Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ୟୁକୋ ବ୍ୟାଙ୍କରେ ନକଲି ସୁନାଋଣ ଦୁର୍ନୀତି: ନକଲି ଅଳଙ୍କାର ରଖି ୫୫ ଲକ୍ଷ ଟଙ୍କା ଆତ୍ମସାତ୍ :ଉଚ୍ଚ ସ୍ତରୀୟ ତଦନ୍ତ ଆରମ୍ଭ

ବାଲିଗୁଡା :(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ା ୟୁକୋ ବ୍ୟାଙ୍କରେ ବଡ଼ଧରଣର ସୁନା ଋଣ ଦୁର୍ନୀତି ପଦାକୁ ଆସିଛି। ବ୍ୟାଙ୍କରେ ସୁନା ଆପ୍ରାଇଜର ଭାବେ କାମ କରୁଥିବା ଜଣେ ବ୍ୟକ୍ତି ବ୍ୟାଙ୍କରେ ନକଲି ସୁନା ବନ୍ଧକ ରଖି ପ୍ରାୟ ୫୫ ଲକ୍ଷ ଟଙ୍କା ଋଣ ନେଇଥିବା ଜଣାପଡିଛି। ସୁନା ଆପ୍ରାଇଜର ଜଣକ ନିଜ ନାଁରେ ରଣ ନ ନେଇ ଅନ୍ୟ ୨ଜଣ ନାଁରେ ଏହି ଋଣ ନେଇଥିବାବେଳେ ସେମାନେ ଋଣ ସୁଝିନପାରିବା ପରେ ଘଟଣା ପଦାକୁ ଆସିଛି । ବନ୍ଧକ ପଡିଥିବା ସୁନା ଯାଞ୍ଚ ପରେ ତାହା ନକଲି ବୋଲି ଜଣାପଡିଥିଲା। ସୂଚନା ଅନୁଯାଇ ବାଲିଗୁଡ଼ା ୟୁକୋ ବ୍ୟାଙ୍କରେ ୩ବର୍ଷ ଧରି ପି. ସତ୍ୟରାମ ଆଚାରୀ ସୁନା ଆପ୍ରାଇଜର ଭାବେ ଦାୟିତ୍ୱ ତୁଲାଉଥିଲେ। ଏହାର ସୁଯୋଗ ନେଇ ସେ ଚତୁରତାର ସହ ନିଜର ସୁନା ଦୋକାନ ରେ କାମ କରୁଥିବା ୨ଜଣଙ୍କ ନାଁରେ ୨ଟି କିସ୍ତିରେ ପ୍ରାୟ ୫୫ ଲକ୍ଷ ଟଙ୍କାର ସୁନା ଋଣ ନେଇଥିଲେ। ଦୋକାନରେ କାମ କରୁଥିବା ଗରିବ ଝିଅ ରୁନୁବାଳା ପ୍ରଧାନଙ୍କ ଦସ୍ତଖତ ନେଇ ୨୦୨୧ରେ ୟୁକୋ ବ୍ୟାଙ୍କରେ ନକଲି ସୁନା ଅଳଙ୍କାର ବନ୍ଧକ ରଖି ସେ ୨୫ ଲକ୍ଷ ଟଙ୍କା ଋଣ ମଞ୍ଜୁର କରି ନେଇଥିଲେ। ପରେ ରୁନୁବାଳାଙ୍କ ଆକାଉଣ୍ଟରୁ ଟଙ୍କା ନିଜ ଆକାଉଣ୍ଟକୁ ନେଇଥିଲେ I ଦୀର୍ଘ ୩ବର୍ଷ ପରେ ଋଣ ଅବଧି ଶେଷ ହୋଇଯିବା ପରେ ବ୍ୟାଙ୍କ ପକ୍ଷରୁ ଗତ ଜୁଲାଇ ମାସରେ ଘଟଣାର ଖୋଳତାଡ଼ କରାଯାଇଥିଲା । ଯାଞ୍ଚ ବେଳେ ଋଣ ନେଇଥିବା ରୁନୁବାଳା ଋଣ ସୁଝିନଥିବା ଜଣାପଡିଥିଲା। ଏ ସଂକ୍ରାନ୍ତରେ ବ୍ୟାଙ୍କ ପକ୍ଷରୁ ତାଙ୍କୁ ନୋଟିସ୍ ଜାରି ହୋଇଥିଲା। ଦୋକାନରେ କାମ କରୁଥିବା ରୁନୁଙ୍କୁ ବ୍ୟାଙ୍କ ପକ୍ଷରୁ ୩୪ ଲକ୍ଷ ଟଙ୍କା ଋଣ ପରିଶୋଧ କରିବାକୁ ଜୁଲାଇ ମାସରେ ନୋଟିସ୍ ଜାରି ହୋଇଥିଲା । ସେ ଜଣେ ଗରିବ ପରିବାରର ହୋଇଥିବାରୁ ଏତେ ଟଙ୍କା ଋଣ କିଭଳି ନେବେ ବୋଲି କହିବା ପରେ ଘଟଣା ପଦାକୁ ଆସିଥିଲା। ଯାଞ୍ଚ ପରେ ଜାଲିଆତି କରି ନକଲି ସୁନା ଦେଇ ବିପୁଳ ପରିମାଣର ଋଣ ନିଆଯାଇଥିବା ଜଣାପଡିଥିଲା। ସେହିପରି ଜି.ସୀମାଞ୍ଚଳ ରେଡ୍ଡୀଙ୍କ ନାମରେ ମଧ୍ୟ ସୁନା ଆପ୍ରାଇଜର ପ୍ରାୟ ୩୦ଲକ୍ଷ ଟଙ୍କାର ଋଣ ନେଇଥିବା ଜଣାପଡିଛି। ଏଠରେ ନକଲି ସୁନା ଅଳଙ୍କାର ଦିଆଯାଇ ଏହି ସୁନା ଋଣ ନିଆଯାଇଥିବା ଜଣାପଡିଛି। ଏତେ ଟଙ୍କାର ଋଣ ପରିଶୋଧ ନ ହେବା ପରେ ବ୍ୟାଙ୍କ ପକ୍ଷରୁ ସେମାନଙ୍କ ଦ୍ବାରା ବ୍ୟାଙ୍କରେ ଦାଖଲ ହୋଇଥିବା ସୁନା ଅନ୍ୟ ଜଣେ ସୁନାରୀଙ୍କ ଦ୍ବାରା ଯାଞ୍ଚ ପରେ ତାହା ନକଲି ସୁନା ଅଳଙ୍କାର ବୋଲି ଜଣାପଡିଥିଲା। ଏହି ୫୫ଲକ୍ଷ ଟଙ୍କାର ଦୁର୍ନୀତି ପଛରେ ବ୍ୟାଙ୍କ କର୍ମଚାରୀଙ୍କ ହାତ ଥିବା ସନ୍ଦେହ କରାଯାଉଛି। ଇତିମଧ୍ଯରେ ସୁନା ଆପ୍ରାଇଜର ସତ୍ୟରାମ ଗତ ଜୁଲାଇ ମାସଠାରୁ ନିଜର ସୁନା ଦୋକାନ ବନ୍ଦ କରି କେଉଁଆଡ଼େ ଚାଲିଯାଇଥିବା ଜଣାପଡିଛି। ମଙ୍ଗଳବାର ଏହି ଘଟଣାର ତଦନ୍ତ କରିବାକୁ ଫୁଲବାଣୀ ୟୁକୋ ବ୍ୟାଙ୍କର ଆସିଷ୍ଟାଣ୍ଟ ମ୍ୟାନେଜର କାହ୍ନୁ ଚରଣ ସାହୁ ଓ ଭଞ୍ଜନଗରର ଜଣେ ସୁନାରି ବାଲିଗୁଡ଼ା ୟୁକୋ ବ୍ୟାଙ୍କକୁ ଆସି ମାମଲାର ତଦନ୍ତ କରିଛନ୍ତି। ସଂପୃକ୍ତ ସୁନାରି ସୁନା ଚିହ୍ନିବା ପରେ ବ୍ୟାଙ୍କର ଜୋନାଲ ଅଫିସକୁ ତଦନ୍ତ ରିପୋର୍ଟ ଦେଇଛନ୍ତି । ଘଟଣା ସମ୍ପର୍କରେ ଶାଖା ପରିଚାଳକଙ୍କୁ ପଚାରିବାରୁ ସେ କହିଛନ୍ତି, ଉକ୍ତ ଘଟଣା ସମ୍ପର୍କରେ ଉପରିସ୍ଥ ଅଧିକାରୀଙ୍କୁ ଅବଗତ କରାଯାଇଛି। ଉପରିସ୍ଥ ଅଧିକାରୀଙ୍କ ପକ୍ଷରୁ ଯାହା ନିର୍ଦ୍ଦେଶ ଆସିବ ସେ ନେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ବ୍ୟାଙ୍କ ପକ୍ଷରୁ ପୁଣି ଉକ୍ତ ସୁନାର ତନଖୀ କରାଯାଇ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି ବ୍ୟାଙ୍କ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ