ଆଜିଠୁ ରାଜଧାନୀରେ ସର୍ବଭାରତୀୟ ଡିଜିପି ସମ୍ମିଳନୀ


ଭୁବନେଶ୍ବର: ଓଡ଼ିଶାରେ ପ୍ରଥମ ଥର ହେବାକୁ ଯାଉଛି ସର୍ବଭାରତୀୟ ଡିଜିପି ସମ୍ମିଳନୀ । ରାଜଧାନୀ ଭୁବନେଶ୍ବରରେ ଆଜିଠାରୁ ତିନିଦିନ ଅର୍ଥାତ ଡିସେମ୍ବର ୧ ତାରିଖ ପର୍ଯ୍ୟନ୍ତ ଚାଲିବ ଏହି ସମ୍ମିଳନୀ । ବିଭିନ୍ନ ରାଜ୍ୟର ପୋଲିସ ମୁଖିଆ ଏଥିରେ ସାମିଲ ହେଉଛନ୍ତି । ଏତିପାଇଁ ରାଜଧାନୀରେ ପହଞ୍ଚି ସାରିଲେଣି ଦେଶର ଡିଜିପିମାନେ । ଏହି ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଗୃହମନ୍ତ୍ରୀ ଅମିତ ଶାହ ସାମିଲ ହୋଇ ଦେଶ ସୁରକ୍ଷାକୁ ନେଇ ଆଲୋଚନା କରିବେ । ଏଥିପାଇଁ ତିନିଦିନିଆ ଗସ୍ତରେ ଓଡ଼ିଶା ଆସୁଛନ୍ତି ମୋଦି ଏବଂ ଶାହ ।  

ସମ୍ମିଳନୀକୁ ଉଦଘାଟନ କରିବେ ଗୃହମନ୍ତ୍ରୀ ଅମିତ ଶାହ । ପ୍ରଧାନମନ୍ତ୍ରୀ ମୋଦି ଏବଂ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ୍ ଏହି କଫରେନ୍ସରେ ଯୋଗ ଦେବେ ।

ପ୍ରଥମ ଥର ଲାଗି ଓଡ଼ିଶାରେ ହେଉଥିବା ଏହି ସମ୍ମିଳନୀ ପାଇଁ ସୁରକ୍ଷା ବ୍ଲାଙ୍କେଟରେ ରାଜଧାନୀ । ଦେଶର ଆଭ୍ୟନ୍ତରୀଣ ସୁରକ୍ଷା ସହ ସୀମା ସୁରକ୍ଷା, ସାଇବର ଅପରାଧ ଓ ନିଶା କାରବାର ଭଳି ପ୍ରମୁଖ ପ୍ରସଙ୍ଗରେ ତିନି ଦିନ ଧରି ହେବ ଆଲୋଚନା । ଅତିଥିଙ୍କୁ ସ୍ୱାଗତ ଓ ସହାୟତା ପାଇଁ ବିମାନ ବନ୍ଦରରେ କମିଶନରେଟ୍ ପୋଲିସ ପକ୍ଷରୁ କ୍ୟାମ୍ପ ସାଙ୍ଗକୁ ୨ଟି ହେଲ୍ପ ଡେସ୍କ ଖୋଲାଯାଇଛି । ରାଜ୍ୟ ଅତିଥି ଭବନରେ ରହିବେ ସବୁ ରାଜ୍ୟର ପୋଲିସ ଡିଜି । ହାଇସିକ୍ୟୁରିଟି ଜୋନରେ ଏବେ ପୂରା ରାଜଧାନୀ । ସହରର ସମସ୍ତ ଏଣ୍ଟ୍ରି ପଏଣ୍ଟରେ ନାକା କରି କଡ଼ା ଯାଞ୍ଚ କରୁଛନ୍ତି ପୋଲିସ ଓ ବିଏସଏଫ । ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ଥିବା ସ୍ଥାନରେ ‘ନୋ ଫ୍ଲାଇଙ୍ଗ ଜୋନ୍’ ଘୋଷଣା କରାଯାଇଛି ।