ୍ରେନି ଡାକ୍ତରଙ୍କ ପ୍ରତି ହୋଇଥିବା କ୍ରୂରତା ସମଗ୍ର ଦେଶକୁ ଦୋହଲାଇ ଦେଇଛି । ଏହାପରେ ଗତ ୧୪ ତାରିଖ ରାତିରେ ବିକ୍ଷୋଭ ପ୍ରଦର୍ଶନକାରୀ ଛାତ୍ରଙ୍କ ଉପରେ ମରଣାନ୍ତକ ଆକ୍ରମଣ ହୋଇଥିଲା । ଏହା ପ୍ରତିବାଦରେ ଆମେ ଦେଶବ୍ୟାପୀ ଆଜି ସକାଳ ୬ଟାରୁ ଆସନ୍ତାକାଲି ସକାଳ ୬ଟା ପର୍ଯ୍ୟନ୍ତ ଆନ୍ଦୋଳନରେ ବସିଛୁ ।