ନକ୍ସଲଙ୍କ ହାତରେ ରକେଟ, ଟାର୍ଗେଟରେ ଯବାନଙ୍କ କ୍ୟାମ୍ପ


ବିଜାପୁର: ଛତିଶଗଡ ବିଜାପୁରରେ ଯବାନଙ୍କ କ୍ୟାମ୍ପ ଉପରେ ନକ୍ସଲଙ୍କ ଆଖିବୁଜା ରକେଟ୍ ମାଡ଼ । ୨୦ ରାଉଣ୍ଡ ୟୁବିଜିଏଲ୍ ମାଡ଼ କରିଛନ୍ତି ମାଓବାଦୀ । ଯବାନଙ୍କ ପାଲଟା ଗୁଳି ଚାଳନା ପରେ ଛତ୍ରଭଙ୍ଗ ଦେଇ ନକ୍ସଲ ପଳାଇ ଯାଇଛନ୍ତି । ଏହି ଘଟଣାରେ କେହି ମୃତାହତ ହୋଇ ନଥିବା ଜଣାଯାଇଛି ।

ଗତକାଲି ବିଳମ୍ବିତ ରାତିରେ ଘଟିଛି ଏହି ଘଟଣା । ମାଓନେତା ହିଡମାଙ୍କ ଗାଁ ହେଉଛି ପୂର୍ବତି । ଉକ୍ତ ଗାଁରେ ପ୍ରାୟ ମାସେ ହେବ ସିଆରପିଏଫ୍ ପକ୍ଷରୁ କ୍ୟାମ୍ପ ସ୍ଥାପନ କରାଯାଇଛି । ଏହା ଏକ ମାଓବାଦୀ ପ୍ରବଣ ଅଞ୍ଚଳ ହୋଇଥିବାରୁ ପ୍ରାୟ ଶହେରୁ ଊର୍ଦ୍ଧ୍ୱ ଯବାନ ଏଠାରେ ମୁତୟନ ହୋଇଥିଲେ ।

ସେମାନେ ଆଖପାଖ ଅଞ୍ଚଳରେ ମାଓବାଦୀଙ୍କ ଗତିବିଧି ଉପରେ ନଜର ରଖୁଥିବା ବେଳେ ସର୍ଚ୍ଚ ଅପରେସନ ଚଳାଉଥିଲେ । ମାତ୍ର ମାସକ ମଧ୍ୟରେ ଏହା ସେମାନଙ୍କ କ୍ୟାମ୍ପ ଉପରେ ପ୍ରଥମ ରକେଟ ମାଡ଼ ।

ସ୍ଥାନୀୟ ବାସିନ୍ଦାଙ୍କ ସୂଚନା ଅନୁଯାୟୀ, ଗତ ରାତିରେ ବହୁ ସଂଖ୍ୟାରେ ମାଓବାଦୀ ଆସି କ୍ୟାମ୍ପ ଉପରକୁ ରକେଟ ମାଡ଼ କରିଥିଲେ । ଫଳରେ ଆଖପାଖ ଅଞ୍ଚଳରେ ପ୍ରଚଣ୍ଡ ଶବ୍ଦ ହୋଇଥିଲା । ଏହାପରେ ମାଓବାଦୀମାନେ ତୁରନ୍ତ ଉକ୍ତ ସ୍ଥାନ ଛାଡ଼ି ଚାଲି ଯାଇଥିଲେ । ମାଓବାଦୀଙ୍କ ଏପରି ହିଂସ୍ର କାର୍ଯ୍ୟକଳାପ ପରେ ସିଆରପିଏଫ୍ ପକ୍ଷରୁ ସେମାନଙ୍କୁ ଧରିବାକୁ ବିଭିନ୍ନ ସ୍ଥାନରେ ଚଢ଼ାଉ ସହ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଛି ।