ଭୁବନେଶ୍ବର: ଆଜି ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଗୃହମନ୍ତ୍ରୀ ଅମିତ ଶାହ । ଏଥିପାଇଁ ପୂରା ରାଜଧାନୀରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ରାଜଧାନୀ ଏକ ଅଭେଦ୍ୟ ଦୁର୍ଗରେ ପରିଣତ ହୋଇଛି । ଭୁବନେଶ୍ବରରେ ଆଜିଠୁ ଆରମ୍ଭ ହେଉଥିବା ଡିଜିପି ସମ୍ମିଳନୀରେ ଉଭୟ ପ୍ରଧାନମନ୍ତ୍ରୀ ଏବଂ ଗୃହମନ୍ତ୍ରୀ ସାମିଲ ହେବେ । ସେଥିପାଇଁ ଆଜିଠୁ ତିନି ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ଉଭୟ ।
ଅପରାହ୍ନରେ ମୋଦି ଓ ଶାହ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବେ । ଏହାପରେ ବିମାନବନ୍ଦର ନିକଟରେ ଆୟୋଜିତ ଏକ ସଭାରେ ଉଦବୋଧନ ଦେବେ ମୋଦି । ସେଠାରୁ ସିଧାସଳଖ ରାଜଭବନ ଯିବେ । ସନ୍ଧ୍ୟାରେ ବିଜେପି ରାଜ୍ୟ କାର୍ଯ୍ୟାଳୟକୁ ଯିବେ । ସେଠାରେ ପ୍ରାୟ ୨ ଘଣ୍ଟା ରହିବେ । ଦଳର ବରିଷ୍ଠ ପଦାଧିକାରୀଙ୍କ ସମେତ ଜନପ୍ରତିନିଧିଙ୍କ ସହିତ କରିବେ ରୁଦ୍ଧଦ୍ୱାର ବୈଠକ ହେବାର କାର୍ଯ୍ୟକ୍ରମ ରହିଛି । ଫୋକସରେ ରହିବ ସରକାର ଓ ସଂଗଠନ ।
ନୂଆ କରି ସତ୍ତାକୁ ଆସିଥିବା ବିଜେପି ସରକାର କେମିତି ଚାଲିଛି ତାର ସମୀକ୍ଷା କରିବେ ଖୋଦ୍ ମୋଦି । ମନ୍ତ୍ରୀ, ସାଂସଦ ଓ ବିଧାୟକମାନଙ୍କ ଠାରୁ ରିପୋର୍ଟ କାର୍ଡ ନେବେ । ଆଗାମୀ ୨୫ ବର୍ଷ ଯାଏଁ ସତ୍ତାରେ ରହିବାକୁ ସଂଗଠନର ପ୍ରାଣ ପ୍ରତିଷ୍ଠା କରିବେ ପ୍ରଧାନମନ୍ତ୍ରୀ । ଚଳିତ ଥର କୋଟିଏ ସଭ୍ୟ ସଂଗ୍ରହ କରିବାକୁ ଟାର୍ଗେଟ୍ ଦିଆଯାଇଛି । ସେନେଇ ମଧ୍ୟ ଆଲୋଚନା କରିବେ ।
ଆଜିଠୁ ଭୁବନେଶ୍ବରରେ ଆୟୋଜିତ ହେବାକୁ ଥିବା ସର୍ବଭାରତୀୟ ଡିଜିପି ସମ୍ମିଳନୀ ନିମନ୍ତେ ବିଭିନ୍ନ ରାଜ୍ୟର ପୋଲିସ ମୁଖିଆ ଭୁବନେଶ୍ୱରରେ ପହଞ୍ଚି ସାରିଲେଣି । ଏହି ସମ୍ମିଳନୀକୁ ଗୃହମନ୍ତ୍ରୀ ଅମିତ ଶାହ ଉଦଘାଟନ କରିବେ । ପ୍ରଧାନମନ୍ତ୍ରୀ ମୋଦି ଏବଂ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ୍ ଏହି କଫରେନ୍ସରେ ଯୋଗ ଦେବେ ।
ପ୍ରଥମ ଥର ଲାଗି ଓଡ଼ିଶାରେ ହେଉଥିବା ଏହି ସମ୍ମିଳନୀ ପାଇଁ ସୁରକ୍ଷା ବ୍ଲାଙ୍କେଟରେ ରହିଛି ରାଜଧାନୀ । ଦେଶର ଆଭ୍ୟନ୍ତରୀଣ ସୁରକ୍ଷା ସହ ସୀମା ସୁରକ୍ଷା, ସାଇବର ଅପରାଧ ଓ ନିଶା କାରବାର ଭଳି ପ୍ରମୁଖ ପ୍ରସଙ୍ଗରେ ତିନି ଦିନ ଧରି ହେବ ଆଲୋଚନା ।
ଏଥିପାଇଁ ଆଜିଠୁ ଆସନ୍ତା ୧ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ଯାନବାହନ ଚଳାଚଳ ଉପରେ କଟକଣା ଜାରି ହୋଇଛି । ଭିଭିଆଇପିଙ୍କ ଗସ୍ତ କରିବା ରାସ୍ତାରେ ଯାନବାହାନ ମନା ହୋଇଛି ।
ରାଜ୍ୟ ଅତିଥି ଭବନରେ ସବୁ ରାଜ୍ୟର ପୋଲିସ ଡିଜିଙ୍କ ରହିବା ବ୍ୟବସ୍ଥା କରାଯାଇଛି । ତେଣୁ ହାଇସିକ୍ୟୁରିଟି ଜୋନରେ ଏବେ ପୂରା ରାଜଧାନୀ ରହିଛି । ସହରର ସମସ୍ତ ଏଣ୍ଟ୍ରି ପଏଣ୍ଟରେ ନାକା କରି କଡ଼ା ଯାଞ୍ଚ କରୁଛନ୍ତି ପୋଲିସ ଓ ବିଏସଏଫ । ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ଥିବା ସ୍ଥାନରେ ‘ନୋ ଫ୍ଲାଇଙ୍ଗ ଜୋନ୍’ ଘୋଷଣା କରାଯାଇଛି ।