ଘଣ୍ଟା ଚୋରି ପାଇଁ ଦୁଇ ନାବାଳକଙ୍କୁ ଓଲାଟା ଝୁଲାଇ ଦେଲେ ଲଙ୍କା ଧୂଆଁ


ପାଣ୍ଡୁରନା: ଘଣ୍ଟା ଚୋରି ଅଭିଯୋଗରେ ଦୁଇ ୧୪ ବର୍ଷୀୟ ନାବାଳକଙ୍କୁ ଓଲଟା ଝୁଲାଇ ଦିଆଗଲା ଲଙ୍କା ଧୂଆଁ । ଭିଡିଓ ବି କରାଗଲା ଭାଇରାଲ । ପରିବାର ଲୋକେ ଭିଡିଓ ଦେଖିବା ପରେ ଥାନାରେ ଦେଲେ ଏତଲା । ଅଭିଯୋଗ ପାଇବା ପରେ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ । ଏମିତି ଘଟଣା ଘଟିଛି ମଧ୍ୟପ୍ରଦେଶର ପାଣ୍ଡୁରନା ଜିଲ୍ଲାରେ ।

ଘଟଣା ଗତ ୩୧ ଅକ୍ଟୋବରର । ମୋହଗାଁ ଥାନା ଅଧିକାରୀଙ୍କ କହିବା ମୁତାବକ, ଦୁଇ ୧୪ ବର୍ଷର ପିଲାମାନେ ଦହି ପାଇଁ ଟଙ୍କା ଦେବା ଲାଗି ଗାଁର ଜଣଙ୍କ ଘରକୁ ଯାଇଥିଲେ ।  ସେଠାରୁ ସେମାନେ ଏକ ଘଣ୍ଟା ଚୋରି କରି ଘରକୁ ଆଣିଥିଲେ । ଯେତେବେଳେ ଉଭୟ ପିଲା ଜାଣିବାକୁ ପାଇଲେ ଯେ ଘଣ୍ଟା ମାଲିକ ସେମାନଙ୍କୁ ଖୋଜୁଛି, ସେତେବେଳେ ସେମାନେ ଘଣ୍ଟାକୁ ନେଇ ସେଠାରେ ରଖି ଦେଇଥିଲେ । ସେଠାରୁ ଫେରିବା ସମୟରେ, ଘଣ୍ଟାର ମାଲିକ ସେମାନଙ୍କୁ ଦେଖି ଦେବା ସହ ଧରିଥିଲା । ତେବେ ପିଲାମାନେ ନିଜେ ଘଣ୍ଟା ଫେରାଇ ଦେଇଥିବାରୁ ସେମାନଙ୍କୁ ମାରଧର କରିବା ବଦଳରେ ଏମିତି ଚୋରି ନକରିବାକୁ ବୁଝାଶୁଝା କରି ଛାଡି ଦେଇଥିଲା ।

ତେବେ ସେଠାରେ ଉପସ୍ଥିତ ଥିବା ଅନ୍ୟ ଦୁଇ ଯୁବକ ଉଭୟ ପିଲାଙ୍କୁ ସେଠାରୁ ଉଠାଇ ଏକ ଟ୍ରାକ୍ଟର ଗ୍ୟାରେଜକୁ ନେଇ ଯାଇଥିଲେ । ଏହାପରେ ସେମାନେ ଚୋରି ବିଷୟରେ ପଚରାଉଚରା ଆରମ୍ଭ କରିଥିଲେ । ପରେ ସେମାନଙ୍କୁ ଓଲଟ ଝୁଲାଇ ମାଡ଼ ମାରିବା ସହ ଲଙ୍କା ଧୂଆଁ ଦେଇ ଛାଡି ଦେଇଥିଲେ । ପିଲା ଦୁଇଟି ଘରକୁ ଆସିବା ପରେ ଏ ବିଷୟରେ କାହାକୁ କିଛି କହି ନଥିଲେ । ହେଲେ ଅଭିଯୁକ୍ତ ସୁରେନ୍ଦ୍ର ବାବନକର ପିଲାଙ୍କୁ ନିର୍ଯାତନା ଦିଆଯାଉଥିବା ବେଳର ଭିଡିଓ କରିଥିଲେ । ପରେ ଉକ୍ତ ଭିଡିଓଟି ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଲା ଓ ପୀଡ଼ିତ ପିଲାଙ୍କ ବାପାଙ୍କ ପାଖରେ ବି ପହଞ୍ଚି । ଏନେଇ ଦୁଇ ପିଲାଙ୍କ ପାଖରୁ ସବୁ ଜାଣିବା ପରେ ତାଙ୍କ ବାପା ଉଭୟଙ୍କୁ ଧରି ଥାନାରେ ପହଞ୍ଚିବା ସହ ଏତଲା ଦେଇଥିଲେ । ପିଲାଙ୍କ ଏତଲାକୁ ଆଧାର କରି ପୋଲିସ ଏକ ମାମଲା ରୁଜୁ କରିବା ସହ ଦୁଇ ଅଭିଯୁକ୍ତ ନିଖିଲ କଲମ୍ବେ ଏବଂ ସୁରେନ୍ଦ୍ର ବାବନକରଙ୍କୁ ଗିରଫ କରିଛି ।

ଏବେ ପୂରା ମାମଲା ତଦନ୍ତ ଜାରି ରଖିଛି । ଅଭିୁକ୍ତମାନେ କାହିଁକି ଦୁଇ ପିଲାଙ୍କୁ ନେଇ ଏମିତି ନିର୍ଯାତନା ଦେଲେ ? ଏହା ପଛରେ କେବଳ ଚୋରି ଘଟଣା ରହିଛି କି ଆଉ କିଛି କାରଣ ରହିଛି ? ଘଣ୍ଟା ମାଲିକ ଦୁଇ ପିଲାଙ୍କୁ ଛାଡି ଦେଇଥିବା ବେଳେ ଅଭିଯୁକ୍ତମାନେ କାହିଁକି ଏମିତି କଲେ ? ସେମାନେ ଏମିତି ନିର୍ଯାତନା ଦେବା ପଛରେ ଆଉ କାହାର ହାତ ରହିଛି କି, ତାହା ତଦନ୍ତ କରୁଛି ପୋଲିସ ।