Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ITER ସପକ୍ଷରେ ବାହାରିଲେ ହଜାର ହଜାର ଛାତ୍ର-ଛାତ୍ରୀ, ଟୁଇଟରରେ ଟ୍ରେଣ୍ଡ କରୁଛି #IsupportITER

ଭୁବନେଶ୍ଵର: ରାଜଧାନୀ ସ୍ଥିତ ଆଇଟିଇଆର କଲେଜରେ ଝାଡ଼ଖଣ୍ଡର ଜଣେ ୧୯ ବର୍ଷୀୟ ଛାତ୍ର ଅଭିଷେକ ରବିଙ୍କ ମୃତ୍ୟୁକୁ ନେଇ ରାଜନୀତି ଜୋର ଧରିଛି। ଘଟଣାରେ ଖଣ୍ଡଗିରି ପୋଲିସ ତଦନ୍ତ ଜାରି ରଖିଥିବା ବେଳେ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଟୁଇଟ୍ କରି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ହସ୍ତକ୍ଷେପ ଦାବି କରିଛନ୍ତି। ଅନ୍ୟପଟେ ସାମାଜିକ ଗଣମାଧ୍ୟମ ଟୁଇଟରରେ #IsupportITER ଟ୍ରେଣ୍ଡ କରିବାରେ ଲାଗିଛି। ଏହା ବର୍ତ୍ତମାନ ଟୁଇଟରେ ଚତୁର୍ଥ ସ୍ଥାନରେ ରହିଛି। ହଜାର ହଜାର ଛାତ୍ର-ଛାତ୍ରୀ ଆଇଟିଇଆର ସପକ୍ଷରେ ବାହାରିବା ସହ ଘଟଣାକୁ ନେଇ ରାଜନୀତି କରା ନ ଯାଉ ବୋଲି ଅପିଲ୍ କରିଛନ୍ତି।
ଖଣ୍ଡଗିରି ପୋଲିସ ଅନୁଯାୟୀ, ଅଭିଷେକ ସେପ୍ଟେମ୍ବର ୧୦ ତାରିଖରେ କଲେଜରେ ଆଡମିଶନ କରିଥିଲେ। ତେବେ ସେପ୍ଟେମ୍ବର ୧୩ ତାରିଖରେ ହୋଷ୍ଟେଲ ବିଲ୍ଡିଂରୁ ଖସି ପଡ଼ି ତାଙ୍କର ମୃତ୍ୟୁ ଘଟିଛି। ଡିସିପି ପ୍ରତୀକ ସିଂ କହିଛନ୍ତି, ପୋଲିସ ମାମଲାକୁ ଗମ୍ଭୀରତାର ସହ ଗ୍ରହଣ କରିଛି ଏବଂ ଆଇନ ତା ହିସାବରେ କାମ କରିବ।
ଅନ୍ୟପଟେ ଆଇଟିଇଆର ହଜାର ହଜାର ଛାତ୍ର-ଛାତ୍ରୀ ଘଟଣାରେ ରାଜନୀତି କରାଯାଉଥିବା କହିଛନ୍ତି। ସେମାନେ କହିଛନ୍ତି ଏହି ପ୍ରତିଷ୍ଠିତ କଲେଜରେ ବର୍ଷକୁ ୧୪ ହଜାରରୁ ୧୫ ହଜାର ପିଲା ପାଠ ପଢିଥାନ୍ତି। ସେହି ହିସାବରେ ଲକ୍ଷାଧିକ ଛାତ୍ର-ଛାତ୍ରୀ ଉତ୍ତୀର୍ଣ୍ଣ ହୋଇ ବିଭିନ୍ନ କ୍ଷେତ୍ରରେ ନିଜର ପରିଚୟ ସୃଷ୍ଟି କରିଛନ୍ତି। ଆଇଟିଇଆରର ଶିକ୍ଷା ପ୍ରଣାଳୀ ଏବଂ ଏହାର ଆନୁସଙ୍ଗିକ ସୁବିଧା ସହ ଅତୀତର ରେକର୍ଡ ଦେଖିଲେ ଏଠାରେ ଛାତ୍ର-ଛାତ୍ରୀଙ୍କ ସହ କୌଣସି ପ୍ରକାରର ଭେଦଭାବ କିମ୍ବା ଅନ୍ୟାୟ କରାଯାଉଥିବା ନଜିର ନାହିଁ। କିନ୍ତୁ ଆଗାମୀ ଦିନରେ ଝାଡ଼ଖଣ୍ଡ ନିର୍ବାଚନ ହେବାକୁ ଯାଉଛି। ନିର୍ବାଚନକୁ ଦୃଷ୍ଟିରେ ରଖି ଏବଂ ରାଜନୈତିକ ଫାଇଦା ଉଠାଇବା ପାଇଁ ହେମନ୍ତ ସୋରେନ ରାଜନୀତି କରୁଥିବା ଛାତ୍ର-ଛାତ୍ରୀମାନେ ଅଭିଯୋଗ କରିଛନ୍ତି।
ସାମାଜିକ ଗଣମାଧ୍ୟମ ଟୁଇଟରରେ #IsupportITER ଟ୍ରେଣ୍ଡ କରିବାରେ ଲାଗିଛି। ସ୍ଵତଃପ୍ରବୃତ ଭାବେ ଛାତ୍ର-ଛାତ୍ରୀ ସାଧାରଣ ଜନତା ଜଡ଼ିତ ହୋଇ ଆଇଟିଇଆର ସପକ୍ଷରେ ବାହାରିଛନ୍ତି। ଏହି ଇଞ୍ଜିନିୟରିଂ କଲେଜକୁ ବଦନାମ କରିବା ପାଇଁ ହୀନ ପ୍ରୟାସ କରାଯାଉଥିବା କହିଛନ୍ତି। ଟୁଇଟରରେ #IsupportITER ଧିରେ ଧିରେ ଉପରକୁ ଉଠି ଚତୁର୍ଥ ସ୍ଥାନରେ ପହଞ୍ଚି ଗଲାଣି। ଆଉ କିଛି ସମୟରେ ଏହା ଟପ୍ରେ ରହିବ ବୋଲି ଆଶା କରାଯାଉଛି।
ଛାତ୍ରଙ୍କର ମୃତ୍ୟୁକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଘରୋଇ ଇଞ୍ଜିନିୟରିଂର କର୍ତ୍ତୃପକ୍ଷ ତରଫରୁ କୁହାଯାଇଛି, ଛାତ୍ର ଜଣଙ୍କ କଲେଜ ଛାତରୁ ପଡ଼ି ଯାଇଥିଲେ। ତାଙ୍କୁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ତୁରନ୍ତ ଘଟଣାସଂପର୍କରେ ପରିବାର ଲୋକ ଓ ପୁଲିସକୁ ଜଣାଇ ଦିଆଯାଇଥିଲା।
କଲେଜ କର୍ତ୍ତୃପକ୍ଷ ଆହୁରି କହିଛନ୍ତି ଯେ, ପରିବାର ଲୋକଙ୍କ ଉପସ୍ଥିତିରେ ଛାତ୍ରଙ୍କର ଶବ ବ୍ୟବଚ୍ଛେଦ କରାଯାଇଥିଲା। ବ୍ୟବଚ୍ଛେଦ ରିପୋର୍ଟରେ ଏହା ଆତ୍ମହତ୍ୟା ବୋଲି ସ୍ପଷ୍ଟ ହୋଇଥିଲା। ପୁଲିସ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି। ସୂଚନାଯୋଗ୍ୟ, ଗତ ୧୦ ତାରିଖରେ ଜାଗମରା ସ୍ଥିତ ଘରୋଇ କଲେଜରେ ନାଁ ଲେଖାଇଥିଲେ ଝାଡ଼ଖଣ୍ଡର ଛାତ୍ର। ନାମଲେଖାର ମାତ୍ର ୩ ଦିନ ପରେ ଛାତ୍ରଙ୍କ ଛାତରୁ ପଡ଼ି ମୃତ୍ୟୁ ହୋଇଥିଲା।