ପରକିୟାପ୍ରୀତି ସନ୍ଦେହ: ବିମାନ ବନ୍ଦର ସୁରକ୍ଷା ଭେଦ କରି କର୍ମଚାରୀଙ୍କ ଗଳା କାଟି ହତ୍ୟା


ବେଙ୍ଗାଲୁରୁ: ସ୍ତ୍ରୀ ସହ ବିମାନ ବନ୍ଦର କର୍ମଚାରୀଙ୍କ ପରକୀୟାପ୍ରୀତି ଥିବା ସନ୍ଦେହ । ବିମାନ ବନ୍ଦର ଭିତରେ ପଶି ବିମାନ କର୍ମଚାରୀଙ୍କ ଗଳା କାଟି ହତ୍ୟା କଲେ ଅଭିଯୁକ୍ତ ସ୍ବାମୀ । ଘଟଣା ଘଟିଛି ବେଙ୍ଗାଲୁରୁର କେମ୍ପେଗୌଡା ଅନ୍ତରାଷ୍ଟ୍ରୀୟ ବିମାନ ବନ୍ଦରରେ । ପୋଲିସ ଅଭିଯୁକ୍ତକୁ ଗିରଫ କରି ନେଇଚି ।

ସୂଚନା ମୁତାବକ, ଗରିଫ ଅଭିଯୁକ୍ତ ଜଣକ ହେଲେ ରମେଶ । ଅଭିଯୁକ୍ତ ବୁଧବାର ବ୍ୟାଗ୍ ଭିତରେ ଏକ ଧାରୁଆ ଅସ୍ତ୍ର ରଖି ବିଏମଟିସି ବସରେ ଚଢ଼ି ବିମାନ ବନ୍ଦରରେ ପହଞ୍ଚିଥିଲେ । ଏହି କାରଣରୁ ତାଙ୍କ ବ୍ୟାଗ ସ୍କାନ କରାଯାଇ ପାରି ନଥିଲା । ପରେ ସେ ଟର୍ମିନାଲ-୧ (ଲେନ୍) ଦେଇ ପାର୍କିଂ ଅଞ୍ଚଳ ଦେଇ ଶୌଚାଳୟରେ ପହଞ୍ଚିଥିଲେ । ସେଠାରେ ସେ ବିମାନ କର୍ମଚାରୀ ରାମକୃଷ୍ଣଙ୍କୁ ଛୁରୀରେ ଆକ୍ରମଣ କରିବା ସହ ତାଙ୍କ ଗଳା କାଟି ହତ୍ୟା କରିଥିଲେ ।

ପରକିୟାପ୍ରୀତିକୁ ନେଇ ଏହି ହତ୍ୟାକାଣ୍ଡ ଘଟିଥିବା ପୋଲିସ କହିଛି । ପତ୍ନୀ ସହ ରାମକୃଷ୍ଣଙ୍କ ଅନୈତିକ ସମ୍ପର୍କ ଥିବା ରମେଶ ସନ୍ଦେହ କରୁଥିଲେ । ଏହି କାରଣରୁ, ରମେଶ ଦୀର୍ଘ ଦିନ ହେବ ରାମକୃଷ୍ଣଙ୍କୁ ହତ୍ୟା କରିବାକୁ ସ୍ଥିର କରିଥିଲେ । ସେ ପୂର୍ବରୁ ଏକାଧିକ ଥର ରାମକୃଷ୍ଣଙ୍କ ଉପରେ ଆକ୍ରମଣ କରିବାକୁ ଯୋଜନା କରିଥିଲେ ମଧ୍ୟ ସୁଯୋଗ ପାଉ ନଥିଲେ । ଗତକାଲି ରାତିରେ ବିମାନ ବନ୍ଦରରେ ରାମକୃଷ୍ଣ କାମ କରୁଥିବା ବେଳେ ଏହାର ସୁଯୋଗ ନେଇ ରମେଶ ତାଙ୍କ ଉପରକୁ ଆକ୍ରମଣ କରିଥିବା ପୋଲିସ କହିଛି ।