ଚୋରି ହୀରା ଅଳଙ୍କାର ବିକ୍ରି କରିବାକୁ ଯାଇ ବନ୍ଧା ହେଲେ ଯୁବକ


ବାଲେଶ୍ବର: ୮୦ ଲକ୍ଷରୁ ଅଧିକ ଟଙ୍କାର ଅଳଙ୍କାର ବିକ୍ରି କରିବାକୁ ଯାଇଥିଲେ । ସେଥିରେ ଥିଲା ହୀରା ଖଚିତ ମୁଦି ସ ବ୍ରେସଲେଟ । ଏତେ ଗହଣା ଦେଖି ଦୋକାନୀଙ୍କର ହେଲା ସନ୍ଦେହ । ଗହଣା ସମ୍ପର୍କରେ ପଚାରିବାରୁ ସବୁ ଅଳଙ୍କାର ଧରି ଚମ୍ପଟ ମାରିବାକୁ ଚେଷ୍ଟା କରିଥିଲେ ଯୁବକ । ଦୋକାନୀ ପୋଲିସକୁ ଖବର ଦେବା ପରେ ବନ୍ଧା ହେଲେ ଯୁବକ । ଆଉ ତାଙ୍କ ପାଖରୁ ୮୦ ଲକ୍ଷରୁ ଅଧିକ ଟଙ୍କାର ସୁନା ଓ ହୀରା ଅଳଙ୍କାର ଜବତ କରିଛି ପୋଲିସ । ଏମିତି ଘଟଣା ବାଲେଶ୍ବର ଜିଲ୍ଲା ଖଇରା ଥାନା ଅଞ୍ଚଳରେ ଦେଖିବାକୁ ମିଳିଛି । ଗିରଫ ଅଭିଯୁକ୍ତ ହେଲେ ଖଇରା ଥାନା ସାରକୋଣା ଗାଁର ବନମାଳି ସ୍ଵାଇଁ ।

ପୋଲିସ ସୂଚନା ଅନୁସାରେ ବନମାଳି ବେଙ୍ଗାଲୁରୁରେ ପଦ୍ମା ରେଡ୍ଡୀ ନାମକ ଜଣେ ମହିଳାଙ୍କ ଘରେ ରହି କାମ କରୁଥିଲେ । କିଛି ଦିନ ସେଠାରେ କାମ କରିବା ପରେ ତାଙ୍କର ହୀରା ମୁଦି, ହୀରା ଖଞ୍ଜିତ ବ୍ରେସ୍‌ଲେଟ୍‌ ସମେତ ଦୁଇଟି ସୁନା ଚେନ, ଗୋଟେ ସୁନା ମୁଦି, ଗୋଟେ ସୁନା ଲକେଟ, ୫ଟି ସୁନା କାନଫୁଲ ଓ ଗୋଟେ ସୁନା କାନ ନୁଥ ଚୋରି କରି ଗାଁକୁ ପଳାଇ ଆସିଥିଲେ ।

ଭାବିଥିଲା ଗାଁରେ କିଛି ଦିନବା ପରେ ଚୋରି ଅଳଙ୍କାରକୁ ଏଠାରେ କୌଣସି ଅଳଙ୍କାର ଦୋକାନରେ ବିକ୍ରି କରିଦେବେ । ଦୁଇଦିନ ତଳେ ସେ ସବୁ ଅଳଙ୍କାର ଧରି ଖଇରା ବଜାରରେ ଥିବା ଏକ ଅଳଙ୍କାର ଦୋକାନକୁ ଯାଇଥିଲେ । ଆଉ ଚୋରି ଅଳଙ୍କାର ବିକିବା ପାଇଁ ଦୋକାନୀଙ୍କୁ କହିଥିଲେ । ହେଲେ ଏତେ ପରିମାଣର ହୀରା ଓ ସୁନା ଅଳଙ୍କର ଦେଖି ଦୋକାନ ମାଲିକ ମମତା ସାହୁଙ୍କ ଅକଲ ଗୁଡୁମ୍‌ ହୋଇଯାଇଥିଲା । ଏତେ ଅଳଙ୍କାର ତୁମର କି ଆଉ କାହାର ବୋଲି ଦୋକାନୀ ପ୍ରଶ୍ନ କରିଥିଲେ । ମମତାଙ୍କ ପ୍ରଶ୍ନ ଶୁଣି ବନମାଳି ସବୁ ଅଳଙ୍କାର ଧରି ଦୌଡ଼ି ପଳାଇ ଯାଇଥିଲେ । ମମତା ଏନେଇ ଖଇରା ଥାନାକୁ ଖବର ଦେଇଥିଲେ । ଅଭିଯୋଗକୁ ଭିତ୍ତିକରି ଥାନା ଅଧିକାରୀ ମୌସୁମୀ ମହାନ୍ତି ଘଟଣାର ତଦନ୍ତ ଆରମ୍ଭ କରିଥିଲେ । ଅଳଙ୍କାର ଦୋକାନରେ ଲାଗିଥିବା ସିସିଟିଭିକୁ ଯାଞ୍ଚ କରିଥିଲେ । ସିସିଟିଭି ତଥ୍ୟ ଅଧାରରେ ପୋଲିସ୍‌ ସୋମବାର ବିଳମ୍ବିତ ରାତିରେ ବନମାଳିକୁ ତାଙ୍କ ଘରୁ ଗିରଫ କରିଛି । ଗିରଫ ପରେ ଚୋରିର ସବୁ ଖିଅ ଖୋଲିଥିଲା ବନମାଳି । ପୋଲିସ ସବୁ ଅଳଙ୍କାର ଜବତ କରି ଘଟଣାର ତଦନ୍ତ ଚଳାଇଛି ।