ଅଶାନ୍ତ ମଣିପୁରରେ ଲାଗିଲା କର୍ଫ୍ୟୁ, କୁକି ସଙ୍ଗଠନର ୧୨ ଘଣ୍ଟିଆ ବନ୍ଦ ଡାକରା


ମଣିପୁର: ପୁଣି ଅଶାନ୍ତ ହୋଇପଡିଛି ମଣିପୁର। ଗତ ବର୍ଷ ମେ’ ୩ ତାରିଖରେ ଆରମ୍ଭ ହୋଇଥିବା ହିଂସା କୁହୁଳିବାକୁ ଲାଗିଛି । ଗତ ଚାରି ଦିନ ମଧ୍ୟରେ ରାଜ୍ୟରେ ୮ଟି ହିଂସାକାଣ୍ଡ ସାମ୍ନାକୁ ଆସିଛି । ଗତକାଲି ସିଆର୍‌ଏଫ୍ ଗୁଳିରେ ୧୧ ସନ୍ଦିଗ୍ଧ କୁକି ଉଗ୍ରବାଦୀ ନିହତ ହୋଇଥିଲେ । ଏନ୍‌କାଉଣ୍ଟରେ ଦୁଇ ଜଣ ଯବାନ ଆହତ ମଧ୍ୟ ହୋଇଛନ୍ତି । ସନ୍ଦିଗ୍ଧ ଉଗ୍ରବାଦୀଙ୍କ ମୃତ୍ୟୁ ପରେ କୁକି-ଜୋ-କାଉନସିଲିଂ ଆଜି ୧୨ ଘଣ୍ଟିଆ ମଣିପୁର ବନ୍ଦ ଡାକରା ଦେଇଛି । ସକାଳ ଭୋର ୫ଟାରୁ ସନ୍ଧ୍ୟା ୬ଟା ଯାଏଁ ରାଜ୍ୟର ପାହାଡିଆ ଅଞ୍ଚଳରେ ସମ୍ପୂର୍ଣ୍ଣ ବନ୍ଦ ଡାକରା ଦିଆଯାଇଛି । ସେହିପରି ସୁରକ୍ଷା ଦୃଷ୍ଟିରୁ ଜିବିରାମ ଜିଲ୍ଲାରେ କର୍ଫ୍ୟୁ ଲାଗୁ କରାଯାଇଛି ।

କୁକି-ଜୋ-କାଉନସିଲିଂ ପକ୍ଷରୁ କୁହାଯାଇଛି, ଜିରିବାମରେ ଘଟିଥିବା ଏହି ଦୁଃଖଦ ଘଟଣାରେ ସିଆର୍‌ପିଏଫ୍‌ ହାତରେ ଆମେ ଆମର କୁକି-ଜୋ ଗାଁର ୧୧ ଜଣ ସ୍ୱେଚ୍ଛାସେବୀଙ୍କୁ ହରାଇଛି । ଏମାନଙ୍କୁ ଗୁଳିମାରି ହତ୍ୟା କରାଯାଇଛି । ପୀଡିତମାନଙ୍କୁ ସମ୍ମାନ ଜଣାଇବା ଓ ଆମର ସାମୂହିକ ଦୁଃଖ, ଏକତାକୁ ପ୍ରକାଶ କରିବା ପାଇଁ କୁକି-ଜୋ ପରିଷଦ ଆଜି ସକାଳ ୫ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ବନ୍ଦ ଘୋଷଣା କରିଛି ।

ଆମର ମୂଲ୍ୟବାନ ଗ୍ରାମ ସ୍ୱେଚ୍ଛାସେବୀଙ୍କ ହତ୍ୟା କେବଳ ସେମାନଙ୍କ ପରିବାର ପାଇଁ ନୁହେଁ, ସମଗ୍ର କୁକି-ଜୋ ସମ୍ପ୍ରଦାୟ ପାଇଁ ଏକ ଝଟକା । ଏହି ହିଂସାକୁ ଆମେ ଦୃଢ଼ ଭାବେ ନିନ୍ଦା କରୁଛୁ । ଅପରାଧୀଙ୍କୁ ଦଣ୍ଡ ଦେବା ପାଇଁ ତୁରନ୍ତ ତଦନ୍ତ କରିବାକୁ ଦାବି କରୁଛୁ ବୋଲି କୁକି ଜୋ କାଉନସିଲ କହିଛି ।

ସେପଟେ ଏହି ଘଟଣା ପରେ ସୁରକ୍ଷା ଦୃଷ୍ଟିରୁ ଜିବିରାମ ଜିଲ୍ଲାରେ ପ୍ରଶାସନ ପକ୍ଷରୁ କର୍ଫ୍ୟୁ ଲାଗୁ କରାଯାଇଛି । ଆତଙ୍କବାଦୀଙ୍କ ଦ୍ୱାରା ଆକ୍ରମଣ ହୋଇଥିବା ବୋରାବେକରା ପୋଲିସ ଷ୍ଟେସନ ପରିସରରେ ଆଭ୍ୟନ୍ତରୀଣ ବିସ୍ଥାପିତଙ୍କ ପାଇଁ ଏକ ରିଲିଫ୍ କ୍ୟାମ୍ପ ରହିଛି । ଆତଙ୍କବାଦୀମାନେ କ୍ୟାମ୍ପକୁ ମଧ୍ୟ ଟାର୍ଗେଟ କରିବାକୁ ଚେଷ୍ଟା କରିଥାଇପାରନ୍ତି ବୋଲି ସନ୍ଦେହ କରାଯାଉଛି । ଏହି ଘଟଣା ପରେ ସେଠାରେ ରହୁଥିବା ୫ ଜଣ ନିଖୋଜ ଅଛନ୍ତି ବୋଲି ଅଧିକାରୀମାନେ କହିଛନ୍ତି ।

ଆତଙ୍କବାଦୀମାନେ ଏହି ନାଗରିକଙ୍କୁ ଅପହରଣ କରିଛନ୍ତି ନା ଆକ୍ରମଣ ପରେ ସେମାନେ ଭୟରେ ଲୁଚି ରହିଛନ୍ତି ତାହା ସ୍ପଷ୍ଟ ହୋଇନାହିଁ । ସେମାନଙ୍କୁ ଖୋଜା ଚାଲିଛି । କେତେକ ସାମାଜିକ ବିରୋଧୀ ଉପାଦାନର ବେଆଇନ କାର୍ଯ୍ୟକଳାପ ହେତୁ ଏହି ଅଞ୍ଚଳରେ ଶାନ୍ତି ଏବଂ ଆଇନ ଶୃଙ୍ଖଳା ବ୍ୟାହତ ହେବାର ସମ୍ଭାବନା ରହିଛି । ମାନବ ଜୀବନ ତଥା ସମ୍ପତ୍ତି ପ୍ରତି ଗୁରୁତର ବିପଦ ରହିଛି । ତେଣୁ, ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ BNSSର ଧାରା ୧୬୩ ଅନୁଯାୟୀ ସମଗ୍ର ଅଞ୍ଚଳରେ କର୍ଫ୍ୟୁ ଲାଗୁ କରାଯାଇଥିବା ଅଧିକାରୀମାନେ କହିଛନ୍ତି ।