ଜଷ୍ଟିସ୍ ସଞ୍ଜୀବ ଖାନ୍ନା ହେବେ ସୁପ୍ରିମକୋର୍ଟଙ୍କ ପରବର୍ତ୍ତୀ ପ୍ରଧାନ ବିଚାରପତି


ନୂଆଦିଲ୍ଲୀ: ଜଷ୍ଟିସ ସଞ୍ଜୀବ ଖାନ୍ନା ହେବେ ସୁପ୍ରିମକୋର୍ଟଙ୍କ ପରବର୍ତ୍ତୀ ପ୍ରଧାନ ବିଚାରପତି । ବର୍ତ୍ତମାନର ପ୍ରଧାନ ବିଚାରପତି ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡଙ୍କ ଅବସର ପରେ ସେ ସର୍ବୋଚ୍ଚ ନ୍ୟାୟାଳୟର ୫୧ ତମ ପ୍ରଧାନ ବିଚାରପତି ଭାବେ ଦାୟିତ୍ୱ ନେବେ । ଏନେଇ କେନ୍ଦ୍ର ସରକାରଙ୍କୁ ଚିଠି ଲେଖି ସୁପାରିସ କରିଛନ୍ତି ପ୍ରଧାନ ବିଚାରପତି ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ଼ ।

ଆସନ୍ତା ନଭେମ୍ବର ୧୦ରେ ଜଷ୍ଟିସ ଡି.ୱାଇ. ଚନ୍ଦ୍ରଚୂଡ଼ ଅବସର ନେବେ । ଏହାପରେ ଜଷ୍ଟିସ ସଞ୍ଜୀବ ଖାନ୍ନା ନଭେମ୍ବର ୧୧ରେ ପ୍ରଧାନ ବିଚାରପତି ଭାବେ ଦାୟିତ୍ୱ ନେବେ । ସୁପ୍ରିମକୋର୍ଟଙ୍କ ପ୍ରଧାନ ବିଚାରପତି ଭାବେ ତାଙ୍କ କାର୍ଯ୍ୟକାଳ ଛଅ ମାସ ରହିବ ।

ଅର୍ଥାତ୍ ଜଷ୍ଟିସ ଖାନ୍ନାଙ୍କ କାର୍ଯ୍ୟକାଳ ଆସନ୍ତା ବର୍ଷ ମେ’ ୧୩ରେ ଶେଷ ହେବ । ୧୯୮୩ରେ ଦିଲ୍ଲୀ ବାର୍ କାଉନସିଲରେ ପଞ୍ଜୀକରଣ ସହ ଆଇନଜୀବୀ ଭାବେ କାର୍ଯ୍ୟ ଆରମ୍ଭ କରିଥିଲେ ଜଷ୍ଟିସ ଖାନ୍ନା । ପ୍ରଥମେ ସେ ହଜାରି କମ୍ପ୍ଲେକ୍ସ ଜିଲ୍ଲାକୋର୍ଟରେ ଓକିଲ ଭାବେ ଅଭ୍ୟାସ କରିଥିଲେ ।

ଏହାପରେ ବିଭିନ୍ନ ହାଇକୋର୍ଟରେ ଓକିଲାତି କରିବା ସହ ସହକାରୀ ସରକାରୀ ଓକିଲ ଭାବେ ଦିଲ୍ଲୀ ହାଇକୋର୍ଟରେ କାର୍ଯ୍ୟ କରିଥିଲେ । ପରେ ଆମିକସ କ୍ୟୁରି ଭାବେ ନିଯୁକ୍ତି ପାଇଥିଲେ ।  ୨୦୦୫ରେ ଦିଲ୍ଲୀ ହାଇକୋର୍ଟର ଆଡିସନାଲ ଜଜ୍ ହୋଇଥିଲେ ଜଷ୍ଟିସ୍ ସଞ୍ଜୀବ ଖାନ୍ନା । ୨୦୦୬ରେ ତାଙ୍କୁ ସ୍ଥାୟୀ ବିଚାରପତି ଭାବେ ନିଯୁକ୍ତି ମିଳିଥିଲା । ଏହାପରେ ୨୦୧୯ରୁ ସୁପ୍ରିମକୋର୍ଟର ବିଚାରପତି ଭାବେ ନିଯୁକ୍ତ ହୋଇଥିଲେ । ସେବେଠାରୁ ସେ ସୁପ୍ରିମକୋର୍ଟ ବିଚାରପତି ଭାବେ କାର୍ଯ୍ୟ କରିଆସୁଛନ୍ତି । ଆଗାକୁ ସେ ଦେଶର ସର୍ବୋଚ୍ଚ ଅଦାଲତର ପ୍ରଧାନ ବିଚାରପତି ହେବାକୁ ଯାଉଛନ୍ତି ।