ପ୍ରମିଳା ମଲ୍ଲିକଙ୍କ ଭାଇଙ୍କ ଘରେ ଇଡ଼ି ଚଢ଼ାଉର ଦ୍ବିତୀୟ ଦିନ


ସମ୍ବଲପୁର: ପୂର୍ବତନ ମନ୍ତ୍ରୀ ତଥା ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ଭାଇ ସ୍ୱର୍ଗତ କ୍ଷୀରୋଦ ମଲ୍ଲିକଙ୍କ ଘରେ ଦ୍ବିତୀୟ ଦିନ ମଧ୍ୟ ଇଡ଼ି ଚଢ଼ାଉ ଜାରି ରହିଛି । ଆଜି ପ୍ରମିଳାଙ୍କ ଭାଇଙ୍କ ସମ୍ବଲପୁରର ବାଣିପାଲିରେ ଥିବା ଘରେ ଚଢ଼ାଉ କରାଯାଇଛି । ବିଶ୍ୱ ଏନଜିଓର ଫାଉଣ୍ଡର ଥିଲେ ପ୍ରମିଳା ମଲ୍ଲିକ ଭାଇ ସ୍ୱର୍ଗତ କ୍ଷୀରୋଦ ମଲ୍ଲିକ ।

ଗତକାଲି ସମ୍ବଲପୁରରେ ଥିବା ବିଶ୍ୱ ଏନଜିଓର ମୁଖ୍ୟ କାର୍ଯ୍ୟାଳୟ ସମେତ ୩ଟି ସ୍ଥାନରେ ଏକକାଳୀନ ଚଢ଼ାଉ କରାଯାଇଥିଲା । ଦିଲ୍ଲୀରେ ମଧ୍ୟ ଇଡି ପକ୍ଷରୁ ଚଢ଼ାଉ କରାଯାଇଥିଲା । ଗତକାଲି ଇଡିର ଅଧିକାରୀ ବିଳମ୍ବିତ ରାତି ପର୍ଯ୍ୟନ୍ତ ଚଢ଼ାଉ ଜାରି ରଖିଥିବା ବେଳେ ଆଜି ପୁଣି ଆଜି ସକାଳୁ ସକାଳୁ ପୁରି ଚଢ଼ାଉ କରାଯାଇଛି । ଗତକାଲି ଚଢ଼ାଉ ବେଳେ ଇଡି ହାତରେ କେଉଁ ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜ୍ ଲାଗିଛି ତାହା ସ୍ପଷ୍ଟ ହୋଇନାହିଁ ।

ସୂଚନାଯୋଗ୍ୟ, କ୍ଷୀରୋଦ ଏକାଧିକ ରାଷ୍ଟ୍ରାୟତ ଓ ଘରୋଇ ବ୍ୟାଙ୍କରୁ ଲୋନ ନେଇଥିଲେ । ହେଲେ ତା’ର ପରିଷଦ କରି ନଥିଲେ । ଏଥିସହ କ୍ଷୀରୋଦ ଚଲାଇଥିବା ବିଶ୍ୱ ଏନଜିଓ (Bharat integrated social welfare agency) ୨୩୧ କୋଟି ଟଙ୍କା ଠକେଇ କରିଥିବା ଅଭିଯୋଗ ହୋଇଥିଲା । ଏହି ଠକେଇ ଟଙ୍କା ଚଳିତ ନିର୍ବାଚନ କାର୍ଯ୍ୟରେ ବ୍ୟବହାର କରାଯାଇଥିବା ଅଭିଯୋଗ ହୋଇଥିଲା । ଏହାକୁ ନେଇ ଇଡି ଖୋଳତାଡ଼ ଆରମ୍ଭ କରିଛି ।

ସୂଚନା ଥାଉକି, କିଛି ବର୍ଷ ହେବ ବିଶ୍ୱ ଏନଜିଓ ସଂସ୍ଥା ବନ୍ଦ ରହିଛି । ଇଡି ଚଢ଼ାଉ ନେଇ ବିଜେଡି ନେତ୍ରୀ ପ୍ରମିଳା ମଲ୍ଲିକଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିନାହିଁ ।