ନୂଆଦିଲ୍ଲୀ: ବିବାଦୀୟ ମନ୍ତବ୍ୟ ଦେଇ ପୁଣି ଚର୍ଚ୍ଚାରେ ଅଭିନେତ୍ରୀ ତଥା ହିମାଚଳ ପ୍ରଦେଶ ମଣ୍ଡିର ସାଂସଦ କଙ୍ଗନା ରଣାଓ୍ୱତ । ଗାନ୍ଧୀ ଜୟନ୍ତୀ ଅବସରରେ ବିଜେପି ସାଂସଦ କଙ୍ଗନା ରାଣାୱତ ମହାତ୍ମା ଗାନ୍ଧୀ ଏବଂ ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲ ବାହାଦୁର ଶାସ୍ତ୍ରୀଙ୍କୁ ନେଇ ଏକ ଇନଷ୍ଟାଗ୍ରାମ ପୋଷ୍ଟ କରି ବିବାଦ ଘେରକୁ ଆସିଛନ୍ତି ।
ନିକଟରେ କଙ୍ଗନା କୃଷକ ଆନ୍ଦୋଳନକୁ ନେଇ ଦେଇଥିବା ମନ୍ତବ୍ୟ ପାଇଁ ସମାଲୋଚନାର ସମ୍ମୁଖୀନ ହୋଇଥିଲେ । ଏବେ ଶାସ୍ତ୍ରୀଙ୍କ ୧୨୦ତମ ଜୟନ୍ତୀ ଅବସରରେ ଏକ ପୋଷ୍ଟ କରି ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ଯେଉଁଥିରେ ଗାନ୍ଧିଜୀଙ୍କୁ ଜାତିର ପିତା ଭାବରେ ମାନ୍ୟତାକୁ ଅଣଦେଖା କରିଛନ୍ତି ।
ଦେଶର ପିତା ନାହାନ୍ତି, ବରଂ ଦେଶର ଲାଲ (ପୁଅ) ଅଛନ୍ତି । ଧନ୍ୟ ହୁଅନ୍ତୁ ଭାରତ ମାତାଙ୍କ ଲାଲ ବୋଲି ସେ ତାଙ୍କ ଇନଷ୍ଟାଗ୍ରାମ ଷ୍ଟୋରୀରେ ଲେଖିଛନ୍ତି । ଦେଶରେ ଗାନ୍ଧିଜୀଙ୍କ ସ୍ୱଚ୍ଛତା ପରମ୍ପରାକୁ ଜାରି ରଖିଥିବାରୁ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସା କରିଛନ୍ତି ।
ତେବେ ଶାସ୍ତ୍ରୀ ଏବଂ ଗାନ୍ଧୀଙ୍କୁ ନେଇ ଏହି ପୋଷ୍ଟ ହିମାଚଳ ପ୍ରଦେଶ ମଣ୍ଡିର ବିଜେପି ସାଂସଦଙ୍କ ପାଇଁ ଆଉ ଏକ ବିବାଦ ସୃଷ୍ଟି କରିଛି । ତାଙ୍କର ଏହି ବିବାଦୀୟ ପୋଷ୍ଟକୁ ନେଇ ଘେରିଛନ୍ତି କଂଗ୍ରେସ ନେତ୍ରୀ ସୁପ୍ରିୟା ଶ୍ରୀନେତ । ଗାନ୍ଧୀଙ୍କ ପ୍ରତି ଅଶ୍ଳୀଳ ମନ୍ତବ୍ୟ ପାଇଁ ସେ କଙ୍ଗନାଙ୍କୁ ସମାଲୋଚନା କରିଛନ୍ତି ।
ସେ କହିଛନ୍ତି, ମହାତ୍ମା ଗାନ୍ଧୀଙ୍କ ଜୟନ୍ତୀରେ ବିଜେପି ସାଂସଦ କଙ୍ଗନା ଏଭଳି ଅଶ୍ଳୀଳ ମନ୍ତବ୍ୟ ଦେଇଛନ୍ତି । ଗୋଡସେ ଉପାସକମାନେ ବାପୁ ଏବଂ ଶାସ୍ତ୍ରୀଜୀଙ୍କ ମଧ୍ୟରେ ପାର୍ଥକ୍ୟ ଆଙ୍କିଥାନ୍ତି । ନରେନ୍ଦ୍ର ମୋଦି ତାଙ୍କ ଦଳର ନୂଆ ଗଡସେ ଭକ୍ତଙ୍କୁ ହୃଦୟରୁ କ୍ଷମା କରିବେ କି ? ଜାତିର ପିତା ଅଛନ୍ତି, ପୁଅ ଅଛନ୍ତି, ସହିଦ ଅଛନ୍ତି । ସମସ୍ତେ ସମ୍ମାନର ଯୋଗ୍ୟ ବୋଲି ଶ୍ରୀନେତ ଏକ୍ସରେ ଏକ ପୋଷ୍ଟରେ କହିଛନ୍ତି ।