ତିରୁପତି: ହସ୍ପିଟାଲ ଭିତରେ ପୁଣି ଡାକ୍ତରଙ୍କୁ ଆକ୍ରମଣ । ସର୍ବସମ୍ମୁଖରେ ଜୁନିୟର ମହିଳା ଡାକ୍ତରଙ୍କୁ ପିଟିଲେ ରୋଗୀ । ଅନ୍ଧ୍ରପ୍ରଦେଶର ଏକ ସରକାରୀ ହସ୍ପିଟାଲରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।
କୋଲକାତାର ଆରଜି କର ମେଡିକାଲ କଲେଜ ଓ ହସ୍ପିଟାଲରେ ଜୁନିୟର ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟାକୁ ନେଇ ସାରା ଦେଶରେ ଡାକ୍ତରଙ୍କ ମଧ୍ୟରେ ଅସନ୍ତୋଷ ଜାରି ରହିଛି । ଏହି ସମୟରେ ଆନ୍ଧ୍ରପ୍ରଦେଶର ଏକ ଡାକ୍ତରଖାନାରେ ମହିଳା ଜୁନିୟର ଡାକ୍ତରଙ୍କୁ ଆକ୍ରମଣ ସ୍ଥିତିକୁ ଆଡୁରି ବିଗାଡି ଦେଇପାରେ ।
ଅନ୍ଧ୍ରପ୍ରଦେଶର ତିରୁପତି ଏସ୍ଭିଆଇଏମ୍ଏସ୍ ହସ୍ପିଟାଲରେ ମହିଳା ଇଣ୍ଟର୍ଣ୍ଣଙ୍କ ଉପରେ ଜଣେ ରୋଗୀ ଆକ୍ରମଣ କରିଛନ୍ତି । ହସ୍ପିଟାଲର ଏକ ଓ୍ୱାର୍ଡରେ ଡାକ୍ତରମାନେ ରୋଗୀଙ୍କୁ ଚିକିତ୍ସା କରୁଥିଲେ । ଏହି ସମୟରେ ଅଭିଯୁକ୍ତ ଜଣକ ଜୁନିୟର ମହିଳା ଡାକ୍ତରଙ୍କୁ ମାରିବାକୁ ଗୋଡାଇ ତାଙ୍କ ପଛୁରେ ଦୌଡିଥିଲେ । ଅନ୍ୟ ଡାକ୍ତର ଓ ରୋଗୀ ସେଠାରେ ଉପସ୍ଥିତ ଥିଲେ ମଧ୍ୟ ଅଭିଯୁକ୍ତ ଜଣକ କିଛି ଖାତିର କରି ନଥିଲେ । ଏହାପରେ ତାଙ୍କ ଉପରେ ଆକମ୍ରଣ କରି ତାଙ୍କ ବେକକୁ ରୋଗୀ ଜଣକ ଧରି ପକାଇଥିଲେ । ଫଳରେ ଜୁନିୟର ଡାକ୍ତର ଜଣକ ସେଠାରେ ଥିବା ଷ୍ଟ୍ରଚର ଉପରେ ପଡି ଯାଇଥିଲେ ।
ଏହି ପୂରା ଘଟଣା ହସ୍ପିଟାଲର ଓ୍ୱାର୍ଡରେ ଲାଗିଥିବା ସିସିଟିଭିରେ କଏଦ ହୋଇଛି । କେଉଁ କାରଣରୁ ରୋଗୀ ଜଣକ ମହିଳା ଜୁନିୟର ଡାକ୍ତରଙ୍କୁ ଏଭଳି ମାରିବାକୁ ଦୌଡି ଥିଲେ ସେ ନେଇ କୌଣସି ସୂଚନା ମିଳିନାହିଁ । ଘଟଣା ପରେ ହସ୍ପିଟାଲରେ ସୁରକ୍ଷା ଦାବିରେ ଡାକ୍ତରମାନେ ବିରୋଧ ପ୍ରଦର୍ଶନ କରିଛନ୍ତି । ସେମାନେ ହସ୍ପିଟାଲରେ ସୁରକ୍ଷିତ ଅନୁଭବ କରୁ ନଥିବା ଅଭିଯୋଗ କରିଛନ୍ତି ।