ନୂଆଦିଲ୍ଲୀ: କୋଲକାତା ଆରଜି କର ମେଡିକାଲ କଲେଜ ଓ ହସ୍ପିଟାଲ ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣା ଏବେ ବିଶ୍ବରେ ଚର୍ଚ୍ଚାର ପ୍ରସଙ୍ଗ ପାଲଟିଛି । ୨୫ଟି ଦେଶର ୧୩୦ ସହରରେ ଏହି ଘଟଣାକୁ ନେଇ ପ୍ରତିବାଦ ଦେଖିବାକୁ ମିଳିଛି । ‘ଜଷ୍ଟିସ ଫର୍ ଅଭୟା’ ନାମରେ ସାରା ବିଶ୍ବରେ ଏହି ପ୍ରତିବାଦ କରାଯାଇଛି ।
ଆମେରିକା, ବ୍ରିଟେନ, କାନାଡା, ଆୟାରଲ୍ୟାଣ୍ଡ, ଜର୍ମାନୀ, ନେଦରଲ୍ୟାଣ୍ଡସ୍, ସୁଇଜରଲ୍ୟାଣ୍ଡ, ସୁଇଡେନ, ଚେକ୍, ସ୍ପେନ, ଅଷ୍ଟ୍ରେଲିଆ, ନ୍ୟୁଜିଲ୍ୟାଣ୍ଡ, ଜାପାନ, ତାଇୱାନ, ସିଙ୍ଗାପୁର ଆଦି ଦେଶରେ କରାଯାଇଛି ବିକ୍ଷୋଭ । ବିଭିନ୍ନ ଆନ୍ତର୍ଜାତିକ ସଂଗଠନ ପକ୍ଷରୁ ଏହି ଆହ୍ବାନ ଦିଆଯାଇଥିଲା ।
ସେହିପରି କୋଲକାତାରେ ବି ହଜାର ହଜାର ଲୋକ ନ୍ୟାୟ ଦାବି କରିଛନ୍ତି । କ୍ୟାଣ୍ଡେଲ୍ ରାଲି କରି ପ୍ରତିବାଦ କରିଯାଉଛି । ପ୍ରାୟ ମାସକ ତଳେ କୋଲକାତାର ଏହି ଘଟଣା ସାରା ଦେଶକୁ ଦୋହଲାଇ ଦେଇଥିଲା । କେବଳ ଡାକ୍ତର ନୁହଁନ୍ତି, ସାଧାରଣ ନାଗରିକ, ଛାତ୍ରଛାତ୍ରୀ, ମହିଳା, ସାମାଜିକ କର୍ମୀ ଆନ୍ଦୋଳନକୁ ଓହ୍ଲାଇଥିଲେ । ସ୍ଥିତି ଏପରି ହୋଇଥିଲା ଯେ ପଶ୍ଚିମବଙ୍ଗ ବିଧାନସଭାରେ ଦୋଷୀସାବ୍ୟସ୍ତ ଦୁଷ୍କର୍ମକାରୀଙ୍କୁ ଫାଶୀଦଣ୍ଡ ଦେବା ସଂକ୍ରାନ୍ତ ସ୍ବତନ୍ତ୍ର ବିଲ୍ ଅପରାଜିତା ପାସ୍ ହୋଇଥିଲା ।