ପ୍ରତାପ ଷଡ଼ଙ୍ଗୀଙ୍କୁ ଘରୋଇ ହସ୍ପିଟାଲକୁ କରାଗଲା ସ୍ଥାନାନ୍ତର


ଭୁବନେଶ୍ବର: ନୋଏଡ଼ାର ଏକ ଘରୋଇ ହସ୍ପିଟାଲକୁ ସାଂସଦ ପ୍ରତାପ ଷଡ଼ଙ୍ଗୀଙ୍କୁ ସ୍ଥାନାନ୍ତର କରାଯାଇଛି । ଦିଲ୍ଲୀର RML ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ ପ୍ରତାପ । ଗତ ୧୯ ତାରିଖରେ ସଂସଦ ଏଣ୍ଟ୍ରି ଗେଟରେ ‘ଆମ୍ବେଦକର’ ପ୍ରସଙ୍ଗକୁ ନେଇ ବିରୋଧୀ ସଦସ୍ୟ ବିକ୍ଷୋଭ ପ୍ରଦର୍ଶନ କରୁଥିଲେ । ଏହି ସମୟରେ ଠେଲା ପେଲା ହୋଇଥିଲା । ରାହୁଲ ଗାନ୍ଧୀ ସାଂସଦଙ୍କୁ ଠେଲି ଦେଇଥିବା ନେଇ ଅଭିଯୋଗ ହୋଇଥିଲା ।

ଏଥିରେ ସଂସଦର ମକର ଦ୍ୱାରର ଶିଢ଼ି ଉପରରୁ ତଳକୁ ପଡ଼ି ଯାଇଥିଲେ ପ୍ରତାପ । ରକ୍ତାକ୍ତ ଅବସ୍ଥାରେ ତାଙ୍କୁ ହସ୍ପିଟାଲକୁ ନିଆଯାଇଥିଲା । ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିବା ସହ ୫ଟି ଷ୍ଟିଚ୍ ଲାଗିଛି । ୫ ଦିନ ଧରି ଆରଏମଏଲ ହସ୍ପିଟାଲର ଆଇସିୟୁରେ ରହିବା ପରେ ତାଙ୍କୁ ଡିସଚାର୍ଜ କରାଯାଇଛି । ଏଠାରୁ ତାଙ୍କୁ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି ।

ଡାକ୍ତରଙ୍କ କହିବା ମୁତାବକ, ଏମଆରଆଇ ଓ ସିଟି ସ୍କାନ କରାଯାଇଥିଲା । ସେଥିରୁ କୌଣସି ହାଡରେ ଆଘାତ ଲାଗିଥିବା ନେଇ ଜଣାପଡିନାହିଁ । ଉଭୟଙ୍କ ଅବସ୍ଥା ବର୍ତ୍ତମାନ ଭଲ ଅଛି । ତେଣୁ ତାଙ୍କୁ ଡିସଚାର୍ଜ କରାଯାଇଛି ।   ଏହି ଠେଲାପେଲାରେ ସାଂସଦ ମୁକେଶ ରାଜପୁତ ମଧ୍ୟ ଆହତ ହୋଇଥିଲେ । ସେ ଚେତାଶୂନ୍ୟ ହୋଇ ପଡିଥିଲେ । ତାଙ୍କ ରକ୍ତଚାପ ବଢ଼ି ଯାଇଥିଲା । ଏବେ ତାଙ୍କୁ ମଧ୍ୟ ପ୍ରାଇଭେଟ୍‌ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । ଉଭୟ ସାଂସଦଙ୍କ ପୋଲିସ ଆଜି ବୟାନ ରେକର୍ଡ କରିପାରେ ବୋଲି ସୂତ୍ରରୁ ସୂଚନା ମିଳିଛି ।