‘ଖାଇକେ ପାନ ବନାରସ ବାଲା…’ ଗୀତରେ ନାଚିବା ପଡ଼ିଲା ମହଙ୍ଗା, ୪ ପୋଲିସ କର୍ମଚାରୀ ସସପେଣ୍ଡ


ନାଗପୁର: ବଲିଉଡ଼ ଗୀତରେ ନାଚିବା ପୋଲିସ କର୍ମଚାରୀଙ୍କୁ ପଡ଼ିଲା ମହଙ୍ଗା । ତାହା ପୁଣି ଅଗଷ୍ଟ ୧୫ ସ୍ବାଧୀନତା ଦିବସରେ ଓ ଥାନା ଭିତରେ । ‘ଖାଇକେ ପାନ ବନାରସ ବାଲା’ ଗୀତରେ ପୋଲିସ କର୍ମଚାରୀ ଥାନା ଭିତରେ ନାଚୁଥିବା ଭିଡିଓ ଭାଇରାଲ ହେବା ପରେ ଆରମ୍ଭ ହୋଇଛି ଆକ୍ସନ । ୪ ପୋଲିସ କର୍ମଚାରୀଙ୍କୁ ସସପେଣ୍ଡ କରି ଦିଆଯାଇଛି । ଘଟଣାଟି ମହାରାଷ୍ଟ୍ରର ନାଗପୁର ଜିଲ୍ଲାର ତହସିଲ ପୋଲିସ ଷ୍ଟେସନର ।

ସ୍ବାଧୀନତା ଦିବସ ଦିନ ସକାଳ ୬ଟା ୪୫ରେ ଥାନାରେ ପତାକା ଉତ୍ତୋଳନ ସରିବା ପରେ ସେଠାକାର ପୋଲିସ କର୍ମଚାରୀମାନେ ବେଶ୍‌ ଖୁସି ଥିଲେ । ଏହାପରେ ଥାନା ଭିତରେ ବଡ ସ୍ପିକର ଲଗାଇ ମାଇକ୍‌ରେ ବଲିଉଡର ଫିଲ୍ମର ଗୀତ ଗାଇଥିଲେ । କେବଳ ସେତିକି ନୁହେଁ ହିନ୍ଦୀ ଫିଲ୍ମ ଗୀତ ‘ଖାଇକେ ପାନ ବନାରସ ବାଲା’ ଗୀତରେ ଖାକି ଡ୍ରେସରେ ଠୁମକା ମଧ୍ୟ ଲଗାଇଥିଲେ ।

ଏହି ଭିଡିଓ ଭାଇରାଲ ହେବା ପରେ ଏବେ ତାଙ୍କ ବିରୋଧରେ ବରିଷ୍ଠ ଅଧିକାରୀମାନେ ଆକ୍ସନ ନେଇଛନ୍ତି। ସର୍କଲ-୩ ଦାୟିତ୍ୱରେ ଥିବା ଡିସିପି ରାହୁଲ ମାଡାନେ ମଙ୍ଗଳବାର ଦିନ ଚାରିଜଣ ପୋଲିସ କର୍ମଚାରୀଙ୍କୁ ନିଲମ୍ବନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ନିଲମ୍ବିତ କର୍ମଚାରୀଙ୍କ ମଧ୍ୟରେ ତହସିଲ ପୋଲିସ ଷ୍ଟେସନର ଏଏସଆଇ ସଞ୍ଜୟ ପାଟଣକର, ହେଡ କନଷ୍ଟେବଳ ଅବଦୁଲ କୟୁମ ଗାଣି, ଭାଗ୍ୟଶ୍ରୀ ଗିରି ଏବଂ କନଷ୍ଟେବଳ ନିର୍ମଳା ଗାୱଲି ଅଛନ୍ତି ।

ପୋଲିସ ଏକ ଶୃଙ୍ଖଳିତ ଟିମ୍‌ ଅଟେ । ଅଫିସିଆଲ୍ ୟୁନିଫର୍ମ ପିନ୍ଧିବା ପରେ ପୋଲିସର ଭାବମୂର୍ତ୍ତି ସାଧାରଣ ଲୋକଙ୍କ ମଧ୍ୟରେ ସମ୍ମାନନୀୟ ହେବା ଉଚିତ୍ । ବରିଷ୍ଠ ଅଧିକାରୀମାନେ ଏ ବିଷୟରେ ସୂଚନା ଦେଇସାରିଛନ୍ତି । ଏହା ସତ୍ତ୍ୱେ ବି ଥାନା ଭିତରେ ଫିଲ୍ମ ଗୀତରେ ନାଚିବା ଦ୍ୱାରା ପୋଲିସର ଭାବମୂର୍ତ୍ତି କ୍ଷୁର୍ଣ୍ଣ ହୋଇଛି । ସେଥିପାଇଁ ଏହି ୪ ଜଣଙ୍କୁ ୩ ମାସ ପାଇଁ ନିଲମ୍ବିତ କରାଯାଇଥିବା ଡିସିପି ରାହୁଲ ମାଡାନେ କହିଛନ୍ତି ।