ମୁମ୍ବାଇ: ମହାରାଷ୍ଟ୍ରରେ ପୁଣି ଚାଲିବ ମହାୟୁତି ସରକାର । ବଡ଼ ବିଜୟ ଅଭିମୁଖେ ବଢ଼ି ଚାଲିଛି ମହାୟୁତି । ମହାରାଷ୍ଟ୍ର ବିଧାନସଭା ନିର୍ବାଚନର ଚାଲିଥିବା ଭୋଟ୍ ଗଣତିରୁ ଏଭିଳି କିଛି ଟ୍ରେଣ୍ଡ ସାମ୍ନାକୁ ଆସିଛି । ବର୍ତ୍ତମାନ ଆସୁଥିବା ଟ୍ରେଣ୍ଡ ଅନୁସାରେ ମହାବିକାଶ ଅଘାଡିକୁ ବହୁ ପଛରେ ପକାଇଛି ବିଜେପି ନେତୃତ୍ୱାଧୀନ ମହାୟୁତି ମେଣ୍ଟ । ମିଡିଆ ରିପୋର୍ଟ ଅନୁଯାୟୀ ୨୮୮ ଆସନ ମଧ୍ୟରୁ ୨୨୦ଟିରେ ଶାସକ ମହାୟୁତି ଆଗୁଆ ରହିଛି ।
କେବଳ ଭାରତୀୟ ଜନତା ପାର୍ଟି ୧୩୫ଟି ଆସନରେ ଆଗୁଆ ରହିଛି । ସେହିପରି ୪୫ଟି ଆସନରେ ସିନ୍ଦେ ସେନା ଏବଂ ଅଜିତ ପାୱାରଙ୍କ ଏନସିପି ୩୦ଟି ସିଟରେ ଆଗୁଆ ରହିଛି । ଅନ୍ୟପଟେ ବିରୋଧୀଙ୍କ ମହାବିକାଶ ଅଘାଡି ମେଣ୍ଟ ୭୦ଟି ଆସନରେ ଆଗୁଆ ଅଛି ।
ବର୍ତ୍ତମାନ ପର୍ଯ୍ୟନ୍ତ ହୋଇଥିବା କାଉଣ୍ଟିରେ କେବଳ ବିଜେପି ୨୨.୩୯ ପ୍ରତିଶତ ଭୋଟ ପାଇବାରେ ସଫଳ ହୋଇଛି । ତେବେ ଏମଭିଏରେ ସର୍ବାଧିକ ସଂଖ୍ୟକ ଆସନରେ ପ୍ରତିଦ୍ୱନ୍ଦ୍ୱିତା କରିଥିବା କଂଗ୍ରେସ ମାତ୍ର ୪୨ଟି ଆସନରେ ଆଗୁଆ ରହିଛି । ରାଜ୍ୟରେ ୨୮୮ଟି ଆସନ ପାଇଁ ନଭେମ୍ବର ୨୦ରେ ଗୋଟିଏ ପର୍ଯ୍ୟାୟରେ ମତଦାନ ଅନୁଷ୍ଠିତ ହୋଇଥିଲା । ବିଶେଷ କଥା ହେଉଛି ଚଳିତ ଥର ରାଜ୍ୟରେ ୬୫ ପ୍ରତିଶତରୁ ଅଧିକ ଭୋଟ୍ ହେବା ସହିତ ୩୦ ବର୍ଷର ରେକର୍ଡ ଭାଙ୍ଗିଛି ।