ଦିଲ୍ଲୀ: ରାଜଧାନୀ ଦିଲ୍ଲୀର ଏକ ପାର୍କରେ ଫୁଟିଲା ଗୁଳି । ସାଙ୍ଗମାନଙ୍କ ସହ ପାର୍କରେ ବସି ନିଆଁ ସେକୁଥିବା ବଡି ବିଲ୍ଡରଙ୍କୁ ଗୁଳି ମାଡ଼ । ତାଙ୍କୁ ୫ ରାଉଣ୍ଡ ଗୁଳି ମରାଯାଇଛି । ପୂର୍ବ ଦିଲ୍ଲୀର କଲ୍ୟାଣପୁରୀ ପୁଲିସ ଷ୍ଟେସନ ଅଞ୍ଚଳର ତ୍ରିଲୋକପୁରୀ ସେକ୍ଟର ୧୩ ଅଞ୍ଚଳରେ ଏହି ଘଟଣା ଘଟିଛି । ଯୁବକ ଜଣଙ୍କ ହେଲେ ରବି ।
ଏଠାରେ କିଛି ସାଙ୍ଗମାନେ ଏକାଠି ହୋଇ ବସି ନିଆଁ ସେକୁ ଥିଲେ । ଏହି ସମୟରେ ଜଣେ ଦୁର୍ବୃତ୍ତ ଆସି ରବିଙ୍କୁ ଟାର୍ଗେଟ୍ କରି ଗୁଳିମାଡ଼ କରିଥିଲେ । ବୁଧବାର ରାତି ପ୍ରାୟ ସାଢ଼େ ୧୨ଟା ବେଳେ ଏହି ଘଟଣା ଘଟିଛି । ଗୁଳିମାଡ଼ ପରେ ଗୁରୁତର ରବିଙ୍କୁ ମ୍ୟାକ୍ସ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ସେଠାରେ ତାଙ୍କର ଚିକିତ୍ସା ଚାଲିଛି ।
ରବି ଜଣେ ଜିମ୍ ଟ୍ରେନର୍ । ସେ ତ୍ରିଲୋକପୁରୀ ଅଞ୍ଚଳରେ ରୁହନ୍ତି । କୁହାଯାଉଛି, ତାଙ୍କ ଦେହରେ ୫ଟି ଗୁଳି ବାଜିଛି । ତାଙ୍କ ଅବସ୍ଥା ଗୁରୁତର ରହିଛି । ପୋଲିସ ହତ୍ୟା ଉଦ୍ୟମ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି । ଅଭିଯୁକ୍ତଙ୍କୁ ଚିହ୍ନଟ କରିବା ପାଇଁ ଘଟଣା ସ୍ଥଳରେ ଥିବା ସିସିଟିଭି ଫୁଟେଜକୁ ଯାଞ୍ଚ କରୁଛି ପୋଲିସ । ଆହତ ଯୁବକ ରବିଙ୍କୁ ବଡ଼ି ବିଲ୍ଡଂ କରିବାର ସଉକ୍ ରହିଛି। ଯେଉଁଥିରେ ସେ ଅନେକ ପୁରସ୍କାର ଜିତିଛନ୍ତି । ତେବେ କିଏ ଓ କାହିଁକି ତାଙ୍କୁ ଏଭଳି ଗୁଳିମାଡ଼ କରିଛି ସେ ନେଇ କିଛି ଜଣାପଡି ନାହିଁ ।
ସେପଟେ ଗୁଳିକାଣ୍ଡ ଘଟଣାକୁ ନେଇ ରାଜନୀତି ଆରମ୍ଭ ହୋଇଯାଇଛି । ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆପ୍ ସୁପ୍ରିମୋ ଅରବିନ୍ଦ କେଜ୍ରିଓ୍ବାଲ ଗୁଳିକାଣ୍ଡ ଘଟଣାକୁ ନେଇ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି । ସେ ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରି ନିଜ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ‘ଆଉ ଏକ ସକାଳେ ହୃଦୟ ବିଦାରକ ଖବର ସାମ୍ନାକୁ ଆସିଛି । ଖୁଲମଖୁଲା ଗୁଳିମାଡ଼ କରାଯାଉଛି । ଦିଲ୍ଲୀର ଅପରାଧୀଙ୍କ ମଧ୍ୟରେ ଆଉ ଆଇନ ଶୃଙ୍ଖଳା ପ୍ରତି ଭୟ ନାହିଁ ।’