ସମ୍ବଲପୁର: ନାକଟିଦେଉଳ ରେଞ୍ଜ ବୁରମାଲ ଜଙ୍ଗଲରେ ବିଦ୍ୟୁତ୍ ଆଘାତରେ ୩ଟି ହାତୀଙ୍କ ମୃତ୍ୟୁ ଘଟଣାରେ ଦୃଢ଼ କାର୍ଯ୍ୟାନୁଷ୍ଠାନ । ଚିହ୍ନଟ ୪ ଶିକାରୀଙ୍କ ମଧ୍ୟରୁ ୩ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ୫ ଜଣ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । କାର୍ଯ୍ୟରେ ଅବହେଳା ଅଭିଯୋଗରେ ବନ ବିଭାଗ ୩ କ୍ଷେତ୍ର ବନ କର୍ମଚାରୀଙ୍କୁ ନିଲମ୍ବିତ କରିଛି । ଏଥିସହ ଦୁଇ ବରିଷ୍ଠ ବନ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ମଧ୍ୟ ସରକାରଙ୍କୁ ସୁପାରିସ କରିଛି ।
ଅନ୍ୟପକ୍ଷରେ ବିଦ୍ୟୁତ ତାର ବିଛାଇ ବାରହା ଶିକାର କରିବା ଅଭିଯୋଗରେ ଚିହ୍ନଟ ୪ ଅଭିଯୁକ୍ତଙ୍କ ମଧ୍ୟରୁ ୩ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ଅନ୍ୟ ଜଣେ ଫେରାର ରହିଛି । ସଂପୃକ୍ତ ଅଭିଯୁକ୍ତକୁ ଧରିବା ପାଇଁ ପୋଲିସ ସହାୟତାରେ ଖୋଜୁଛି ବନ ବିଭାଗ । ଗତକାଲି ସମ୍ବଲପୁର ନାକଟିଦେଉଳ ରେଞ୍ଜ ବୁରମାଲ ଜଙ୍ଗଲରେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ୩ଟି ହାତୀଙ୍କ ମୃତ୍ୟୁ ଘଟିଥିଲା । ବନ ବିଭାଗ କର୍ମଚାରୀଙ୍କ ଅବହେଳା ଯୋଗୁଁ ଏହି ୩ ହାତୀଙ୍କ ଜୀବନ ଯାଇଥିବା ପିସିସିଏଫ୍ ସୁଶାନ୍ତ ନନ୍ଦ କହିଥିଲେ । ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ମଧ୍ୟ ଉଦବେଗ ପ୍ରକାଶ କରିଥିଲେ ।