ଇନ୍ଦୋର: ଦଶହରା ପାଇଁ ଆରମ୍ଭ ହୋଇଗଲାଣି ଚାରିଆଡ଼େ ନବରାତ୍ରୀ ଧୁମ୍ । ଗରବା ଡ୍ୟାନ୍ସ ପାଇଁ ଜମିଲାଣି ଭିଡ଼ । ହେଲେ ଗରବା ପେଣ୍ଡାଲକୁ ପ୍ରବେଶ କରିବାକୁ ହେଲେ ପିଇବାକୁ ପଡିବ ଗୋମୂତ୍ର । ଏଭଳି କିଛି ବିବାଦୀୟ ପ୍ରସ୍ତାବ ଦେଇଛନ୍ତି ବିଜେପିର ଇନ୍ଦୋର ଜିଲ୍ଲା ସଭାପତି ଚିଣ୍ଟୁ ବର୍ମା । ନବରାତ୍ରୀ ଉତ୍ସବରେ ଅଣ ହିନ୍ଦୁମାନଙ୍କୁ ଗରବା ମଣ୍ଡପରେ ପ୍ରବେଶ ରୋକିବା ପାଇଁ ଗୋମୂତ୍ର ପିଇବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି । ତେବେ ବର୍ମାଙ୍କ ଏହି ପ୍ରସ୍ତାବକୁ କଂଗ୍ରେସ କଡ଼ା ସମାଲୋଚନା କରିବା ସହ ଏହାକୁ ରାଜନୈତିକ ଧ୍ରୁବୀକରଣ କୌଶଳ ବୋଲି କହିଛି ।
ବିଜେପି ନେତା ଚିଣ୍ଟୁ ବର୍ମା କହିଛନ୍ତି, ଗରବା ଦେବୀଙ୍କୁ ପୂଜା କରିବାର ଏକ ପର୍ବ । ଏଥିରେ ଅଧିକ ଲୋକ ଅଂଶଗ୍ରହଣ କରିବା ଉଚିତ୍ । ଗାଈକୁ ଗୋମାତା ଭାବରେ ବିବେଚନା କରାଯାଏ । ଏହାର ମୂତ୍ର ଲାଭଦାୟକ । ଏଭଳି ସ୍ଥିତିରେ ହିନ୍ଦୁମାନେ ଗୋମୂତ୍ର ପିଇବାରେ କୌଣସି ଅସୁବିଧା ହେବ ନାହିଁ । ତେଣୁ ଗରବାରେ ଭାଗ ନେଉଥିବା ସମସ୍ତ ଲୋକଙ୍କୁ ପ୍ରସାଦ ରୂପେ ‘ଗୋମୂତ୍ର’ ପିଆଇବାକୁ ପ୍ରସ୍ତାବ ଦେଇଛନ୍ତି ।
ରାଜ୍ୟ ବିଜେପି ସଭାପତି ଭିଡି ଶର୍ମା ଏହି ବୟାନରୁ ନିଜକୁ ଦୂରେଇ ରଖି କହିଛନ୍ତି ଯେ ଏହା ଦଳର ଆଭିମୁଖ୍ୟ ନୁହେଁ ବରଂ ବ୍ୟକ୍ତିଗତ ମତାମତ ।
ତେବେ କଂଗ୍ରେସ ବିଜେପି ନେତାଙ୍କ ଏହି ପ୍ରସ୍ତାବକୁ ତୀବ୍ର ନିନ୍ଦା କରିଛି । କଂଗ୍ରେସ ମୁଖପାତ୍ର ନୀଳଭ ଶୁକ୍ଳା ଦର୍ଶାଇଛନ୍ତି ଯେ ଅନେକ ଗରବା ମଣ୍ଡପ ବିଜେପି ନେତାଙ୍କ ଦ୍ୱାରା ଆୟୋଜନ କରାଯାଏ । ଗୋମୂତ୍ରକୁ ପ୍ରବେଶ ପାଇଁ ଏକ ଆବଶ୍ୟକତା ଭାବରେ ପ୍ରୋତ୍ସାହନ ଦେବା ସହିତ ଗୋମାଂସ କମ୍ପାନୀ ଗୁଡିକଠାରୁ ଚାନ୍ଦା ଗ୍ରହଣ କରିବାରେ ସେମାନଙ୍କ ରହସ୍ୟକୁ ସମାଲୋଚନା କରିଥିଲେ ।
ପୂର୍ବରୁ ଇନ୍ଦୋରର ଆୟୋଜକମାନେ ଆଧାର କାର୍ଡ ଯାଞ୍ଚ କରି ଗରବା ସ୍ଥଳକୁ ପ୍ରବେଶ ପାଇଁ ଅନୁମତି ଦେଇଥିଲେ । ତେବେ ଏହାକୁ ନେଇ ବୟାନବାଜି ଓ ରାଜନୀତି ତେଜିବା ପରେ ବର୍ମା ସ୍ପଷ୍ଟ କରିଛନ୍ତି ଯେ କେବଳ ହିନ୍ଦୁମାନେ ଯେପରି ଗରବା ଉତ୍ସବରେ ଅଂଶଗ୍ରହଣ କରିବେ ତାହା ସୁନିଶ୍ଚିତ କରିବା ପାଇଁ ଏହି ପଦକ୍ଷେପ ନିଆଯାଇଛି ।
ବେଳେବେଳେ ଲୋକମାନେ ଏହି କାର୍ଯ୍ୟକ୍ରମରେ ସାମିଲ ହେଲେ କିଛି ଆଲୋଚନା ହୋଇଥାଏ । ଆଧାର କାର୍ଡକୁ ଏଡିଟ୍ କରାଯାଇପାରିବ । ତେବେ ଯଦି କୌଣସି ବ୍ୟକ୍ତି ହିନ୍ଦୁ ଅଟନ୍ତି, ତେବେ ଗୋମୂତ୍ର ପିଇବା ପରେ ହିଁ ସେ ଗରବା ମଣ୍ଡପରେ ପ୍ରବେଶ କରିବେ । ଏହାକୁ ମନା କରିବାର ପ୍ରଶ୍ନ ଉଠୁନାହିଁ ବୋଲି ବର୍ମା ଯୁକ୍ତି ବାଢ଼ିଛନ୍ତି ।