ମଉଗଞ୍ଜ: ଆମ୍ବୁଲାନ୍ସ ଭିତରେ ନାବାଳିକାଙ୍କୁ ଦୁଷ୍କର୍ମ । ଚଳାନ୍ତା ଆମ୍ବୁଲାନ୍ସ ଭିତରେ ନାବାଳିକାଙ୍କୁ ଦୁଷ୍କର୍ମ କଲେ ଗାଡିର ହେଲପର । ଆଉ ଦୁଷ୍କର୍ମ କରିବାକୁ ହେଲପରକୁ ସହଯୋଗ କଲେ ନାବାଳିକାଙ୍କ ଭଉଣୀ ଓ ଭିଣୋଇ । ଘଟଣା ଘଟିଛି ମଧ୍ୟପ୍ରଦେଶର ମଉଗଞ୍ଜ ଜିଲ୍ଲାରେ ।
କିଛି ଦିନ ତଳେ ନାବାଳିକାଙ୍କ ସମେତ ତାଙ୍କ ଭଉଣୀ, ଭିଣୋଇ ଏକ ଆମ୍ବୁଲାନ୍ସରେ ଯାଉଥିଲେ । ସେମାନଙ୍କ ମଧ୍ୟରୁ କେହି ବି ଅସୁସ୍ଥ ନଥିଲେ । ମାତ୍ର ଆମ୍ବୁଲାନ୍ସ ଚାଳକ ପରିଚିତ ହୋଇଥିବାରୁ ସେମାନେ ତାଙ୍କ ସହ ଯାଉଥିଲେ ।
ଗାଡ଼ିଟି କିଛି ବାଟ ଯିବା ପରେ ଆମ୍ବୁଲାନ୍ସ ଚାଳକ ଗାଡ଼ି ଅଟକାଇଥିଲେ । ନାବାଳିକାଙ୍କ ଭଉଣୀ ଭିଣୋଇ ପାଣି ଆଣିବା ବାହାନାରେ ସେଠାରେ ଗାଡ଼ିରୁ ଓହ୍ଲାଇ ପଡ଼ିଥିଲେ । ଏହାପରେ ଚାଳକ ଜଣକ ଗାଡ଼ିକୁ ଦ୍ରୁତ ଗତିରେ ନିଛାଟିଆ ସ୍ଥାନକୁ ନେଇ ଯାଇଥିଲେ । ସେଠାରେ ଆମ୍ବୁଲାନ୍ସ ହେଲପର ନାବାଳିକାଙ୍କ ସହ ଦୁଷ୍କର୍ମ କରିଥିଲେ । ରାତି ସାରା ଉଭୟ ଡ୍ରାଇଭର ଓ ହେଲପର ନାବାଳିକାଙ୍କୁ ଗାଡ଼ିରେ ବନ୍ଧକ କରି ରଖିଥିଲେ । ଏହାପରେ ସକାଳେ ତାଙ୍କୁ ରାସ୍ତା କଡ଼କୁ ଫୋପାଡ଼ି ଫେରାର ହୋଇ ଯାଇଥିଲେ ।
ବହୁ କଷ୍ଟରେ ନାବାଳିକା ଜଣକ ଘରେ ପହଞ୍ଚି ନିଜ ମାଆଙ୍କୁ ଘଟଣା ସମ୍ପର୍କରେ କହିଥିଲେ । ଦୁଇ ଦିନ କାଳ ଲୋକଲଜ୍ଜା ଭୟରେ ସେମାନେ କାହାକୁ କିଛି କହି ନଥିବା ବେଳେ ପରେ ଥାନାରେ ପହଞ୍ଚି ୪ ଜଣଙ୍କ ନାମରେ ଅଭିଯୋଗ କରିଥିଲେ । ପୋଲିସ୍ ତୁରନ୍ତ ମାମଲାର ଛାନଭିନ ଆରମ୍ଭ କରି ମୁଖ୍ୟ ଅଭିଯୁକ୍ତ ଆମ୍ବୁଲାନ୍ସ ହେଲପର କେବଟ ଓ ଡ୍ରାଇଭର ବୀରେନ୍ଦ୍ର ଚର୍ତୁବେଦିଙ୍କୁ ଗିରଫ କରିଛି । ଏଥିସହ ପୋଲିସ୍ ପୀଡ଼ିତାଙ୍କ ଭଉଣୀ, ଭିଣୋଇଙ୍କୁ ଧରିବାକୁ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛି ।