ରାସ୍ତାରେ ଜମିଥିବା ପାଣିରେ ବୁଡ଼ିଗଲା ଏସୟୁଭି, ଚାଲିଗଲା ଦୁଇ ବ୍ୟାଙ୍କ କର୍ମଚାରୀଙ୍କ ଜୀବନ


ନୂଆଦିଲ୍ଲୀ: ରେଲୱେ ଅଣ୍ଡର ବ୍ରିଜ୍‌ ତଳ ରାସ୍ତାରେ ଜମି ଥିବା ବର୍ଷା ପାଣିରେ ବୁଡ଼ିଗଲା ଏସୟୁଭି ଗାଡ଼ି । ଅକାଳରେ ଚାଲିଗଲା ଦୁଇ ଜୀବନ । ମୃତକଙ୍କ ମଧ୍ୟରେ ଜଣେ ଏଚଡିଏଫସି ବ୍ୟାଙ୍କ ମ୍ୟାନେଜର ଥିବା ବେଳେ ଅନ୍ୟ ଜଣେ କ୍ୟାସିୟର ବୋଲି ଜଣାଯାଇଛି । ଏପରି ଏକ ହୃଦୟ ବିଦାରକ ଘଟଣା ଦିଲ୍ଲୀର ପୁରୁଣା ଫରିଦାବାଦରେ ଘଟିଛି । ମୃତକ ଦ୍ୱୟ ହେଲେ ବ୍ୟାଙ୍କ ମ୍ୟାନେଜର ପୂଣ୍ୟଶ୍ରେୟ ଶର୍ମା ଏବଂ କ୍ୟାସିୟର ବିରାଜ ଦ୍ୱିବେଦୀ ।

ବ୍ୟାଙ୍କ ମ୍ୟାନେଜର ଗ୍ରେଟର ଫରିଦାବାଦରେ ରହୁଥିବା ବେଳେ ନିଜ ଏସୟୁଭି ଗାଡ଼ିରେ ବ୍ୟାଙ୍କ ଆସିଥିଲେ । ରାତିରେ କ୍ୟାସିୟର ବିରାଜ ଦ୍ୱିବେଦୀ ବି ଉକ୍ତ ଗାଡ଼ିରେ ମ୍ୟାନେଜରଙ୍କ ଘରକୁ ଯାଉଥିଲେ । ସେଠାରୁ ସେ ଆଜି ସକାଳେ ଦିଲ୍ଲୀ ଅଭିମୁଖେ ଯାଇଥାନ୍ତେ ।

ବିରାଜ ଦ୍ୱିବେଦୀ ଗାଡ଼ି ଚଳାଇ ଆସୁଥିବା ବେଳେ ଫରିଦାବାଦ ରେଲୱେ ଅଣ୍ଡର ବ୍ରିଜ ପାଖରେ ଖୁବ୍‌ ଗଭୀର ପାଣି ଥିବା ଜାଣିପାରି ନଥିଲେ । ଫଳରେ ଗାଡ଼ିଟି ବୁଡ଼ି ଯାଇଥିଲା ଓ ସେଥିରୁ ଉଭୟ ବାହାରି ପାରି ନଥିଲେ । ଫଳରେ ଗାଡ଼ି ଭିତରେ ହିଁ ଉଭୟଙ୍କ ମୃତ୍ୟୁ ଘଟିଥିଲା । ରାତି ପ୍ରାୟ ୧୧ଟା ପରେ ଏହି ଘଟଣା ଘଟିଛି ।

ବିଳମ୍ବିତ ରାତି ପର୍ଯ୍ୟନ୍ତ ମ୍ୟାନେଜର ଘରେ ନ ପହଞ୍ଚିବାରୁ ତାଙ୍କ ପତ୍ନୀ ଫୋନ୍‌ କରିଥିଲେ । ମାତ୍ର ଫୋନ୍‌ ସୁଇଚ୍‌ ଅଫ୍‌ ଆସିଥିଲା । ଏହାପରେ ବ୍ୟାଙ୍କର ଅନ୍ୟ ଜଣେ କର୍ମଚାରୀଙ୍କୁ ଯୋଗାଯୋଗ କରି ସେ ଘରୁ ବାହାରିଥିଲେ । ବାଟରେ ପୋଲିସ୍‌ ଥିବା ଦେଖି ସେ ଘଟଣା ସମ୍ପର୍କରେ ପଚାରିଥିଲେ ।

ପୋଲିସ୍‌ ଘଟଣା ସମ୍ପର୍କରେ କହିବାରୁ ସେ  ଘଟଣାସ୍ଥଳକୁ ଯାଇଥିଲେ । ସେଠାରେ ସେ ସ୍ୱାମୀଙ୍କ ଗାଡ଼ି ସମେତ ତାଙ୍କ ମୃତଦେହ ଦେଖିବାକୁ ପାଇଥିଲେ । ସଙ୍ଗେ ସଙ୍ଗେ ସେ ଏହି ଘଟଣାକୁ ବିଶ୍ୱାସ କରିପାରି ନଥିବା ବେଳେ ତାଙ୍କ ଛାତିପଟା କାନ୍ଦରେ ଚାରିଆଡ଼େ ଶୋକାକୂଳ ପରିବେଶ ସୃଷ୍ଟି ହୋଇଥିଲା । ଏହାପରେ ପୋଲିସ୍‌ ମୃତଦେହ ଦୁଇଟିକୁ ବ୍ୟବଚ୍ଛେଦ ପାଇଁ ପଠାଇଛି ।

ରାସ୍ତାରେ ଏତେ ଗଭୀର ଖାଲ ଥିବା ବେଳେ କୌଣସି ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଇ ନଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ମାତ୍ର ସେଠାରେ ବ୍ୟାରିକେଟ ସହ ସତର୍କ ସୂଚନା ଲଗା ଯାଇଥିବା ପୋଲିସ୍‌ କହିଛି ।

ଦୁର୍ଘଟଣା ଘଟିବାର କିଛି ସମୟ ପୂର୍ବରୁ ଉକ୍ତ ରାସ୍ତାରେ ଯିବାକୁ ପୋଲିସ୍‌ ଉଭୟଙ୍କୁ ବାରଣ କରିଥିଲା । ମାତ୍ର ସେମାନେ ଏହାକୁ ଖାତିର ନ କରି ଉକ୍ତ ରାସ୍ତାରେ ଚାଲି ଯାଇଥିବା ପୋଲିସ୍‌ ଅଧିକାରୀ ସୂଚନା ଦେଇଛନ୍ତି । ଏନେଇ ଏକ ମାମଲା ରୁଜୁ କରି ପୋଲିସ୍‌ ଘଟଣାର ତଦନ୍ତ ଆରମ୍ଭ କରିଛି ।