ଆଜି ଆସିବ କେଜ୍ରିଓ୍ବାଲଙ୍କ ଜାମିନ ଆବେଦନର ରାୟ !


ନୂଆଦିଲ୍ଲୀ: ଦିଲ୍ଲୀ ମଦନୀତି ମାମଲାରେ ଆଜି ଆସିପାରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କ ଜାମିନ ଆବେଦନ ସଂକ୍ରାନ୍ତ ରାୟ । ଗତ ୫ ତାରିଖରେ ମାମଲାର ଶୁଣାଣି କରି ରାୟ ସଂରକ୍ଷିତ ରଖିଥିଲେ ସୁପ୍ରିମକୋର୍ଟ । ଶୁଣାଣି ବେଳେ ସିବିଆଇକୁ ସୁପ୍ରିମକୋର୍ଟ ଭର୍ତ୍ସନା କରିଥିଲେ । କେଜ୍ରିଓ୍ବାଲଙ୍କୁ ଦ୍ବିତୀୟ ଥର ଗିରଫ କରିବା ପୂର୍ବରୁ କୋର୍ଟଙ୍କ ଅନୁମତି କାହିଁକି ନିଆଗଲାନାହିଁ ବୋଲି ସର୍ବୋଚ୍ଚ ଅଦାଲତ ପ୍ରଶ୍ନ କରିଥିଲେ । ଜଷ୍ଟିସ ସୂର୍ଯ୍ୟକାନ୍ତ ଓ ଜଷ୍ଟିସ ଉଜ୍ବଳ ଭୂୟାଁଙ୍କ ନେତୃତ୍ବରେ ଗଠିତ ଖଣ୍ଡପୀଠ ମାମଲାର ଶୁଣାଣି କରିଥିଲେ ।

ମଦନୀତି ପ୍ରସଙ୍ଗରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ମାମଲାରେ କେଜ୍ରିଓ୍ବାଲଙ୍କୁ ଜାମିନ ମିଳିସାରିଛି । ମାତ୍ର ସିବିଆଇ ଗିରଫ କରିବା ଯୋଗୁଁ ତାଙ୍କୁ ଜାମିନ ମିଳିପାରିନାହିଁ। ଏକ ସ୍ପେଶାଲ ଲିଭ୍ ପିଟିସନ ଅନୁସାରେ ଉଭୟ ଗିରଫଦାରୀ ଓ ଅନ୍ୟ ରିମାଣ୍ଡ ଆଦେଶନାମା ବିରୋଧରେ ଆବେଦନ କରିଥିଲେ କେଜ୍ରିଓ୍ବାଲ । ସେପଟେ ସବିଆଇ ପକ୍ଷରୁ ଯୁକ୍ତି ଦର୍ଶାଯାଇଥିଲା ଯେ, ମଦନୀତି ମାମଲାରେ ରାଜନୈତିକ ସ୍ତରରେ ହଟଚମଟ ସୃଷ୍ଟି କରିବାକୁ କେଜ୍ରିଓ୍ବାଲ ଚାହୁଁଛନ୍ତି ।

ଗତ ମାର୍ଚ୍ଚ ୨୧ରେ କେଜ୍ରିଓ୍ବାଲଙ୍କୁ ଗିରଫ କରିଥିଲା ଇଡି । କେଜ୍ରିଓ୍ବାଲ ତିହାର ଜେଲରେ ଥିବା ବେଳେ ତାଙ୍କୁ ଗତ ଜୁନ ୨୫ରେ ଗିରଫ କରିଥିଲା ସିବିଆଇ । ଦିଲ୍ଲୀ ମଦନୀତି ମାମଲାରେ ଗତବର୍ଷ ଫେବୃଆରୀ ୨୬ରେ ଗିରଫ ହୋଇଥିବା ମନୀଷ ସିସୋଦିଆଙ୍କୁ ଗତ ଅଗଷ୍ଟ ୯ରେ ଜାମିନ ଦେଇଥିଲେ ସୁପ୍ରିମକୋର୍ଟ । ଗତବର୍ଷ ଅକ୍ଟୋବର ୪ରେ ଗିରଫ ସଞ୍ଜୟ ସିଂଙ୍କୁ ଏପ୍ରିଲ ୩ରେ ମିଳିଥିଲା ଜାମିନ । ସେହିପରି ଗତ ମାର୍ଚ୍ଚ ୧୫ରେ ଗିରଫ ବିଆରଏସ ନେତ୍ରୀ କେ. କବିତାଙ୍କୁ ଗତ ଅଗଷ୍ଟ ୨୭ରେ ସୁପ୍ରିମକୋର୍ଟ ଦେଇଥିଲେ ଜାମିନ ।