ସମ୍ବଲପୁର: ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲାରେ ସମ୍ବଲପୁରର ସ୍ୱତନ୍ତ୍ର ପକ୍ସୋ କୋର୍ଟ ଦୋଷୀକୁ ଫାଶୀ ଦଣ୍ଡାଦେଶ ଶୁଣାଇଛନ୍ତି । ଅଭିଯୁକ୍ତ ଜଣଙ୍କ ହେଲେ ପ୍ରଶାନ୍ତ ବଘରା । ଏହାସହ ୧ ଲକ୍ଷ ଟଙ୍କା ଜରିମାନା ମଧ୍ୟ କରିଛନ୍ତି ।
୨୦୨୨ ମାର୍ଚ୍ଚ ମାସରେ ସମ୍ବଲପୁର ଜିଲ୍ଲା ଜମନକିରା ଥାନା ଅଞ୍ଚଳରେ ଏକ ଗାଁରେ ଘଟିଥିଲା ଏହି ଜଘନ୍ୟ ଘଟଣା । ଗାଁର ଜଣେ ନାବାଳିକା ଶୌଚ ପାଇଁ ବାହାରକୁ ଯାଇଥିବା ବେଳେ ପ୍ରଶାନ୍ତ ତାଙ୍କୁ ଦୁଷ୍କର୍ମ କରି ହତ୍ୟା କରିଥିଲେ ।
ସେ ଟାଙ୍ଗିଆରେ ନାବାଳିକାଙ୍କୁ ହାଣି ମୁଣ୍ଡଗଣ୍ଡି ଅଲଗା କରି ଦେଇଥିଲେ । ପରେ କଟାମୁଣ୍ଡ ଧରି ଗାଁରେ ଥିବା ଏକ ନଳକୂପ ପାଖକୁ ଆସିଥିଲେ । ସେ ନଳକୂପ ପାଣିରେ ନାବାଳିକାଙ୍କ କଟାମୁଣ୍ଡକୁ ଧୋଇଥିଲେ । ଏହା ଦେଖି ଗ୍ରାମବାସୀ ଭୟଭୀତ ହୋଇଯାଇଥିଲେ । ସେମାନେ ଘଟଣା ସଂପର୍କରେ ପୋଲିସକୁ ଜଣାଇଥିଲେ । ପୋଲିସ ଆସି ପ୍ରଶାନ୍ତଙ୍କୁ କାବୁ କରିଥିଲା । ମୃତ ନାବାଳିକାଙ୍କ ବାପାଙ୍କ ଅଭିଯୋଗ ଆଧାରରେ ପୋଲିସ ପ୍ରଶାନ୍ତଙ୍କ ବିରୋଧରେ ବିଭିନ୍ନ ଦଫା ଲଗାଇ ମାମଲା ରୁଜୁ କରିବା ସହିତ ତାଙ୍କୁ ଗିରଫ କରିଥିଲା । ପୋଲିସ୍ ମାମଲାରେ ଚାର୍ଜଶିଟ ଦାଖଲ କରିବା ପରେ ପକ୍ସୋ କୋର୍ଟରେ ଶୁଣାଣି ଚାଲିଥିଲା । ମୋଟ ୨୫ ଜଣ ସାକ୍ଷୀଙ୍କ ବୟାନ ଓ ବିଭିନ୍ନ ଦଲିଲକୁ ବିଚାରକୁ ନେଇ କୋର୍ଟ ପ୍ରଶାନ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହିତ ଫାଶୀ ଦଣ୍ଡାଦେଶ ଦେଇଛନ୍ତି ।