ଲକ୍ଷ୍ନୌ: ଉତ୍ତରପ୍ରଦେଶର ଲକ୍ଷ୍ନୌରେ ଆଜି ଜୟପ୍ରକାଶ ନାରାୟଣଙ୍କ ଜୟନ୍ତୀ ପାଳିତ ହେବ । ମାତ୍ର ଏହା ପୂର୍ବରୁ ଆରମ୍ଭ ହୋଇଛି ରାଜନୈତିକ ଝଡ଼ । ଗତକାଲି ବିଳମ୍ବିତ ରାତିରେ ଜୟପ୍ରକାଶ ନାରାୟଣ ଇଣ୍ଟରନ୍ୟାସନାଲ ସେଣ୍ଟର ଚାରିପଟେ ଟିଣ ଚାଦର ଲଗାଇ ତାହାକୁ ସିଲ୍ କରି ଦିଆଯାଇଛି । ଏହି ଖବର ପାଇ ସମାଜବାଦୀ ପାର୍ଟି ନେତା ଅଖିଳେଶ ଯାଦବ ସେଠାରେ ପହଞ୍ଚିଥିବା ବେଳେ ଆରମ୍ଭ ହୋଇଥିଲା ହଙ୍ଗାମା ।
ଅଖିଳେଶ କହିଥିଲେ କାହାକୁ ଶ୍ରଦ୍ଧାଞ୍ଜଳି ଦେବାରୁ ରୋକିବା ସଭ୍ୟ ଲୋକଙ୍କ କାମ ନୁହେଁ । ଏହି ଟିଣ ଚାଦର ପଛ ପଟେ ସରକାର କିଛି ଲୁଚାଇବାକୁ ଚେଷ୍ଟା କରୁଛନ୍ତି । ଜୟପ୍ରକାଶ ନାରାୟଣ ଜଣେ ମହାନ ନେତା ହୋଇଥିବା ବେଳେ ଆମକୁ କାହିଁକି ତାଙ୍କୁ ସମ୍ମାନ ଜଣାଇବାରୁ ବଞ୍ଚିତ କରାଯାଉଛି ତାହା ବୁଝି ପାରୁନୁ ବୋଲି ସେ ଅଭିଯୋଗ କରିଛନ୍ତି ।
ଏଥିସହ ସେ କହିଛନ୍ତି, ପ୍ରତିବର୍ଷ ଜୟପ୍ରକାଶ ନାରାୟଣ ଜୟନ୍ତୀ ଅବସରରେ ସପା କାର୍ଯ୍ୟକର୍ତ୍ତା ଓ ନେତା ଏକତ୍ରିତ ହୋଇ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥାନ୍ତି । ମାତ୍ର ଏଥର ସରକାର କାହିଁକି ଆମକୁ ଏଥିରୁ ବଞ୍ଚିତ କରୁଛନ୍ତି ଆମେ ବୁଝି ପାରୁନି । କାରଣ ସରକାର ଏହାକୁ ବିକିବାକୁ ଯୋଜନା କରୁଥିବା ଅଭିଯୋଗ କରିଛନ୍ତି ଅଖିଳେଶ ।
ଅପରପକ୍ଷେ, ଏନେଇ ଲକ୍ଷ୍ନୌ ବିକାଶ ପ୍ରାଧିକରଣ(LDA) ପକ୍ଷରୁ ଏକ ପତ୍ର ଜାରି କରାଯାଇ ତାହା ଏକ ନିର୍ମାଣସ୍ଥଳ ହୋଇଥିବାରୁ ବାହାର ଲୋକଙ୍କ ଯାତାୟତ ଉପରେ ପ୍ରତିବନ୍ଧକ ଲଗାଯାଇଥିବା ଉଲ୍ଲେଖ କରିଛନ୍ତି । କେବଳ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ସହ JPNICର ନିର୍ମାଣ ସ୍ଥଳକୁ ନ ଯିବାକୁ LDA ପକ୍ଷରୁ ଅଖିଳେଶଙ୍କୁ ଅନୁରୋଧ କରାଯାଇଛି ।
ଅଖିଳେଶ ଯାଦବ ସରକାର କ୍ଷମତାରେ ଥିବା ବେଳେ ୮୫୦ କୋଟି ଟଙ୍କାରେ JPNIC ନିର୍ମାଣ କାମ ଆରମ୍ଭ କରିଥିଲେ । ଏହା ଅଖିଳେଶଙ୍କ ଡ୍ରିମ ପ୍ରୋଜେକ୍ଟ ଥିଲା । ଏଥିରେ ମ୍ୟୁଜିୟମ, ବଡ଼ କନଭେନସନ ସେଣ୍ଟର, କନଫରେନ୍ସ ହଲ, ଗେଷ୍ଟ ହାଉସ୍, ଓପନ ଏୟାର ରେଷ୍ଟୁରାଣ୍ଠ, ସୁଇମିଂ ପୁଲ, ଟେନିସ କୋର୍ଟ, ବ୍ୟାଡମିଣ୍ଟନ କୋର୍ଟଆଦି ନିର୍ମାଣ କାମ ଆରମ୍ଭ ହୋଇଥିଲା । ମାତ୍ର ଅଖିଳେଶଙ୍କ ଶାସନ କାଳରେ ଏହା ଶେଷ ହୋଇ ପାରି ନଥିଲା ।
ଯୋଗୀ ସରକାର କ୍ଷମତାକୁ ଆସିବା ପରେ ଏଥିରେ ବ୍ୟାପକ ଦୁର୍ନୀତି ହୋଇଥିବା ଅଭିଯୋଗ ଆଣି ଏହାର ତଦନ୍ତ ପାଇଁ କମିଟି ବସାଇଥିଲେ । ଏବେ ବିଜେପି ଏହାକୁ ବିକ୍ରି କରିବାକୁ ମସୁଧା ଚଳାଇଥିବା ଅଖିଳେଶ ଅଭିଯୋଗ କରିଛନ୍ତି । ଗତବର୍ଷ ବି ଜୟପ୍ରକାଶ ନାରାୟଣଙ୍କ ଜୟନ୍ତୀରେ ହାଇ ଡ୍ରାମା ଦେଖିବାକୁ ମିଳିଥିଲା । ଉକ୍ତ ଗେଟ୍ରେ ତାଲା ପଡ଼ିଥିବା ବେଳେ ଅଖିଳେଶ ଯାଦବ ତାହାକୁ ଡେଇଁ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ ।