କାନପୁର/ସିଲଗୁଡ଼ି: ଦେଶରେ ଟ୍ରେନ୍ ଦୁର୍ଘଟଣା ନିତିଦିନିଆ ଘଟଣା ହୋଇଗଲାଣି । ପ୍ରାୟ ସବୁଦିନ କେଉଁଠୁ ନା କେଉଁଠୁ ଟ୍ରେନ ଦୁର୍ଘଟଣାର ଖବର ଆସୁଛି । ଗତକାଲି ରାତିରେ ଦୁଇ ଦୁଇଟି ଟ୍ରେନ ଲାଇନଚ୍ୟୁତ ହୋଇଛନ୍ତି । ଗୋଟିଏ ଦୁର୍ଘଟଣା ଉତ୍ତରପ୍ରଦେଶର କାନପୁରରେ ହୋଇଥିବା ବେଳେ ଆଉ ଗୋଟିଏ ପଶ୍ଚିମବଙ୍ଗର ସିଲଗୁଡ଼ିରେ ଘଟିଛି । ଦୁର୍ଘଟଣାର ଶିକର ଟ୍ରେନ ମଧ୍ୟରେ ଗୋଟିଏ ଏକ୍ସପ୍ରେସ ଓ ଅନ୍ୟଟି ମାଲବାହୀ ବୋଲି ଜଣାପଡ଼ିଛି । ଦୁର୍ଘଟଣାରେ କେହି ମୃତାହତ ହୋଇ ନାହାନ୍ତି ।
କାନପୁରରେ ଗତକାଲି ବିଳମ୍ବିତ ରାତିରେ ସାବରମତୀ ଏକ୍ସପ୍ରେସ ଲାଇନଚ୍ୟୁତ ହୋଇଛି । ଟ୍ରାକରେ ପଡ଼ିଥିବା ବଡ଼ ପଥର ମାଡ଼ ହେବାରୁ ଏହା ଟ୍ରାକରୁ ଖସିଯାଇଥିଲା । ଦୁର୍ଘଟଣା ଏତେ ତୀବ୍ର ଥିଲା ଯେ ଟ୍ରେନ୍ର ୧୨ଟି ବଗି ଲାଇନଚ୍ୟୁତ ହୋଇଛି । ମାତ୍ର ଏଥିରେ କେହି ମୃତାହତ ହୋଇଥିବାର ସୂଚନା ମିଳିନି ।
କାନୁପର-ଭୀମସେନ୍ ଷ୍ଟେସନ ମଝିରେ ଏହି ଦୁର୍ଘଟଣା ହୋଇଛି । ରାତି ପାଖାପାଖି ୨ଟା ୩୦ରେ ଏହି ଦୁର୍ଘଟଣା ହୋଇଥିବା ଜଣାପଡ଼ିଛି । ଘଟଣାସ୍ଥଳରେ ବରିଷ୍ଠ ଅଧିକାରୀ ପହଞ୍ଚି ଘଟଣାର ଅନୁଧ୍ୟାନ କରୁଛନ୍ତି । ରେଲୱେ ତରଫରୁ ଯାତ୍ରୀଙ୍କ ସୁବିଧାର ବନ୍ଦବୋସ୍ତ କରାଯାଇଛି । ଯାତ୍ରୀଙ୍କୁ ବସ୍ ଯୋଗେ କାନପୁର ପଠାଯାଇଛି । ବରିଷ୍ଠ ଅଧିକାରୀ ଦୁର୍ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟର ତଦାରଖ କରିଛନ୍ତି । ଯାତ୍ରୀଙ୍କ ସୁବିଧା ନିମନ୍ତେ ରେଳବାଇ ତରଫରୁ ହେଲପ୍ ଲାଇନ୍ ନମ୍ବର ଜାରି କରାଯାଇଛି ।
ସେହିପରି ଆଉ ଏକ ଦୁର୍ଘଟଣା ପଶ୍ଚିମବଙ୍ଗର ସିଲିଗୁଡ଼ିରେ ଘଟିଛି । ଯେଉଁଠାରେ ଇନ୍ଧନ ନେଇ ଯାଉଥିବା ଏକ ମାଲଗାଡ଼ି ଟ୍ରାକ୍ରୁ ଖସି ଯାଇଛି । ଏଥିଯୋଗୁଁ ଉକ୍ତ ଟ୍ରାକ୍ରେ ଟ୍ରେନ୍ ଚଳାଚଳ ବାଧାପ୍ରାପ୍ତ ହୋଇଛି ।