ଅସୁରକ୍ଷିତ ଭାରତୀୟ ରେଲଓ୍ବେ: ଟ୍ରେନକୁ ଲାଇନଚ୍ୟୁତ କରାଇ ଲୋକଙ୍କ ଜୀବନ ନେବାକୁ ଚାଲିଛି ଷଡଯନ୍ତ୍ର


ଭୁବନେଶ୍ବର: ବାରମ୍ବାର ଟ୍ରେନ ଦୁର୍ଘଟଣା ଖବର ନଜରକୁ ଆସୁଛି । ହେଲେ ଏବେ ଯେଉଁଭଳି ରେଳବାଇକୁ ନେଇ ଖବର ଆସିଛି ତାହା ଜାଣିଲେ ଆପଣ ବି ଆଚମ୍ବିତ ହୋଇଯିବେ । ବିଭିନ୍ନ ସ୍ଥାନରେ ରେଳ ଦୁର୍ଘଟଣା ଘଟାଇ ଲୋକଙ୍କ ଜୀବନ ନେବାକୁ ଷଡଯନ୍ତ୍ର ଚାଲିଛି । ଆମେ ଏମିତି କହିବାରର କାରଣ ବି ରହିଛି । କାରଣ ଗତ ଦୁଇ ଦିନ ମଧ୍ୟରେ ଦୁଇଟି ବଡ଼ ଦୁର୍ଘଟଣାରୁ ଭାରତୀୟ ରେଳ ବିଭାଗ ବର୍ତ୍ତି ଯାଇଛି । ଆଉ ଜାଣିଲେ ଆଶ୍ଚର୍ଯ୍ୟ ହେବେ, ଏପରି ସ୍ଥିତି କୌଣସି ତ୍ରୁଟିରୁ ହୋଇନାହିଁ । ବରଂ ରେଳ ଦୁର୍ଘଟଣା କରାଇ ଧନଜୀବନ ହାନୀ କରିବାକୁ ସୁଚିନ୍ତିତ ଷଡଯନ୍ତ୍ର କରାଯାଇଛି ।

ଆଜ୍ଞା ହଁ ଆମେ ଗତ ରବିବାର କାନପୁର ଘଟଣା ଓ ଗତ ରାତିର ଆଜମେର ଘଟଣା ଏହି ଦିଗକୁ ଇଙ୍ଗିତ କରୁଛି । କାରଣ ଏହି ଦୁଇ ସ୍ଥାନରେ ବଡ଼ ଦୁର୍ଘଟଣା ଟଳି ଯାଇଛି, ହେଲେ ଏହା ଅନେକ ପ୍ରଶ୍ନ ଛିଡ଼ା କରିଛି ।

କିଏ ରେଳ ଦୁର୍ଘଟଣା ଘଟାଇବାକୁ କରୁଛି ଷଡଯନ୍ତ୍ର ?

କାହିଁକି ରେଳ ବିଭାଗକୁ କରାଯାଉଛି ଟାର୍ଗେଟ ?

କାହା ଇଙ୍ଗିରେ ଟ୍ରେନ୍ ଟ୍ରାକରେ ଗ୍ୟାସ ସିଲିଣ୍ଡର ଓ କଂକ୍ରିଟ ଖଣ୍ଡ ରଖି ଟ୍ରେନ ଦୁର୍ଘଟଣା କରିବାକୁ ଚେଷ୍ଟା କରାଯାଉଛି ?

ଏହା ପଛରେ କାହାର ରହଛି ଷଡଯନ୍ତ୍ର ?

ରେଳ ବିଭାଗକୁ ଟାର୍ଗେଟ କରି କେନ୍ଦ୍ର ସରକାରଙ୍କୁ ବଦନାମ କରିବାକୁ ଚେଷ୍ଟା କରାଯାଉଛି କି ?

ଏପରି ଷଡଯନ୍ତ୍ର ପଛରେ ରହିଛି କି ଆତଙ୍କବାଦୀଙ୍କ ହାତ ?

ରାଜନୈତିକ ପଶାପାଲିରେ ରେଳ ବିଭାଗକୁ ହତିଆର ବନାଇ ସାଧାରଣ ଲୋକଙ୍କ ଜୀବନ ନେବାକୁ କେହି ଚକ୍ରାନ୍ତ କରୁଛି କି ?

ଏମିତି ଅନେକ ପ୍ରଶ୍ନ ଏହି ଦୁଇଟି ଘଟଣାକୁ ନେଇ ଉଙ୍କି ମାରିବାରେ ଲାଗିଛି ।

କହି ରଖୁଛୁ, ଗତ ରବିବାର କାନପୁରରେ ଟ୍ରାକ୍‌ରେ ଏକ ଗ୍ୟାସ ସିଲିଣ୍ଡର ରଖାଯାଇଥିବା ବେଳେ ପ୍ରୟାଗରାଜ-ଭିୱାନୀ କାଳିନ୍ଦୀ ଏକ୍ସପ୍ରେସ ତାହାକୁ ଧକ୍କା ଦେଇଥିଲା । ସେହିପରି ଗତ ରାତିରେ ଅଜମେରର ସରାଧନା ଓ ବାଁଗଡ଼ ଗ୍ରାମ ରେଲୱେ ଟ୍ରାକ୍‌ ମଝିରେ ବଡ଼ ବଡ଼ ସିମେଣ୍ଟ ଖଣ୍ଡ ରଖାଯାଇଥିଲା । ଏହାର ଓଜର ୭୦ କେଜି ବୋଲି ଜଣାପଡ଼ିଛି । ତେବେ ଦ୍ରୁତ ଗତିରେ ଥିବା ମାଲବାହୀ ଟ୍ରେନ୍‌ଟି ଉକ୍ତ ସିମେଣ୍ଟ ଖଣ୍ଡକୁ ଧକ୍କା ଦେଇ ଆଗକୁ ବଢ଼ି ଯାଇଥିଲା । ସୌଭାଗ୍ୟକୁ ଏହା ଲାଇନଚ୍ୟୁତ ହୋଇ ନଥିଲା । ଉକ୍ତ ମାଲଗାଡ଼ିଟି ପୁଲେରାରୁ ଅହମ୍ମଦାବାଦ ଅଭିମୁଖେ ଯାଉଥିଲା।

ଏନେଇ ମାଙ୍ଗଲିୟାବାସ ଥାନାରେ ଆରପିଏଫ ପକ୍ଷରୁ ଅଭିଯୋଗ ହୋଇଥିବା ବେଳେ ପୋଲିସ୍‌ ଘଟଣାର ତଦନ୍ତ ଅରମ୍ଭ କରିଛି । ଟ୍ରେନ୍‌କୁ ଲାଇନଚ୍ୟୁତ୍‌ କରିବା ନିମନ୍ତେ କିଏ ଏପରି ସାଂଘାତିକ କାଣ୍ଡ ଘଟାଇଥିବା ଅନୁମାନ କରାଯାଉଛି ।

ପୋଲିସ୍‌ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଏକ ଟ୍ରାକ୍‌ରେ ବଡ଼ବଡ଼ ସିମେଣ୍ଟ ଖଣ୍ଡ ଚୁରମାର ହୋଇ ପଡ଼ିଥିବା ଦେଖିବାକୁ ପାଇଥିଲା । ଏହାପରେ ଅପର ପାର୍ଶ୍ୱରେ ଥିବା ଏକ ଟ୍ରାକ୍‌ରେ ବି ସମାନ ସାଇଜର ସିମେଣ୍ଟ ଖଣ୍ଡ ପଡ଼ିଥିବା ଦେଖିବାକୁ ମିଳିଥିଲା । ତୁରନ୍ତ ଉକ୍ତ ଦୁଇ ଲାଇନ୍‌ରେ ରେଳ ଚଳାଚଳ ବନ୍ଦ କରି ସିମେଣ୍ଟ ଖଣ୍ଡଗୁଡ଼ିକୁ ବାହାର କରାଯାଇଥିଲା । ଏହାପରେ ଟ୍ରେନ୍‌ ଚଳାଚଳ ସ୍ୱାଭାବିକ ହୋଇଥିଲା।

ଗତ ରବିବାର ରାତିରେ ପ୍ରୟାଗରାଜ-ଭିୱାନୀ କାଳିନ୍ଦୀ ଏକ୍ସପ୍ରେସ କାନପୁରର ଶିବରାଜପୁର ଅଞ୍ଚଳ ଅତିକ୍ରମ କରୁଥିବା ବେଳେ ରେଳ ଧାରଣା ଉପରେ ରଖାଯାଇଥିବା ଏକ ଗ୍ୟାସ ସିଲିଣ୍ଡରକୁ ଧକ୍କା ଦେଇଥିଲା । ତେବେ ଏଥିରେ ଟ୍ରେନ୍‌ର ଅବା ଟ୍ରେନ୍‌ରେ ଥିବା ଯାତ୍ରୀମାନଙ୍କର କୌଣସି କ୍ଷତି ହୋଇ ନ ଥିଲା । ଏହା ପଛରେ କୌଣସି ବଡ଼ ଷଡ଼ଯନ୍ତ୍ର ଥିଲା ବୋଲି କାନପୁର ପୋଲିସ ସନ୍ଦେହ କରି ତଦନ୍ତ ଆରମ୍ଭ କରିଥିଲା । କାରଣ ଗ୍ୟାସ ସିଲିଣ୍ଡର ବ୍ୟତୀତ ଉକ୍ତ ସ୍ଥାନରୁ ଏକ ବୋତଲ ପେଟ୍ରୋଲ, କିଛି ବିସ୍ଫୋରକ ଓ ଦିଆସିଲି ବକ୍ସ ମିଳିଥିଲା । ଏବେ ରାଜସ୍ଥାନରେ ସମାନ ଘଟଣା ଘଟିବା ପରେ ଏହା ପଛରେ ଷଡଯନ୍ତ୍ର ଥିବା ଅନୁମାନ କରାଯାଉଛି । ଅର୍ଥାତ ଟ୍ରେନ୍‌କୁ ଲାଇନ୍‌ଚ୍ୟୁତ କରିବା ସହ ଧନଜୀବନ ହାନୀ ନିମନ୍ତେ ଏପରି ଭୟଙ୍କର ଷଡଯନ୍ତ୍ର କରାଯାଇଥିବାର ଦୁର୍ଗନ୍ଧ ବାରି ହୋଇପଡ଼ୁଛି ।