ଗଣେଶ ବିସର୍ନ ବେଳେ ବାଣ ନିଆଁ ପଡ଼ି ୧୦ ମହିଳା ଗୁରୁତର


ନାଗପୁର: ମହାରାଷ୍ଟ୍ରର ନାଗପୁରରେ ଗଣେଶ ମୂର୍ତ୍ତି ବିସର୍ଜନ ବେଳେ ପ୍ରବଳ ଗହଳିକୁ ବେଖାତିର କରି ଫୁଟିଲା ବାଣ । ଯାହାର ପରିଣାମ ଭୋଗିବାକୁ ପଡ଼ିଲା ବିସର୍ଜନ ଉତ୍ସବ ଦେଖିବାକୁ ଆସିଥିବା ଲୋକଙ୍କ ଉପରେ । ବାଣ ନିଆଁ ପଡ଼ି ପ୍ରାୟ ୧୦ ଜଣ ମହିଳା ଆହତ ହୋଇଛନ୍ତି । ସେମାନଙ୍କ ଶରୀରର ବିଭିନ୍ନ ସ୍ଥାନ ପୋଡ଼ି ଯାଇଛି । ଅଘଟଣ ପରେ ଲୋକଙ୍କ ମଧ୍ୟରେ ଧାଁ ଦୌଡ଼ ଆରମ୍ଭ ହୋଇଯାଇଥିଲା । ପ୍ରବଳ ଭିଡ଼ ଥିବାରୁ ଦଳାଚକଟା ମଧ୍ୟ ହୋଇଥିଲା । ସୌଭାଗ୍ୟକୁ ଦଳାଚକଟାରେ କାହାର ଜୀବନ ଯାଇ ନଥିଲେ ବି ବାଣ ନିଆଁ ପଡ଼ି ଗୁରୁତର ମହିଳାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି ।

ଗୁରୁବାର ରାତିରେ ନାଗପୁର ଉମରେଡ ଅଞ୍ଚଳରେ ଗଣେଶ ବିସର୍ଜନ ଶୋଭାଯାତ୍ରା ଚାଲିଥିଲା । ଏଥିରେ ବହୁ ସଂଖ୍ୟାରେ ପୁରୁଷ, ମହିଳା, ଛୋଟ ପିଲା ସାମିଲ ହୋଇଥିଲେ । ପ୍ରୋସେସନ ଚାଲିଥିବା ବେଳେ ନାଚ, ଗୀତରେ ଦୁଲୁକୁଥିଲା ରାସ୍ତା । ଏଥିସହ ଆତସବାଜି କାର୍ଯ୍ୟକ୍ରମ ବି ଆୟୋଜିତ ହେଉଥିଲା ।

ଏହି ସମୟରେ କେହି ବାଣ ଫୁଟାଇଥିବା ବେଳେ ନିଆଁ ଭିଡ଼ ଉପରେ ପଡ଼ିଥିଲା । ଏହାପରେ ଲୋକେ ଚାରି ଆଡ଼େ ଧାଁଦୌଡ଼ ଆରମ୍ଭ ହୋଇଯାଇଥିଲା । ଲୋକେ ତଳେ ପଡ଼ି ଯାଇଥିବା ବେଳେ ଅନ୍ୟମାନେ ତାଙ୍କ ଉପରେ ଚଢ଼ି ଚାଲିଯାଉଥିବା ମଧ୍ୟ ଦେଖିବାକୁ ମିଳିଥିଲା । ଏଥିରେ ପ୍ରାୟ ୧୦ ଜଣ ମହିଳା ଗୁରୁତର ଆଡତ ହୋଇଛନ୍ତି । ସମସ୍ତଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ରହିଛି । ଖବର ପାଇବା ପରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଏହାସହ ପୋଲିସ ଘଟଣାକ ନେଇ ଏକ ମାମଲା ରୁଜୁ କରିବା ସହ ପୂଜା କମିଟି ସଦସ୍ୟଙ୍କୁ ପଚରାଉଚରା କରୁଛି ।