ଭୁବନେଶ୍ବର: ଆସନ୍ତା ୧୭ ତାରିଖରେ ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଜନତା ମୈଦାନରେ ସୁଭଦ୍ରା ଯୋଜନାର ଶୁଭାରମ୍ଭ କରିବେ । ପ୍ରଧାନମନ୍ତ୍ରୀଙ୍କ ଗସ୍ତ ସମୟରେ ପ୍ରବଳ ଭିଡ଼ ହେବାର ସମ୍ଭାବନା ଥିବାରୁ ଭୁବନେଶ୍ବର ମହାନଗର ନିଗମ (ବିଏମସି) ଅଞ୍ଚଳରେ ଥିବା ସମସ୍ତ ସ୍କୁଲ ଓ କଲେଜ ବନ୍ଦ ଘୋଷଣା କରିଛନ୍ତି ସରକାର । ଏହାସ ସରକାରୀ କାର୍ଯ୍ୟାଳୟ ପ୍ରଥମାର୍ଦ୍ଧ ବନ୍ଦ ରହିବ ବୋଲି ଘୋଷଣା କରାଯାଇଛି ।
ସୂଚନାଯୋଗ୍ୟ, ୧୭ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ । ଏହିଦିନ ମୋଦି ଓଡ଼ିଶା ଗସ୍ତରେ ଆସୁଛନ୍ତି । ଓଡ଼ିଶାରେ ସାଢ଼େ ୩ ଘଟଣା ରହିବେ ପ୍ରାଧାନମନ୍ତ୍ରୀ । ଏହି ଅବସରରେ ସେ ରାଜ୍ୟ ସରକାରଙ୍କ ସୁଭଦ୍ରା ଯୋଜନାର ଶୁଭାରମ୍ଭ କରିବା ସହ ମାଆଙ୍କ ବ୍ୟାଙ୍କ ଖାତାକୁ ୫ ହଜାର ଟଙ୍କା ଟ୍ରାନ୍ସଫର କରିବେ ।
କେବଳ ସୁଭଦ୍ରା ଯୋଜନା ନୁହେଁ, ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ଗ୍ରାମୀଣ)ର ପ୍ରଥମ କିଛି ହିତାଧିକାରୀଙ୍କୁ ବଣ୍ଟନ କରିବେ । ୬ ଲକ୍ଷ ଆବାସ ହିତାଧିକାରୀଙ୍କୁ ସେମାନଙ୍କର ଘରର ପ୍ରଥମ କିସ୍ତି ବାବଦରେ ୩୧୮୦ କୋଟି ଟଙ୍କା ସିଧାସଳଖ ତାଙ୍କର ବ୍ୟାଙ୍କ ଆକାଉଣ୍ଟକୁ ଡିଜିଟାଲ ମୋଡରେ ସ୍ଥାନାନ୍ତର କରିବେ । ଏହାସହିତ ଯୋଗ୍ୟ ହିତାଧିକାରୀଙ୍କୁ ପକ୍କା ଘର ଆବଣ୍ଟନ ସୁନିଶ୍ଚିତ କରିବା ଉଦ୍ଦେଶ୍ୟରେ ‘ଆବାସ+ ୨୦୨୪’ ଆପକୁ ପ୍ରଧାନମନ୍ତ୍ରୀ ଲୋକାର୍ପଣ କରିବେ । ଏହାବାଦ ଅନ୍ୟ କିଛି ପ୍ରକଳ୍ପର ଶୁଭାରମ୍ଭ ଓ ଭିତ୍ତିପ୍ରସ୍ତର ପକାଇବେ ।