Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଅନେକ ସୃଷ୍ଟିର ସ୍ରଷ୍ଟା ଗୁରୁ ଭଗବାନ ସାହୁ-ସ୍ମୃତି ଶେଫାଳୀ ମେହେର

ଆଜି ଗର୍ବ ଅନୁଭବ ହୁଏ ଆମର ମହାନ୍ ସ୍ଵାଧୀନତା ସଂଗ୍ରାମୀ ସୁରେନ୍ଦ୍ର ସାଏ ଆଜି ଜାତୀୟ ବୀର ଯାହାର ପୃଷ୍ଠଭୂମିରେ ଥିଲେ ଗୁରୁ ଭଗବାନ ସାହୁ । ଆଜି ଲୋକ ମହୋତ୍ସବ ସର୍ବତ୍ର ବହୁ ଉତ୍ସାହ ଆଡ଼ମ୍ବରରେ ପାଳିତ ହେଉଛି ତା’ର ପୃଷ୍ଠଭୂମିରେ ବି ଗୁରୁ ଭଗବାନ ସାହୁ ଥିଲେ । ପଶ୍ଚିମ ଓଡ଼ିଶା ଏକତାର ମହାନ୍ ଗଣପର୍ବ ନୂଆଁଖାଇ ଗୋଟିଏ ଦିନରେ ପାଳିତ ହେବାର ପୃଷ୍ଠଭୂମିରେ ମଧ୍ୟ ଥିଲେ ଗୁରୁ ଭଗବାନ ସାହୁ । ସମ୍ବଲପୁରୀ ଲୋକ ନୃତ୍ୟ ବିଶ୍ଵ ବିଖ୍ୟାତ, ଏହାର ପୃଷ୍ଠ ଭୂମିରେ ବି ଥିଲେ ଗୁରୁ ଭଗବାନ ସାହୁ । ଏହା ବାସ୍ତବରେ ବହୁ ଗୌରବର ବିଷୟ ,କିନ୍ତୁ ଅବିଶ୍ୱସନୀୟ ବିଷୟ ସାରା ପଶ୍ଚିମ ଓଡ଼ିଶା ଚାଲି ଚାଲି ଆମ ଭାଷା କଳା ସଂସ୍କୃତିର ପ୍ରଚାର କରିବା ସଙ୍ଗେ ସଙ୍ଗେ ଏଭଳି କୀର୍ତ୍ତିମାନ ସ୍ଥାପନ କରି ଏକ ଉଦାହରଣ ସୃଷ୍ଟି କରି ଯାଇଛନ୍ତି । ବାସ୍ତବରେ ଏଭଳି କୀର୍ତ୍ତିମାନ ପୁରୁଷଙ୍କ ବିଷୟରେ ପଢ଼ିବା ଯେତେ ସୌଭାଗ୍ୟର ବିଷୟ ଏଭଳି କୀର୍ତ୍ତିମାନ ପୁରୁଷଙ୍କ ବିଷୟରେ ଲେଖିବା ଏକ ଗୌରବର ବିଷୟ । ମୁଁ ଦୃଢ଼ ରୂପେ କହିବି ଏକ ଅସାଧାରଣ ବହୁଗୁଣଧାରୀ ଦେବ ପ୍ରତିମ ମାନବ ଶରୀର ନେଇ ଭଗବାନ ସାହୁ ରୂପରେଖ ଏ ଧରାପୃଷ୍ଠରେ ଅବତାର ନେଇଥିଲେ । ଜୀବନରେ ଅନେକ ମହାନ୍ ବ୍ୟକ୍ତିତ୍ବଙ୍କ ସମ୍ବନ୍ଧରେ ପଢ଼ିବାକୁ ଲେଖିବାକୁ ସୁଯୋଗ ଆସିଥାଏ କିନ୍ତୁ ଏଭଳି ବ୍ୟକ୍ତିତ୍ଵଙ୍କ ପାଇଁ ଲେଖିବାକୁ ଯାଇ ମୋତେ ଗର୍ବ ଅନୁଭବ ଲାଗୁଛି ଯେ ମୁଁ ବି ଏହି ପଶ୍ଚିମ ଓଡ଼ିଶାର ବୌଦ୍ଧ ଝିଅ ଏବଂ ପଶ୍ଚିମ ଓଡ଼ିଶା ଗୁରୁ ଭଗବାନ ସାହୁଙ୍କ ଜିଲ୍ଲା ବରଗଡ଼ର ଗୁରୁ ଭଗବାନ ସାହୁଙ୍କ ଅତି ପ୍ରଶଂସକ ସାହିତ୍ୟ ପ୍ରେମୀ ଡାକ୍ତର ଅର୍ଜୁନ ମେହେରଙ୍କ ବୋହୂ।
ଏକ ମହାନ୍ ଦିବସରେ ପଶ୍ଚିମ ଓଡ଼ିଶାର ପୂର୍ବାକାଶେ ଗୋଟେ ଉଜ୍ଜ୍ୱଳ ତାରକା ହୋଇ କୁମ୍ଭାରୀ ଗ୍ରାମକୁ ଉଦୟମାନ୍ କରିଥିଲେ ଗୁରୁ ଭଗବାନ ସାହୁ। ମାଆ ମାଟି ପ୍ରତି ଥିବା ତାଙ୍କର ଶ୍ରଦ୍ଧା ଭକ୍ତି ତାଙ୍କୁ ଜଣେ ସଫଳ ନାଟ୍ୟକାର ଭାବରେ ପରିଚୟ ପ୍ରଦାନ କରେ । ୧୯୩୧ ମସିହା ପବିତ୍ର ଦେବସ୍ନାନ ପୂର୍ଣ୍ଣିମାରେ ଏଇ ଧରା ଧାମକୁ ଓହ୍ଲାଇ ଆସିଥିଲେ ହାତରେ ଭବିଷ୍ୟତର ଚନ୍ଦ୍ରମାକୁ ଧରି । ଗୌନ୍ତିଆ ପରିବାରରେ ସେ ଜନ୍ମ ହୋଇଥିଲେ ବି ତାଙ୍କର ବେଶ ପରିପାଟୀ ଥିଲା ସମ୍ପୂର୍ଣ୍ଣ ଭିନ୍ନ । ସେ ଖୁବ୍ କମ୍ ବୟସରୁ ନୃତ୍ୟ ଗୀତ ନାଟକ ପ୍ରତି ଆକର୍ଷିତ ହୋଇ ୧୯୫୦ ମସିହା ରାମନବମୀ ତିଥି ରେ ନିଜ ଜନ୍ମ ମାଟି କୁମ୍ଭାରୀ ଠାରେ ଗୋଟିଏ ନାଟକ ଅନୁଷ୍ଠାନ ” *ବ୍ରଜେଶ୍ୱରୀ ନୃତ୍ୟ କଳା ପରିଷଦ”* ଗଠନ କରିଥିଲେ । ୧୯୫୦ ମସିହାରୁ ୨୦୦୦ ମସିହା ପର୍ଯ୍ୟନ୍ତ ତାଙ୍କର ଅକ୍ଲାନ୍ତ ପରିଶ୍ରମ ତାଙ୍କୁ ଅନେକ କିଛି ସଫଳତା ଦେଇଥିଲେ ମଧ୍ୟ ଅନେକ ବାଧା ବିଘ୍ନର ସମ୍ମୁଖୀନ ମଧ୍ୟ ହୋଇଥିଲେ । ତାଙ୍କର ଜୀବନ ଯାତ୍ରା ଥିଲା କଣ୍ଟକ ଜର୍ଜରିତ । କିନ୍ତୁ ପ୍ରତି ପାଦରେ ସେ ନିଜ ମାଟି ପାଇଁ ଲଢ଼ୁଥିଲେ ଅନାୟସରେ। ନାଟକ କୁ ନିଜ ଜୀବନର ନିଶା ଭାବରେ ଗ୍ରହଣ କରିଥିଲେ ସେ । ଅନେକ ରାତି ଗାଁ ଗାଁ ବୁଲି ନାଟକ ପରିବେଷଣ କରୁଥିଲେ । ଅନେକ ନିନ୍ଦା ଅପମାନ କୁ ଆଶୀର୍ବାଦ ସ୍ୱରୂପ ସାଉଁଟି ରଖୁଥିଲେ ତାଙ୍କର ବିଶାଳ ବକ୍ଷ ମଧ୍ୟରେ।
ବିତି ଯାଇଥିବା ଅତୀତକୁ ଆମେ ଯଦି ଦୃଷ୍ଟି ନିକ୍ଷେପ କରିବା ତାହେଲେ ଆମର ଦୁଇ ଆଖିରେ ନାଚି ଉଠିବ ଭଗବାନ ସାହୁଙ୍କ କଳା କୃତିର ଚମତ୍କାରିତା। ଗାଁ ପରିବେଶ ର ସବୁଜ ବୃକ୍ଷ ଲତା । ସେ ସମୟରେ ନ ଥିଲା ପିଚୁ ରାସ୍ତା କି ନ ଥିଲା ଯାନ ବାହାନର ସୁବିଧା। ଭଗବାନ ସାହୁ ନାଟକ କରିବା ପାଇଁ ତାଙ୍କ ଶିଷ୍ୟ ମାନଙ୍କୁ ସାଥିରେ ଧରି ଅସଂଖ୍ୟ ବାଟ ଚାଲି ଚାଲି ଯାଉଥିଲେ ପାଦରେ । ହାତରେ ଥିଲା ହାରମୋନିୟମ୍ ଏବଂ ହୃଦୟରେ ଥିଲା ଅସୀମ ବିଶ୍ୱାସ ଓ ଦୃଢ଼ତାର ସୁରଭି ସଙ୍ଗମ। ନାଟକ ପରିବେଷଣ ହେଉଥିଲା ଖୋଲା ମଞ୍ଚରେ । ଇଚ୍ଛା ମାନେ ସଜ ହୋଇ ଉଡ଼ି ବୁଲୁଥିଲେ ମାଟି ରୁ ଦୂର ଆକାଶ ପର୍ଯ୍ୟନ୍ତ। ଗୋଟିଏ ରାତ୍ରିର ଉଜାଗର ପରେ ଏକ ସୁନେଲି ସକାଳ ନୂତନ ଆଶା ବିଶ୍ୱାସ ନେଇ ଜନ୍ମ ହେଉଥିଲା । ସୂର୍ଯ୍ୟଙ୍କ ପ୍ରତି କିରଣରେ କମ୍ପି ଉଠୁଥିଲା ତାଙ୍କର ସର୍ବାଙ୍ଗ ତନୁ ବଲ୍ଲରୀ । ନାଟକ ପାଇଁ ସେ ନିଜକୁ ହଜେଇ ଦେଇଥିଲେ ରଜନୀର ଗାଢ଼ ଅନ୍ଧାର ଭିତରେ । କେବେ ଭୋକ ତ କେବେ ପଥ ଚଲା ଯନ୍ତ୍ରଣା କୁ ବି ଖୁସିରେ ବାନ୍ଧି ଦେଉଥିଲେ ତାଙ୍କ ସୂତା ଗାମୁଛା ଭିତରେ । ନାଟକ ଶେଷରେ ସମସ୍ତେ ଗଛ ମୂଳରେ ବିଶ୍ରାମ ନେଉଥିବା ସମୟରେ ସେ ଥକି ନ ଯାଇ ଆଉ ଗୋଟିଏ ରାତ୍ରି ପାଇଁ ଦେଖୁଥିଲେ ସୁନେଲୀ ସ୍ବପ୍ନ ।
ଆମ ମାଟିର ଆଉ ଦୁଇ ଜଣ ମହାନ୍ ବ୍ୟକ୍ତିତ୍ଵର ଅଧିକାରୀ ସ୍ଵଭାବ କବି ଗଙ୍ଗାଧର ମେହେର ଓ ସୂର୍ଯ୍ୟ ସମ ତେଜୋମୟ ବୀର୍ ସୁରେନ୍ଦ୍ର ସାଏଙ୍କୁ ସେ ଗଭୀର ସମ୍ମାନ ଦେଉଥିଲେ । ଅନେକ ରାତ୍ରି ସେ ଗଙ୍ଗାଧରଙ୍କ ଚରିତ୍ର ମାନଙ୍କୁ ଯଥା “କୀଚକ ବଧ”,”ଦୁଷ୍ମନ୍ତ ଶକୁନ୍ତଳା”,”ସୁଶୀଲ ମାଳତୀ” ଆହୁରି ଅନେକଙ୍କୁ ନେଇ ମଞ୍ଚସ୍ଥ କରିଥିଲେ ତାଙ୍କ ନାଟକ ମଞ୍ଚରେ । ସବୁଠାରୁ ବେଶୀ ପ୍ରଭାବ ପକାଇଥିବା ନାଟକ ” *ବୀର୍* *ସୁରେନ୍ଦ୍ର ସାଏ ଚୁହାନ୍”* ପାଇଁ ଅନେକ ମଞ୍ଚରେ ଦର୍ଶକଙ୍କ ଠାରୁ ପଥର ମାଡ଼ ଖାଇଛନ୍ତି । ତଥାପି ସେ ହାରି ଯାଇନାହାନ୍ତି କି ଥକି ପଡ଼ି ନାହାନ୍ତି ଜୀବନ ନାଟକରେ । ଅହରହ ଚାଲୁଥିଲା ଜୀବନ ନାଟକ । ଆଗକୁ ଆଗକୁ ବହୁତ ଆଗକୁ ।
ସମୟର କ୍ରମେ କ୍ରମେ ସେ କୁମ୍ଭାରୀ ଠାରୁ ପାଞ୍ଚ କିଲୋମିଟର ଦୂରରେ ଥିବା ତୁରୁଙ୍ଗା ର ସୁକୁମାର ସାହୁଙ୍କୁ ବିବାହ କଲେ । ବିବାହ ପରେ ମଧ୍ୟ ସେ ତାଙ୍କର ନାଟକ ଜୀବନରୁ ଓହୋରି ଯାଇ ନ ଥିଲେ । କ୍ରମଶଃ ତାଙ୍କର ଦୁଇ ପୁତ୍ର ମଧ୍ୟ ହେଲେ । କିନ୍ତୁ ସେ ନିଜ ସଂସାର ଅପେକ୍ଷା ଅନ୍ୟ ମାନଙ୍କ ଦୁଃଖ ସୁଖରେ ଭାଗୀଦାର ହେଉଥିଲେ । ସମୟେ ସମୟେ ଭଗବାନ ସାହୁ ନାଟକ ପାଇଁ ନିଜ ସ୍ତ୍ରୀଙ୍କ ସମସ୍ତ ସୁନା ଗହଣା ବନ୍ଧା ରଖି ସେଇ ପଇସାକୁ ନାଟକରେ ବ୍ୟବହୃତ କରୁଥିଲେ । ନାଟକରେ ସେ ନିଜ ପଇସା ଖର୍ଚ୍ଚ କରି ଲୋକଙ୍କୁ ଖାଇବାକୁ ଦେଉଥିଲେ । ଅନେକ ଅନାଥ ଶିଶୁଙ୍କୁ ମଧ୍ୟ ସେ ପାଳି ପୋଷି ବଡ଼ କରିଥିଲେ ।
ପୃଥିବୀ ଇତିହାସରେ ହୁଏତ ଏଭଳି ଜଣେ ବିରଳ ବ୍ୟକ୍ତିତ୍ଵଙ୍କ ଭଳି ଉଦାହରଣ ପଢ଼ିବାକୁ ବା ଶୁଣିବାକୁ ମିଳିବ ଏହା ବିଶ୍ୱାସ କରି ହୁଏ ନାହିଁ । କିନ୍ତୁ କ୍ଷୋଭର ବିଷୟ ଏହା ଯେ ଭାରତ ବର୍ଷର ସବୁ ସମ୍ମାନର ଅଧିକାରୀ ଆଜି ଅବହେଳିତ। ମୁଁ ଦୃଢ଼ ଭାବରେ କହିବି ଗୁରୁ ଭଗବାନ ସାହୁ ଅବହେଳିତ ହେବା ,ଗୁରୁ ଭଗବାନ ସାହୁଙ୍କୁ ଅଣଦେଖା କରିବା ଭାରତ ବର୍ଷର କଳା ସଂସ୍କୃତି କ୍ଷେତ୍ରରେ ଏକ କଳଙ୍କିତ ଅଧ୍ୟାୟ । ଧନୀ ଗୌନ୍ତିଆ ଘରେ ଜନ୍ମ ହୋଇ ଅଞ୍ଚଳର ଭାଷା କଳା ସସ୍କୃତି ପାଇଁ ନିଜକୁ ଶେଷ କରି ଦେଇଥିବା, ନିଜକୁ ଦରିଦ୍ର କରି ଦେଇଥିବା ମହାନ୍ ବ୍ୟକ୍ତିତ୍ଵ ହେଉଛନ୍ତି ଅସାଧାରଣ ।
ଶକ୍ତିନଗର, ବରଗଡ଼
ଗୁରୁ ଭଗବାନ ସାହୁ ରାଜ୍ୟସ୍ତରୀୟ ସ୍ମୃତି କମିଟି ପରିବାର

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ