ମୁମ୍ବାଇ: ଆଇପିଏଲ କ୍ରେଜ କେତେ ତ ଆପଣ ଜାଣିଥିବେ । ଆପଣି ଯଦି କ୍ରିକେଟ ପ୍ରତି ରୁଚି ରଖୁଥିବେ ତେବେ ବିନା ଆଇପିଏଲ ଦେଖା ଓ ଏହାକୁ ନେଇ ଖବର ସମ୍ପର୍କରେ ଜାଣିବାକୁ ଇଚ୍ଛୁକ ଥିବେ । ଆମେ ଏଠି ଆଇପିଏଲକୁ ନେଇ ଏମିତି କିଛି ଖବର ଦେବାକୁ ଯାଉଛୁ ଯାହା ଆପଣଙ୍କୁ ଚକିତ କରିଦେବ । ଆଜ୍ଞା ହଁ, ଆଇପିଏଲ ଅକ୍ସନ ପାଇଁ ଜଣେ ୧୩ ବର୍ଷର ବାଳକଙ୍କ ନାଁ ସର୍ଟଲିଷ୍ଟେଡ ହୋଇଛି । ଆଇପିଏଲ୍ ଅକ୍ସନ ଇତିହାସରେ ସେ ସର୍ବକନିଷ୍ଠ । ଯଦି ତାଙ୍କୁ କେହି କିଣନ୍ତି, ତେବେ ସେ ଆଇପିଏଲରେ ପ୍ରବେଶ କରିବାରେ ମଧ୍ୟ ସର୍ବକନିଷ୍ଠ ଖେଳାଳି ହୋଇଯିବେ ।
ବିହାରର ଏହି ୧୩ ବର୍ଷର ବାଳକ ବୈଭବ ସୂର୍ଯ୍ୟବଂଶୀ । ଆଇପିଏଲ୍ ୨୦୨୫ର ମେଗା ନିଲାମ ପାଇଁ ନିଜର ନାମ ପଞ୍ଜିକରଣ କରିଥିଲେ । ଆଇପିଏଲ୍ ବୋର୍ଡ ଦ୍ୱାରା ନିଲାମ ପାଇଁ ସର୍ଟଲିଷ୍ଟ ହୋଇଥିବା ଖେଳାଳି ତାଲିକାରେ ମଧ୍ୟ ବୈଭବଙ୍କ ନାମ ରହିଛି । ୩୦ ଲକ୍ଷ ଟଙ୍କା ବେସ୍ ପ୍ରାଇସ ସହିତ ନିଲାମରେ ପ୍ରବେଶ କରିବେ ବୈଭବ । ବିହାରର ତାଜପୁର ଗାଁରେ ୨୦୧୧ ମସିହାରେ ବୈଭବଙ୍କ ଜନ୍ମ । ଏତେ ଛୋଟ ବୟସରୁ ସେ ହାସଲ କରିଥିବା କ୍ରିକେଟ ରେକର୍ଡ ଓ ତାଙ୍କ ପ୍ରଭାବୀ କ୍ୟାରିୟର ତାଙ୍କ ଉପରେ ଟଙ୍କା ବର୍ଷା କରିବା ପାଇଁ ଫ୍ରାଞ୍ଚାଇଜ୍ ଗୁଡ଼ିକୁ ବାଧ୍ୟ କରିବ ।
ବୈଭବଙ୍କ କ୍ୟାରିୟରମାତ୍ର ଚାରି ବର୍ଷ ବୟସରେ ବୈଭବ ବ୍ୟାଟ୍ ଉଠାଇଥିଲେ । ଅଳ୍ପ ବୟସରେ କ୍ରିକେଟ୍ ପ୍ରତି ପୁଅର ଅସୀମ ଆଗ୍ରହକୁ ଅନୁଭବ କରିପାରିଥିଲେ ବୈଭବଙ୍କ ପିତା ସଞ୍ଜୀବ ସୂର୍ଯ୍ୟବଂଶୀ । ପୁଅ ଖେଳିବା ପାଇଁ ଏକ ସ୍ୱତନ୍ତ୍ର ପିଚ୍ ନିର୍ମାଣ କରିଥିଲେ । ଚାରି ବର୍ଷ ପରେ ତାଙ୍କୁ ସମସ୍ତିପୁର କ୍ରିକେଟ୍ ଏକାଡେମୀରେ ଭର୍ତ୍ତି କରାଯାଇଥିଲା । ସେଠାରେ ଦୁଇ ବର୍ଷ ତାଲିମ ନେବା ପରେ ସେ ଅଣ୍ଡର-୧୬ ଦଳରେ ଯୋଗ ଦେଇଥିଲେ । ସେତେବେଳେ ବୈଭବଙ୍କୁ ମାତ୍ର ୧୦ ବର୍ଷ ବୟସ ହୋଇଥିଲା । ସେହି ବୟସରେ ସେ ବିହାରର ସମସ୍ତ ରାଜ୍ୟସ୍ତରୀୟ ଟୁର୍ଣ୍ଣାମେଣ୍ଟ ଜିତିଥିଲେ । ଏହାପରେ ଭିନୋ ମଙ୍କଡ ଟୁର୍ଣ୍ଣାମେଣ୍ଟରେ ଚମତ୍କାର ପ୍ରଦର୍ଶନ କରିଥିଲେ ବୈଭବ । ଯାହା ବିହାର କ୍ରିକେଟ୍ ବୋର୍ଡର ଦୃଷ୍ଟି ଆକର୍ଷଣ କରିଥିଲା । ତେଣୁ ସେ ୨୦୨୪ରେ ବିହାର ପାଇଁ ପ୍ରଥମ ଶ୍ରେଣୀ କ୍ରିକେଟରେ ଡେବ୍ୟୁ କରିଥିଲେ ।
କ୍ରମାଗତ ପ୍ରଭାବୀ ପ୍ରଦର୍ଶନ ପରେ ସେ ଟିମ୍ ଇଣ୍ଡିଆର ଅଣ୍ଡର-୧୯ ଦଳ ପାଇଁ ମଧ୍ୟ ମନୋନୀତ ହୋଇଥିଲେ । ସେ ବର୍ତ୍ତମାନ ରଣଜୀ ୨୦୨୪-୨୫ ଟୁର୍ଣ୍ଣାମେଣ୍ଟ ଖେଳୁଛନ୍ତି । ବାମହାତୀ ବ୍ୟାଟର ବୈଭବଙ୍କର ବିଶେଷତ୍ୱ ହେଉଛି ଆକ୍ରମଣାତ୍ମକ ଖେଳିବା । ଆଇପିଏଲ୍ ୨୦୨୫ର ମେଗା ନିଲାମ ୨୪ ଏବଂ ୨୫ ନଭେମ୍ବରରେ ସାଉଦି ଆରବରେ ଅନୁଷ୍ଠିତ ହେବ । ଏହି ନିଲାମରେ ବୈଭବ ସର୍ବକନିଷ୍ଠ ଖେଳାଳି ହୋଇଥିବାବେଳେ ଇଂଲଣ୍ଡର ଦ୍ରୁତ ବୋଲର ଜେମ୍ସ ଆଣ୍ଡରସନ (୪୨ ବର୍ଷ) ସବୁଠାରୁ ବୟସ୍କ ଖେଳାଳି ।