କାଲି ମୁଖ୍ୟମନ୍ତ୍ରୀ ଆବାସ ଖାଲି କରିବେ କେଜ୍ରିଓ୍ବାଲ, ଜାଣନ୍ତୁ ରହିବେ କେଉଁଠି ?


ନୂଆଦିଲ୍ଲୀ: ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିବା ଅରବିନ୍ଦ କାଜ୍ରିଓ୍ବାଲ ଆସନ୍ତାକାଲି ସିଏମ୍‌ ଆବାସ ଖାଲି କରିବେ । ସେ ନିଜ ରହିବା ପାଇଁ ନୂଆ ଠିକଣାର ସନ୍ଧାନ କରି ସାରିଛନ୍ତି । ସେ ଆପ୍‌ ସାଂସଦ ଅଶୋକ ମିତ୍ତଲଙ୍କ ଘରେ ରହିବେ । ଅଶୋକ ମିତ୍ତଲଙ୍କ ଘର ନୂଆ ଦିଲ୍ଲୀ ବିଧାନସଭା ଅଞ୍ଚଳରେ ପଡ଼ୁଛି ।

କେଜ୍ରିୱାଲ ସିଏମ୍‌ ନିବାସ ଛାଡ଼ିବା ପରେ ଏପରି ଜାଗା ସନ୍ଧାନରେ ଥିଲେ ଯେଉଁଠୁ ବିଭିନ୍ନ ସ୍ଥାନକୁ ଯିବା ତାଙ୍କ ପାଇଁ ସୁଗମ ହେବ । ଏହାଦ୍ୱାରା ଯେପରି ସେ ସହରର ବିଭିନ୍ନ ସ୍ଥାନ ତଥା ଲୋକଙ୍କ ସହ ଯୋଡ଼ି ହୋଇ ପାରିବେ ତା’ ଉପରେ ଗୁରୁତ୍ୱାରୋପ କରୁଥିଲେ । ଏପରି ସନ୍ଧାନ ମଧ୍ୟରେ ତାଙ୍କୁ ଅଶୋକ ମିତ୍ତଲଙ୍କ ଘର ପସନ୍ଦ ଆସିଥିବାରୁ ସେ ସେଠାକୁ ଯିବେ ବୋଲି ନିଷ୍ପତ୍ତି ନେଇଛନ୍ତି ।

ଏହା ପୂର୍ବରୁ ପାର୍ଟି ପକ୍ଷରୁ କୁହାଯାଇଥିଲା, ଦିଲ୍ଲୀ ବିଧାନସଭା ନିର୍ବାଚନକୁ ଆଉ କିଛି ମାସ ଥିବାରୁ କେଜ୍ରିୱାଲ ନିଜ ନିର୍ବାଚନ ମଣ୍ଡଳୀରେ ଏକ ଘର ସନ୍ଧାନ କରୁଛନ୍ତି । ସେ ଏପରି ଏକ ଘର ଖୋଜୁଛନ୍ତି ଯେଉଁଠୁ ତାଙ୍କୁ ବିଭିନ୍ନ ସ୍ଥାନକୁ ଯିବାକୁ ତଥା ଲୋକଙ୍କ ସହ ଯୋଡ଼ି ହେବାକୁ ବେଶି ସମୟର ଅପଚୟ କରିବାକୁ ପଡ଼ିବ ନାହିଁ ।

ଏଥିନିମନ୍ତେ ବିଭିନ୍ନ ସାମାଜିକା କାର୍ଯ୍ୟକର୍ତ୍ତାଙ୍କ ସମେତ ରାଜନୈତିକ ବ୍ୟକ୍ତି ବିଶେଷ କେଜ୍ରିୱାଲଙ୍କୁ ନିଜ ଘରେ ରହିବାକୁ ଅଫର୍‌ ଦେଇଥିଲେ । ମାତ୍ର ଶେଷରେ ଦିଲ୍ଲୀର ପୂର୍ବତନ ସିଏମ୍‌ ଆପ୍‌ ସାଂସଦ ଅଶୋକ ମିତ୍ତଲଙ୍କ ଘରକୁ ଚୟନ କରିଛନ୍ତି ।

କେଜ୍ରିୱାଲ ଏକ ରାଷ୍ଟ୍ରୀୟ ପାର୍ଟିର ମୁଖ୍ୟ ହୋଇଥିବାରୁ ସେ କ୍ଷମତାରେ ନ ରହିଲେ ବି ତାଙ୍କୁ ଏକ ସରକାରୀ ଆବାସ ଯୋଗାଇ ଦେବାକୁ ଦଳ ପକ୍ଷରୁ କେନ୍ଦ୍ର ସରକାରଙ୍କ ନିକଟରେ ଅପିଲ୍‌ କରାଯାଇଥିଲା । ମାତ୍ର ଏନେଇ କେନ୍ଦ୍ର ପକ୍ଷରୁ କୌଣସି ପ୍ରତିକ୍ରିୟା ପ୍ରକାଶ ପାଇ ନାହିଁ ।