Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କିଓସ୍କ ବ୍ୟାଙ୍କ ଠକେଇ ମାମଲା କୁ ଏକ ମାସ ପୁରିଲା: ହାତବାନ୍ଧି ବସିଛି ପୋଲିସ

କନ୍ଧମାଳ : କନ୍ଧମାଳ ଜିଲା ଫୁଲବାଣୀ ସହରରେ ଥିବା କିଓସ୍କ ବ୍ୟାଙ୍କି ସଂସ୍ଥା ହିତାଧିକାରୀଙ୍କ ଲକ୍ଷାଧିକ ଟଙ୍କା ଉଠାଇ ନେବା ଘଟଣାକୁ ଆଉ ଦୁଇ ଦିନ ପରେ ମାସେ ପୂରିବ। ହେଲେ ଆଜି ପର୍ଯ୍ୟନ୍ତ ପୋଲିସ ଠକେଇରେ ସମ୍ପୃକ୍ତ ବ୍ୟକ୍ତି ବିଶେଷଙ୍କୁ ଗିରଫ କରିପାରି ନାହିଁ। ସେପଟେ ଟଙ୍କା ହରାଇଥିବା ଲୋକେ ମାସ ତମାମ କେତେବେଳେ ବ୍ୟାଙ୍କ ତ ଆଉ କେତେବେଳେ ଥାନାକୁ ଦୌଡୁଛନ୍ତି। ବିଶେଷ କରି ବହୁ ଗରିବ ହିତାଧିକାରୀ ଟଙ୍କା ନ ପାଇ ହତାଶ ହେବା ସହ ଦୁଃଖରେ କାଳାତିପାତ କରୁଛନ୍ତି। ଟଙ୍କା ନେଇ ଫେରାର ଥିବା କିଓସ୍କ ବ୍ୟାଙ୍କ ସତ୍ୱାଧିକାରୀଙ୍କ ସ୍ତ୍ରୀ ପ୍ରକୃତରେ ଫେରାର ଅଛନ୍ତି ନାଁ ତାଙ୍କୁ ଫେରାର କରାଯାଇଛି ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏ ସଂକ୍ରାନ୍ତରେ ଟାଉନ ଥାନାଧିକାରୀ ଅଶୋକ କୁମାର ଗିରିଙ୍କୁ ପଚାରିବାରୁ ଟଙ୍କା ନେଇ ଫେରାର ଥିବା ମହିଳା ଜଣକ ବାରମ୍ବାର ମୋବାଇଲ ବନ୍ଦ ରଖୁଛନ୍ତି। ଶେଷଥର ପାଇଁ ତାଙ୍କ ଲୋକେସନ ତାମିଲନାଡୁରେ ଠାବ କରାଯାଇଥିଲା। ତାଙ୍କୁ ଗିରଫ କରାଯିବା ପାଇଁ ଆମେ ପ୍ରୟାସ ଜାରି ରଖିଛୁ। ସେ ଧରା ପଡିଲା ପରେ ସବୁ ଜଣାପଡିବ ବୋଲି କହିଛନ୍ତି। ସୁଚନାଯୋଗ୍ୟ, ଫୁଲବାଣୀ ସହର ଅମଲାପଡାରେ ଭାରତୀୟ ଷ୍ଟେଟ ବ୍ୟାଙ୍କର ଏକ ଜନସେବା କେନ୍ଦ୍ରରେ କିଓସ୍କ ବ୍ୟାଙ୍କିଙ୍ଗ ଚାଲିଥିଲା। ଏହାର ସ୍ବତାଧିକାର ରମାକାନ୍ତ ଦିଗାଲଙ୍କ ନାମରେ ରହିଛି। ଏହି କିଓସ୍କ ବ୍ୟାଙ୍କରେ ପାଖାପାଖି ୬ ମାସ ଧରି ବାୟୋମେଟ୍ରିକ ପଦ୍ଧତି ଜରିଆରେ ୨୦ ରୁ ଅଧିକ ଗ୍ରାହକଙ୍କ ୭ ଲକ୍ଷରୁ ଅଧିକ ଟଙ୍କା ଠକି ନିଆଯାଇଛି। ଘଟଣା ଜଣାପଡିବା ପରେ କିଓସ୍କ ବ୍ୟାଙ୍କକୁ ଷ୍ଟେଟ ବ୍ୟାଙ୍କ କର୍ତ୍ତୃପକ୍ଷ ବନ୍ଦ କରି ଦେଇଛନ୍ତି। କିଛି ଦିନ ପୂର୍ବରୁ ନରେନ୍ଦ୍ର ବେହେରା ନାମକ ଜଣେ ଗ୍ରାହକ ଟଙ୍କା ଜମା କରିବା ପାଇଁ ଉକ୍ତ ବ୍ୟାଙ୍କକୁ ଯାଇ ବିଭିନ୍ନ ସମୟରେ ବାୟୋମେଟ୍ରିକ ବ୍ୟବସ୍ଥା ମାଧ୍ୟମରେ ୧୨ହଜାର ୫୦୦ ଟଙ୍କା ଜମା କରିଥିଲେ। ନରେନ୍ଦ୍ରଙ୍କ ଜମା ଖାତା ଅପଡେଟ ପାଇଁ କିଓସ୍କ ବ୍ୟାଙ୍କ କର୍ମଚାରୀ ରଖି ଦେଇଥିଲେ । ବହୁବାର ଖାତା ପାଇଁ ନରେନ୍ଦ୍ର ଦୌଡିବା ପରେ କିଓସ୍କ ବ୍ୟାଙ୍କ କର୍ମଚାରୀ ଖାତା ଅପଡେଟ ହୋଇ ପାରୁ ନାହିଁ କହି ଫେରାଇ ଦେଇଥିଲେ। ଖାତା ବ୍ୟାଙ୍କରେ ଅପଡେଟ କରିବା ବେଳେ ତାଙ୍କ ଆକାଉଣ୍ଟରୁ ୭୦ ହଜାର ଟଙ୍କା ହଡ଼ପ ହୋଇଥିବା ଜାଣିବା ପରେ ସେ ଟାଉନ ଥାନାରେ ଏତଲା ଦେଇଥିଲେ। ଏହାପରେ ଧିରେ ଧିରେ ଘଟଣା ପଦାକୁ ଆସିଥିଲା। ତାଙ୍କ ପରେ ଅମେରେଶ କହଁର, ସ୍ନିଗ୍ଧା ରାଣି ଦିଗାଲ, ମମତା ବେହାରା, ଜୟନ୍ତି ସେଠି, ରୁନି ମଲିକ, ପୂର୍ଣ୍ଣଚନ୍ଦ୍ର ଚନ୍ଦ୍ର ବେହେରା, ଗଣେଷ ଦେହୁରୀ, ସୁନିତା କହଁରଙ୍କ ଆଦି ହିତାଧିକାରୀମାନେ ସେମାନଙ୍କ ଆକାଉଣ୍ଟରୁ ବିଭିନ୍ନ ପର୍ଯ୍ୟାୟରେ ଟଙ୍କା ଉଠାଣ ହୋଇଥିବା ନେଇ ଥାନାରେ ଅଭିଯୋଗ କରିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories